Jammu Kashmir: ବିନା ଅନୁମତିରେ କାଶ୍ମୀରରେ ବୁଲୁଥିଲେ ଚୀନ୍ ନାଗରିକ, ମୋବାଇଲରୁ ମିଳିଲା ସମ୍ବେଦନଶୀଳ ତଥ୍ୟ

NEWS7
7-kind-of-corna-virus-4-kind-of-virus-signal

ଶ୍ରୀନଗର: ଜମ୍ମୁକାଶ୍ମୀରରେ ବିନା ଅନୁମତିରେ ବୁଲୁଥିବା ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରିଛନ୍ତି ସୁରକ୍ଷା ଏଜେନ୍ସି । ଲଦାଖ ଏବଂ କାଶ୍ମୀରର ସମ୍ବେଦନଶୀଳ ଅଞ୍ଚଳରେ ସେ ବୁଲୁଥିଲେ । ୨୯ ବର୍ଷୀୟ ଚୀନ୍ ନାଗରିକ ନଭେମ୍ବର ୧୯ରେ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ । ତାଙ୍କୁ ବାରଣାସୀ, ଆଗ୍ରା, ନୂଆଦିଲ୍ଲୀ, ଜୟପୁର, ସାରନାଥ, ଗୟା ଏବଂ ଖୁସିନଗରରେ ଥିବା ବୌଦ୍ଧ ଧର୍ମସ୍ଥଳକୁ ଯିବାକୁ ଅନୁମତି ଥିଲା । କିନ୍ତୁ ହୁ କୋଙ୍ଗତାଇ ନଭେମ୍ବର ୨୦ରେ ଦିଲ୍ଲୀରୁ ବିମାନ ଯୋଗେ ଲେହରେ ପହଞ୍ଚିଥିଲେ । ସେଠାରୁ ସେ ଲଦାଖରେ ପହଞ୍ଚିଥିଲେ ।

ଲେହ ଏହାରପୋର୍ଟରେ ଥିବା ବିଦେଶୀ ରିଜିଓନାଲ୍ ପଞ୍ଜିକରଣ କାର୍ଯ୍ୟାଳୟକୁ ଯାଇନଥିଲେ । ନିୟମ ଅନୁସାରେ ଯେକୌଣସି ବିଦେଶୀ ନାଗରିକଙ୍କୁ ଏୟାରପୋର୍ଟରେ ଥିବା FRRO କାଉଣ୍ଟରରେ ପଞ୍ଜିକରଣ କରିବା ଆବଶ୍ୟକ । କିନ୍ତୁ କୋଙ୍ଗତାଇ ଏଭଳି କରିନଥିଲେ । ସେ ଜଂସ୍କାର ଅଞ୍ଚଳରେ ୩ ଦିନ ବୁଲାବୁଲି କରିଥିଲେ । ଏହା ପରେ କୋଙ୍ଗତାଇ ଶ୍ରୀନଗରର ବିଭିନ୍ନ ସ୍ଥାନକୁ ଯାଇଥିଲେ । ତାଙ୍କ ପାଖରୁ ମିଳିଥିବା ଫୋନ୍ରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି ।

ସେ ସିଆରପିଏଫ ଯବାନ କେଉଁ ସ୍ଥାନରେ ମୁତୟନ ହୋଇଛନ୍ତି, ସେନେଇ ସେ ତଥ୍ୟ ଯୋଗାଡ କରୁଥିଲେ । ଏବେ ତାଙ୍କୁ ଗିରଫ କରାଯାଇଥିବା ବେଳେ ବିଭିନ୍ନ ସୁରକ୍ଷା ଏଜେନ୍ସି ତାଙ୍କୁ ପଚରା ଉଚରା କରୁଛନ୍ତି । କୋଙ୍ଗତାଇ ଭାରତୀୟ ସିମ୍ କାର୍ଡ ଯୋଗାଡ଼ କରି ବ୍ୟବହାର କରୁଥିବା ଜଣାପଡ଼ିଛି । ଶ୍ରୀନଗରରେ ସେ ବେଆଇନ୍ ଭାବରେ ଏକ ଗେଷ୍ଟ ହାଉସ୍ରେ ରହୁଥିବା ନେଇ ଜାଣିବାକୁ ପାଇଛନ୍ତି ସୁରକ୍ଷା ଏଜେନ୍ସି ।

ଚୀନ୍ ନାଗରିକ ହରଓ୍ବାନର ଏକ ବୌଦ୍ଧ ଧର୍ମସ୍ଥଳକୁ ବି ଯାଇଥିଲେ । ଗତବର୍ଷ ସେହି ସ୍ଥାନରେ ଏନକାଉଣ୍ଟରରେ ଜଣେ ଲସ୍କର ଏ-ତୋଇବାର ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା । କୋଙ୍ଗତାଇଙ୍କ ପାଖରୁ ମିଳିଥିବା ଭିସାରୁ ଜଣାପଡ଼ିଛି, ସେ ଆମେରିକା, ନ୍ୟୁଜିଲାଣ୍ଡ, ବ୍ରାଜିଲ୍, ଫିଜି ଏବଂ ହଙ୍ଗକଙ୍ଗ ସମତେ ବହୁ ଦେଶ ଯାତ୍ରା କରିଛନ୍ତି । ଭିସା ନିୟମରେ ସେ ଗୁରୁତର ଉଲ୍ଲଂଘନ କରିଛନ୍ତି ଏବଂ ତାଙ୍କୁ ଚୀନ୍ ଫେରାଇବା ହିଁ ଏକମାତ୍ର ବିକଳ୍ପ । ଏବେ ସୁରକ୍ଷା ଏଜେନ୍ସି ତାଙ୍କୁ ପଚରା ଉଚରା କରୁଛି ଏବଂ ମୋବାଇଲ୍ ଡାଟାରୁ ଅଧ୍ୟ ତଥ୍ୟ ଯୋଗାଡ କରୁଛି ।