୨.୭ କୋଟି ଟଙ୍କାର ଚାକିରି ଛାଡ଼ିଲେ ୨୨ ବର୍ଷୀୟ ଯୁବକ.. କହିଲେ, ଖୁସୀ ଛଡ଼ାଇ ନେଉଥିଲା ୧୨ ଘଣ୍ଟିଆ କାମ

NEWS7
7-4-earthquake-rocks-kermadec-islands-of-new-zealand

ନୂଆଦିଲ୍ଲୀଆଜିକାଲିର ପ୍ରତିଯୋଗିତାମୂଳକ ଜୀବନରେ ଅର୍ଥ ଉପାର୍ଜନ ପଛରେ ଧାଇଁ ଧାଇଁ ଲୋକେ ଅଣନିଃଶ୍ୱାସୀ ହୋଇଯାଉଛନ୍ତି। ବର୍ତ୍ତମାନର ମହଙ୍ଗା ମାର୍କେଟ୍‌ରେ ଟଙ୍କା ଯେ କେତେ ଦରକାର ତାହା ଆମ ସମସ୍ତଙ୍କୁ ବେଶ୍ ଜଣା। ହେଲେ ରୋଜଗାର ଦୌଡ଼ର ଏହି ବ୍ୟସ୍ତତା ଭିତରେ ବଳି ପଡ଼ିଯାଉଛି ଜୀବନର ପ୍ରତ୍ୟେକଟି ପାହାଚ। ପଛରେ ପଡ଼ିଯାଉଛି ଜିଇଁବାରେ ଅନେକ ମୁହୂର୍ତ୍ତ, ଅନେକ ସ୍ମୃତି। ଯୌବନରୁ ବାର୍ଦ୍ଧକ୍ୟ କେବଳ ଯାହା ଗୋଟେ ଅଣନିଃଶ୍ୱାସୀ ଯାତ୍ରା ହେଇ ରହିଯାଉଛି।

ଏକଥାକୁ ଭଲ ଭାବରେ ବୁଝି ସାରିଥିଲେ କ୍ଲୁଲି(Cluely) ନାମକ ଏଆଇ ଆପ୍ କମ୍ପାନୀର ଚିପ୍ ମାର୍କେଟିଂ ଅଫିସର(ସିଏମ୍ଓ) ପଦରୁ ଇସ୍ତଫା ଦେଇଥିବା ୨୨ ବର୍ଷୀୟ ଡାନିଏଲ୍ ମିନ। କମ୍ପାନୀରେ ତାଙ୍କୁ ୧୨ ଘଣ୍ଟା ପେଶି ହେବାକୁ ପଡ଼ୁଥିଲା। ଅଫିସରୁ ଘର ଆଉ ଘରରୁ ଅଫିସ ଥିଲା ତାଙ୍କ ଜୀବନ। ମାତ୍ର ୨୨ ବର୍ଷ ବୟସରେ ପେଷାଗତ ଜୀବନ, ତାଙ୍କ ଠାରୁ ଛଡ଼ାଇ ନେଉଥିଲା ସେ ସବୁ ମୁହୂର୍ତ୍ତ, ଯାହା ସେ ବାରମ୍ବାର ଝୁରି ହେଉଥିଲେ। ଜୀବନର ଅନେକ ବିଶେଷ ମୁହୂର୍ତ୍ତକୁ ସେ ମିସ୍ କରୁଥିଲେ। ଯେମିତିକି ସାଙ୍ଗମାନଙ୍କ ସହ ମଜାମସ୍ତି କରିବା, ସାନ ଭାଇକୁ ଜନ୍ମଦିନର ଉପହାର ଦେବା, ବଧେଇ ଜଣାଇବା ଓ ପରିବାର ସହ ଭଲ ସମୟ ବିତାଇବା, ଏସବୁ ତାଙ୍କ ପାଇଁ ଯେମିତି ସ୍ୱପ୍ନ ହେଇଯାଇଥିଲା

ମିନ Cluely କମ୍ପାନୀରେ ସିଏମ୍ଓ ଭାବରେ କାମ କରୁଥିଲେ। ତାଙ୍କର ବାର୍ଷିକ ଦରମା ପ୍ୟାକେଜ୍ ଥିଲା ୩୦୦,୦୦୦ ଡଲାର। ଭାରତୀୟ ମୁଦ୍ରାରେ ୨.୭ କୋଟି ଟଙ୍କା। ପ୍ରଥମେ ପ୍ରଥମେ ତ ତାଙ୍କୁ ଚାକିରି କରିବାକୁ ଖୁବ୍ ଭଲ ଲାଗୁଥିଲା। ହେଲେ ସମୟ ଗଡ଼ିବା ସହିତ ସେହି ଚିରାଚରିତ କାମ, ଜୀବନରେ ବ୍ୟସ୍ତତା, କେଉଁଥିରେ ବି ନୂତନତ୍ୱ ନଥିଲା। ଲୋଭନୀୟ ଦରମା ସିନା ତାଙ୍କ ପକେଟ୍ ଗରମ କରୁଥିଲା ହେଲେ ହୃଦୟ ଖାଲି କରି ଦେଉଥିଲା। ଜୀବନକୁ ସେ ଭଲଭାବରେ ବଞ୍ଚିପାରୁ ନଥିଲେ।

