ଟି-୨୦ ବିଶ୍ଵକପ୍ ବୟକଟ୍ କରିବ ପାକିସ୍ତାନ ? ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ପିସିବି

NEWS7
66th-national-film-awards-ceremony-on-monday-at-delhi

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬କୁ ଆଉ ୧୬ ଦିନ ବାକି ରହିଲା। ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଖେଳିବ କି ନାହିଁ ତାର ଚିତ୍ର ସ୍ପଷ୍ଟ ହୋଇ ପାରୁନି। ଅନ୍ୟପଟେ ଚର୍ଚ୍ଚା ଜୋର ଧରିଛି ଯେ, ପାକିସ୍ତାନ ବାଂଲାଦେଶ ସମର୍ଥନରେ ଟି-୨୦ ବିଶ୍ଵକପର ବହିଷ୍କାର କରିପାରେ। ଏନଡିଟିଭିର ରିପୋର୍ଟ ମୁତାବକ ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ, ଯଦି ବାଂଲାଦେଶ ପ୍ରସଙ୍ଗର ସମାଧାନ ନ ହୁଏ ତେବେ ତାଙ୍କ ଦଳ ବିଶ୍ଵକପ୍ ଖେଳିବା ନେଇ ପୁନଃବିଚାର କରିପାରେ।

ବାଂଲାଦେଶ ଦାବି କରି ଆସିଛି ଯେ, ଭାରତରେ ଖେଳା ଯିବାକୁ ଥିବା ନିଜର ମ୍ୟାଚ୍ ଶ୍ରୀଲଙ୍କା କିମ୍ବା ପାକିସ୍ତାନ ସ୍ଥାନାନ୍ତର କରାଯାଉ। କିନ୍ତୁ ଆଇସିସି ସ୍ପଷ୍ଟ କରି ଦେଇଛି ଯେ, ଭେନ୍ୟୁ ପରିବର୍ତ୍ତନ ଅସମ୍ଭବ। ତେଣୁ ଏବେ ବାଂଲାଦେଶର ବିଶ୍ଵକପ୍ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ଏହା ମଧ୍ୟରେ ରେଭ ସ୍ପୋର୍ଟ୍ସର ଏକ ରିପୋର୍ଟ ମୁତାବକ, ପାକିସ୍ତାନ ବିଶ୍ଵକପର ବହିଷ୍କାର ଖବରକୁ ଖାରଜ କରିଛି।

ରେଭସ୍ପୋର୍ଟ୍ସର ରିପୋର୍ଟ ମୁତାବକ ପାକିସ୍ତାନ ସ୍ପଷ୍ଟ କରି ଦେଇଛି ଯେ, ଯଦି ବାଂଲାଦେଶ ସୁରକ୍ଷା ଚିନ୍ତା କାରଣରୁ ଭାରତରେ ହେବାକୁ ଥିବା ବିଶ୍ଵକପ୍ ମ୍ୟାଚ୍ ନ ଖେଳେ ତଥାପି ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ବହିଷ୍କାର କରିବ ନାହିଁ। ବହିଷ୍କାର କରିବା ପିସିବିର କଦାପ ଆଭିମୁଖ୍ୟ ନୁହେଁ। ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବାକୁ ମନା କରିବା ପରେ ବିଶ୍ଵକପ୍ ପୂର୍ବରୁ ୨୦୨୫ରେ ସହମତି ହୋଇଥିଲା ଯେ, ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ। ତେଣୁ ପିସିବି ପାଇଁ ବିଶ୍ଵକପରୁ ପଛକୁ ହଟିବାର କୌଣସି ଆଧାର ନାହିଁ।

ଏହା ପୂର୍ବରୁ ପାକିସ୍ତାନୀ ନ୍ୟୁଜ ଆଉଟଲେଟ୍ ଜିଓ ନ୍ୟୁଜ ନିଜର ରିପୋର୍ଟରେ ଦାବି କରିଥିଲା ଯେ, ବାଂଲାଦେଶ ବିଶ୍ଵକପକୁ ନେଇ ପାକିସ୍ତାନ ସହ ଯୋଗାଯୋଗ କରିଛି। ଏଥିରେ ବାଂଲାଦେଶ କୂଟନୈତିକ ଓ କ୍ରିକେଟ୍ ସହ ଜଡ଼ିତ ସମର୍ଥନର ଦାବି କରିଛି। ହେଲେ ପାକିସ୍ତାନ ସ୍ପଷ୍ଟ କରି ଦେଇଛି ଯେ, ତାଙ୍କ ଦଳ ବିଶ୍ଵକପରୁ ଓହରିବାର ପ୍ରଶ୍ନ ଉଠୁନି।

ସୂଚନାଯୋଗ୍ୟ, ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ଏବଂ ବଢୁଥିବା ଅତ୍ୟାଚାରକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ କାହିଁକି ଆଇପିଏଲ୍ରେ ଖେଳିବାକୁ ଅନୁମତି ଦିଆଯାଉଛି ତାକୁ ନେଇ ବିସିସିଆଇ ଓ କେକେଆର ଫ୍ରାଞ୍ଚାଇଜଙ୍କୁ ସମଗ୍ର ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଜନତାଙ୍କ ଭାବାବେଗକୁ ସମ୍ମାନ ଦେଇ ବିସିସିଆଇର ନିର୍ଦ୍ଦେଶରେ କେକେଆର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବହିଷ୍କାର କରିଥିଲା। ବିସିସିଆଇର ଏହି କାର୍ଯ୍ୟାନୁଷ୍ଠାନ ନେଇ କ୍ଷୁବ୍ଦ ହୋଇଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ। ଆଉ ଭାରତରେ ଟି-୨୦ ବିଶ୍ଵକପ୍ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲା।