୧୬ ବର୍ଷରୁ କମ ବୟସ ପିଲା ବ୍ୟବହାର କରିପାରିବେନି ସୋସିଆଲ୍ ମିଡିଆ, ବ୍ୟାନ ଲଗାଇବାକୁ ଏହି ରାଜ୍ୟର ପ୍ରସ୍ତୁତି

NEWS7
68-corona-mruta-case-in-odisha

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ ସରକାର ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଯୋଜନା କରୁଛନ୍ତି । ରାଜ୍ୟର ଆଇଟି ମନ୍ତ୍ରୀ ନାରା ଲୋକେସ ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିତ ୱାର୍ଲଡ ଇକୋନୋମିକ ଫୋରମରେ ବ୍ଲୁମବର୍ଗ ସହ ଆଲୋଚନାରେ ଏହା କହିଛନ୍ତି । ନାରା ଲୋକେସ ସ୍ପଷ୍ଟ କରିଛନ୍ତି ଯେ କମ ବୟସ ପିଲାଙ୍କୁ ସୋସିଆଲ୍ ମିଡିଆରେ ଉପଲବ୍ଧ ଅନେକ ପ୍ରକାର ସାମଗ୍ରୀକୁ ସଠିକ୍ ଭାବେ ବୁଝିପାରନ୍ତି ନାହିଁ, ଯାହା ସେମାନଙ୍କ ମାନସିକ ଓ ଭାବନାତ୍ମକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ସେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବୟସରୁ କମ ପିଲା ଏପରି ପ୍ଲାଟଫର୍ମରେ ନରହିବା ଦରକାର । ସେମାନେ କେଉଁ ପ୍ରକାରର କଣ୍ଟେଣ୍ଟ ସଂସ୍ପର୍ଶରେ ଆସୁଛନ୍ତି, ତାହା ଜାଣିପାରନ୍ତି ନାହିଁ । ଏପରି ସ୍ଥିତିରେ ଏକ ମଜଭୁତ ଆଇନଗତ ଢାଞ୍ଚାର ଆବଶ୍ୟକତା ଅଟେ ।

ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ସରକାର ଗତ ମାସରେ ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ଟିକଟକ୍, ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ସ୍ନାପଚାଟ୍ ପରି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ଆଇନ ଅନୁସାରେ ପିଲାମାନେ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ କିମ୍ୱା ପୁରୁଣା ଆକାଉଣ୍ଟକୁ ଚଲାଇପାରିବେ ନାହିଁ । ଆନ୍ଧ୍ର ପ୍ରଦେଶ ସରକାର ଏହି ମେଡଲରେ ଅଧ୍ୟୟନ କରୁଛନ୍ତି । ଯଦି ନିଷ୍ପତ୍ତି ଲାଗୁ ହୋଇଯାଏ, ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଆଇନଗତ ପ୍ରତିବନ୍ଧକ ଲାଗୁ କରିବାରେ ଆନ୍ଧ୍ର ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବ ।

ଟିଡିପିର ରାଷ୍ଟ୍ରୀୟ ମୁଖ୍ୟପାତ୍ର ଦୀପକ ରେଡ୍ଡୀ ଏହି ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି, ପୂର୍ବ ସରକାର ସମୟରେ ସୋସିଆଲ୍ ମିଡିଆର ଦୁରୁପଯୋଗ ହେଉଥିଲା ଓ ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ଆପତ୍ତିଜନକ ଓ ଅପମାନଜନକ ଆକ୍ରମଣ କରାଯାଉଥିଲା । ସେ କହିଛନ୍ତି, କମ ବୟସର ପିଲାମାନେ ଭାବନାତ୍ମକ ଭାବେ ପରିପକ୍ୱ ନଥାନ୍ତି ଏବଂ ନକାରାତ୍ମକ କଣ୍ଟେଣ୍ଟକୁ ବୁଝିପାରନ୍ତି ନାହିଁ । ଏଥିପାଇଁ ଆନ୍ଧ୍ର ସରକାର ଦୁନିଆର ବିଭିନ୍ନ ସ୍ଥାନରେ ଚାଲିଥିବା ଆଇନର ଅଧ୍ୟୟନ କରୁଛନ୍ତି, ଖାସକରି ଅଷ୍ଟ୍ରେଲିଆର ଅଣ୍ଡର-୧୬ ସୋସିଆଲ୍ ମିଡିଆ ଆଇନର । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ପଦକ୍ଷେପକୁ ସରକାରୀ ନିରୀକ୍ଷଣ କିମ୍ୱା ସେନସରଶିପ ରୂପେ ନଦେଖାଯିବା ଦରକାର । ତାଙ୍କ କହିବା ଅନୁସାରେ, ଏହାର ଉଦ୍ଦେଶ୍ୟ କେବଳ ପିଲାଙ୍କୁ ବିଷକ୍ତ କଣ୍ଟେଣ୍ଟ, ଅନଲାଇନ୍ ଘୃଣା ଓ ମାନସିକ କ୍ଷତିରୁ ବଞ୍ଚାଇବା ।