୨୨ ବର୍ଷ ବୟସରେ ଯାହାସବୁ ତାଙ୍କର କରିବା ଥିଲା ସେ କରିପାରୁ ନଥିଲେ। ପେଷାଗତ ଜୀବନ ଆଗରେ ଏସବୁ ତାଙ୍କର ଯେମିତି ବନ୍ଧା ପଡ଼ିଯାଇଥିଲା। ତେଣୁ ଚାକିରିର ମାତ୍ର ୮ ମାସ ଭିତରେ ସେ ଇସ୍ତଫା ଦେଇଛନ୍ତି। ଏହାର ପୂରା କାହାଣୀ ସେ ଇନଷ୍ଟାଗ୍ରାମରେ ଭିଡିଓ କରି ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଖବରରେ।

ଜଣେ କଣ୍ଟେଣ୍ଟ କ୍ରିଏଟର୍ ଥିବା ଡାନିଏଲ୍ ମିନ୍ ଭିଡିଓରେ କହିଛନ୍ତି ଯେ ସେ ମେ ୨୦୨୫ ରେ କ୍ଲୁଲିର ସିଏମ୍ଓ ଭାବରେ ଯୋଗ ଦେଇଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା। ଦି ୱାର୍ଟନ୍ ସ୍କୁଲରୁ ମାର୍କେଟିଂ ଏବଂ ଅପରେସନ୍ସ ମ୍ୟାନେଜମେଣ୍ଟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଚାକିରିରେ ଯୋଗ ଦେଇଥିଲେ। ହେଲେ ଚାକିରିର ୪ ମାସ ଭିତରେ ତାଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଯାଇଥିଲା।

ଏ ନେଇ ସେ କହିଛନ୍ତି “ ମୋତେ ଲାଗିଲା ଯେ ଯେତେବେଳେ ଆପଣ ୨୧ ବର୍ଷ ବୟସର ହୋଇଥିବେ, ସେତେବେଳେ ପୂରା ଦିନ କାମ କରିବା, ଦିନକୁ ୧୨ ଘଣ୍ଟା ପେଶି ହେବା କ’ଣ ଠିକ୍? । ଖୁବ୍ ଶୀଘ୍ର ମୋତେ ଲାଗିଲା ଯେ ମୁଁ ମୋ ଜୀବନର ଛୋଟ ଛୋଟ ସ୍ୱାଧୀନତାକୁ ହରାଇ ଦେଉଛି। ଯେମିତିକି ମୋ ବନ୍ଧୁମାନଙ୍କ ସହିତ ଡିନର କରିବା କିମ୍ବା ମୋ ଭାଇକୁ ତା’ ଦ୍ୱାଦଶ ଜନ୍ମଦିନରେ ସର୍ପ୍ରାଇଜ୍ ଦେବା ଇତ୍ୟାଦି।”

ଅଫିସ୍ରେ ସବୁଦିନ ସେହି ଚିରାଚରିତ କାମ କରି କରି ବୋର ହେଇଯାଉଥିଲି। ବେଳେ ବେଳେ କାନ୍ଦୁଥିଲି। ଶେଷରେ, କ୍ଲୁଲିର ସିଇଓ ରୟ ଲି ତାଙ୍କ ଭିତରେ ଥିବା ଅସନ୍ତୋଷକୁ ଲକ୍ଷ୍ୟ କରି ତାଙ୍କ ସମସ୍ୟା ବିଷୟରେ କଥା ହୋଇଥିଲେ। ଆଉ ସବୁ ଅସୁବିଧା ବିଷୟରେ ଜାଣିବାକୁ ଚାହିଁଥିଲେ। ଏବଂ ରୟ ହିଁ ତାଙ୍କୁ ଏ ଦିଗରେ ବହୁତ ସହଯୋଗ କରିଥିଲେ ବୋଲି ମିନ ତାଙ୍କ ଭିଡିଓରେ କହିଛନ୍ତି। ଏବଂ ସେ ରୟଙ୍କ ପ୍ରତି ବହୁତ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଡାନିଏଲ୍ ମିନ ମାତ୍ର ୮ ମାସର ଅଣନିଃଶ୍ୱାସୀ ହୋଇ ଚାକିରି ଛାଡ଼ି ଚାଲି ଆସିଥିଲେ। ମିନଙ୍କର ଏହି ଜୀବନ କାହାଣୀ ବର୍ତ୍ତମାନ ମିଡିଆରେ ଖବର ଭାବେ ପ୍ରକାଶ ପାଉଛି। ଯାହା ଆମେ ଆପଣଙ୍କୁ ଜଣାଇଲୁ।

ମିନଙ୍କ ସହ ଯାହା ଘଟିଲା କେବେ ନା କେବେ ଆପଣଙ୍କ ସହିତ ନିଶ୍ଚୟ ଘଟିଥିବ। ନହେଲେ ଆଗକୁ ଘଟିପାରେ। ଏତେ ବ୍ୟସ୍ତତା ଭିତରେ ବେଳେ ବେଳେ ମନ ବିଦ୍ରୋହ କରି ଉଠେ। ଇଚ୍ଛା ହୁଏ ସବୁକିଛି ଛାଡ଼ି ଅତୀତକୁ ଫେରିଯିବାକୁ। ଟିକେ ରହିଯାଇ ଶାନ୍ତିର ଦମ୍ ନେବାକୁ। ଇଚ୍ଛା ହୁଏ, ଅଫିସରୁ ଘର.. ଆଉ ଘରରୁ ଅଫିସ..ଯନ୍ତ୍ରବନ୍ତ ଚାଲୁଥିବା ଏହି ମେସିନର ଜୀବନକୁ ଟିକେ ବିରାମ ଦେଇ ଆମ ଭିତରେ ଥିବା ମଣିଷପଣିଆକୁ ଟିକେ ହେଜିବାକୁ। ଠିକ୍ ନା ?