LIVE TV

ଶେଖ୍ ହସିନାଙ୍କ ପ୍ରତ୍ୟାର୍ପଣ ଦାବିରେ ଭାରତକୁ ବାଂଲାଦେଶର ପତ୍ର, କହିଲା- ଶରଣ ଦେବା ପଡିପାରେ ବିପଦ

NEWS7
6-year-old-child-eat-bomb-as-think-it-is-food

ଢାକା ୧୭।୧୧: ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟ ସୋମବାର ଭାରତକୁ ଔପଚାରିକ ପତ୍ର ଲେଖିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଫେରାର ‘ଅଭିଯୁକ୍ତ’ ଶେଖ ହସିନାଙ୍କୁ ଦେଶକୁ ଫେରାଇ ଦେବାକୁ ଦାବି କରିଛି। ମନ୍ତ୍ରାଳୟ ପତ୍ରରେ ଦୁଇ ଦେଶଙ୍କ ମଧ୍ୟରେ ଥିବା ‘ପ୍ରତ୍ୟାର୍ପଣ ବୁଝାମଣା’ର ଉଦାହରଣ ଦେଇ କହିଛି ଯେ ଭାରତ ଉପରେ ହସିନାଙ୍କୁ ପଠାଇବାର ‘ବାଧ୍ୟତାମୂଳକ’ ଦାୟିତ୍ୱ ରହିଛି। ଏହି ପତ୍ର ସେହି ରାୟ ପରେ ପଠା ଯାଇଛି, ଯେଉଁଥିରେ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି-ବିଡି) ହସିନାଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛି।

ପତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତିମାନଙ୍କୁ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ତାଙ୍କୁ ଅନ୍ୟ କୌଣସି ଦେଶ ଶରଣ ଦେବା ‘ଅମିତ୍ରତାପୂର୍ଣ୍ଣ’ ପଦକ୍ଷେପ ମନେ କରାଯିବ ଓ ଏହା ନ୍ୟାୟର ଅବମାନନା ହେବ। ବାଂଲାଦେଶ ସ୍ପଷ୍ଟ କରିଛି ଯେ ଭାରତ ଯଦି ହସିନାଙ୍କୁ ଶରଣ ଦିଏ ଅଥବା ତାଙ୍କୁ ପଠାଇବାରେ ବିଳମ୍ବ କରେ, ତେବେ ଏହା ଦ୍ୱିପାକ୍ଷୀୟ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

ଆଇସିଟି-ବିଡି ୧୭ ନଭେମ୍ବର ସୋମବାର ରାୟରେ ଶେଖ ହସିନା ଓ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମାଲଙ୍କୁ ଗତବର୍ଷ ହୋଇଥିବା ଛାତ୍ର ଆନ୍ଦୋଳନ କାଳରେ ସରକାରୀ ଦମନ ଲାଗି ଅନେକ ଗୁରୁତର ଅଭିଯୋଗରେ ଦୋଷୀ କରାଯାଇଛି। କୋର୍ଟ ସେମାନଙ୍କୁ ହତ୍ୟା, ଷଡ଼ଯନ୍ତ୍ର ଓ ରାଜ୍ୟ ମେସିନାରୀର ଦୂରୁପଯୋଗ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କରିଛି। ଏହି ଆଧାରରେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଛି।

ହସିନା ଓ ଖାନଙ୍କ ସହିତ ବାଂଲାଦେଶର ପୂର୍ବତନ ପୋଲିସ ମହାନିରୀକ୍ଷକ ଚୈଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ମଧ୍ୟ ମାନବତା ବିରୋଧରେ ଅପରାଧ ଲାଗି ଦୋଷୀ ସାବ୍ୟସ୍ତ କରିଛି। ତେବେ ମାମୁନ ସରକାରୀ ସାକ୍ଷ ହୋଇଥିବା ଯୋଗୁ ତାଙ୍କ ଦଣ୍ଡ କୋହଳ କରା ଯାଇଛି। ହେଲେ ଏବେ ପୁରା ମାମଲା ଏବେ ଏହା ଉପରେ ଅଟକିଛି ଯେ ହସିନାଙ୍କୁ ଏବେ ଶରଣ ଦେବ ନା ପ୍ରତ୍ୟାର୍ପଣ ବୁଝାମଣା ଅନୁସାରେ ତାଙ୍କୁ ବାଂଲାଦେଶ ହାତରେ ସମର୍ପିବ ଏହା ଭାରତ ଉପରେ ନିର୍ଭର କରୁଛି।