ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଖୁବ ଶୀଘ୍ର ‘ଏଆଇ-ଏମଏଲ’ ଲ୍ୟାବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

NEWS7
5year-old-girl-child-raped-in-choudwar

ସମ୍ବଲପୁର: ବର୍ତ୍ତମାନ ସମୟରେ ବିନା ଇନୋଭେସନରେ ଟେକ୍ନୋଲୋଜିର ବିକାଶ ଅସମ୍ଭବ। ଓଡ଼ିଶା ସରକାରଙ୍କ ସହାୟତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଖୁବ ଶୀଘ୍ର ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ଏମଏଲ (ମେସିନ ଲର୍ଣ୍ଣିଂ) ଲ୍ୟାବ ସ୍ଥାପନ କରାଯାଉଛି । ଏହା କେବଳ ଏକ ଭିତ୍ତିଭୂମି ନୁହେଁ, ବରଂ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ (ସୁଇଟ) ଠାରେ ପାଖାପାଖି ୧୭୫ କୋଟି ଟଙ୍କା ବିନିମୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଶ୍ୱବିଦ୍ୟାଳୟର ୫୯ ବର୍ଷ ପୂର୍ତ୍ତି ଅବସରରେ ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପଲବ୍ଧି ଉପରେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଅଧୀନରେ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ(ଏନଆରଏଫ)ର ପରିକଳ୍ପନା କରାଯାଇଛି, ଯେଉଁଥିରେ ଯୋଗ୍ୟତା ଆଧାରରେ ଭାରତ ସରକାର ଗବେଷଣା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଅନୁଦାନ ଦେଉଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏନଆଇଟି ରାଉରକେଲା ସହ ଅନୁବନ୍ଧିତ ହୋଇ ପ୍ରଥମ ଥର ପାଇଁ ୧୩ କୋଟି ଟଙ୍କାର ରିସର୍ଚ୍ଚ ଫଣ୍ଡ ପାଇଛି, ଯାହା ଏକ ବଡ଼ ଉପଲବ୍ଧି । ଏଥିସହ ୧୪ଟି ନୂଆ ପେଟେଣ୍ଟ ମଧ୍ୟ ଆରମ୍ଭ ହେବା ଗୌରବର ବିଷୟ ।

ଏହି ଶିକ୍ଷାନୁଷ୍ଠାନରେ ନୂଆ ପାଠ୍ୟକ୍ରମ ଖୋଲାଯାଇଛି । ସେହିପରି ଏଆଇ ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ଆଜିର ଅତ୍ୟାଧୁନିକ ଜ୍ଞାନର ଆଧାର ହୋଇଛି । ଜଣେ ଇତିହାସ ବା ପଦାର୍ଥ ବିଜ୍ଞାନର ଛାତ୍ର ହୁଅନ୍ତୁ ସମସ୍ତଙ୍କ ପାଇଁ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବାକୁ ଯାଉଛି । ଏଭଳି ସମୟରେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଏଆଇ ଏବଂ ଏମଏଲ ବିଶ୍ୱବିଦ୍ୟାଳୟର ଗାରିମାକୁ ବଢାଇବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଭିମସାର, ଭିସୁଟ, ଆଇଆଇଏମ, ଓଡ଼ିଶା ଓପନ ୟୁନିଭର୍ସିଟି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ରହିଛି। ଏହି ସମସ୍ତ ଅନୁଷ୍ଠାନର ସମନ୍ୱୟରେ ସମ୍ବଲପୁରକୁ ଏକ 'ଜ୍ଞାନ ଆଧାରିତ ଅର୍ଥନୀତି' କେନ୍ଦ୍ରରେ ପରିଣତ କରିବାକୁ ହେବ । କେବଳ ଚାକିରି ପଛରେ ନଗୋଡ଼ାଇ, ନିଜେ ଜଣେ ଜଣେ 'ଓ୍ୱେଲଥ୍ କ୍ରିଏଟର' ବା ଉଦ୍ୟୋଗୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ହେବ । ଏ ଦିଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ସମ୍ବଲପୁରର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ମନେ ପକାଇ ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ୬୦ ବର୍ଷରେ ପଦାର୍ପଣ କରୁଥିବା ବେଳେ ପୁରାତନ ଛାତ୍ର ଓ ବର୍ତ୍ତମାନର ପିଲାମାନଙ୍କ ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କ ସ୍ଥାପନ କରି ଏହାକୁ ଏକ ଇନୋଭେଟିଭ୍ ବିଶ୍ୱବିଦ୍ୟାଳୟ ଭାବେ ଗଢ଼ି ତୋଳିବାକୁ ସେ ସଂକଳ୍ପବଦ୍ଧ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ ପିଏମ-ଉଷା ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅନୁଦାନରେ ନିର୍ମିତ ହେବାକୁ ଥିବା ନିମ୍ନଲିଖିତ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ସେ ଦୁଇଟି ଇନଡୋର୍ ବ୍ୟାଡମିଣ୍ଟନ ଷ୍ଟାଡିୟମର ଲୋକାର୍ପଣ କରିଥିବା ବେଳେ ଅନ୍ୟ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିମଧ୍ୟରେ ସୁଇଟ୍ ପାଇଁ ୪୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ପୃଥକ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଅନ୍ତର୍ଭୁକ୍ତ ।

ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଇନଡୋର୍ ଷ୍ଟାଡିୟମ, ସିନ୍ଥେଟିକ୍ ଆଥଲେଟିକ୍ ଷ୍ଟାଡିୟମ, ଫୁଟବଲ ଓ କ୍ରିକେଟ୍ ଷ୍ଟାଡିୟମ ଆଦି ନିର୍ମାଣ କରାଯିବ । ସେହିପରି ବୈଦୁତିକ ପ୍ରୟୋଗଶାଳା, ନୂତନ ଶିକ୍ଷଣୀୟ ଭବନ, ବହୁମୁଖୀ ଶିକ୍ଷଣ କେନ୍ଦ୍ର. ଉତ୍କର୍ଷ କେନ୍ଦ୍ର, ଇନକ୍ୟୁବେସନ ସେଣ୍ଟର ଅନ୍ୟାନ୍ୟ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।