ସାଂଘାତିକ କେଳେଙ୍କାରୀ, ବିନା ଲାଇସେନ୍ସରେ ରାଜ୍ୟରେ ଚାଲିଛି ମଦ ଦୋକାନ

NEWS7
500-note-bundle-worth-1-5-lakh-rupees-found-from-road-in-bhubaneswar

ଭୁବନେଶ୍ୱର ୦୩।୦୧ : ଅବକାରୀ ବିଭାଗରେ ସାଂଘାତିକ କେଳେଙ୍କାରୀ ସାମନାକୁ ଆସିଛି। ବିନା ଲାଇସେନ୍ସରେ ରାଜ୍ୟରେ ଚାଲିଛି ସରକାରୀ ମଦ ଦୋକାନ। ହେଲେ ସବୁ ଦେଖି ନ ଦେଖିଲା ଭଳି ରହିଛି ଅବକାରୀ ବିଭାଗ । ୨୦୨୫ ମାର୍ଚ୍ଚ ୩୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଠିପି ବନ୍ଦ ଓ ଠିପି ଖୋଲା ଦୋକାନକୁ ଲାଇସେନ୍ସ ଦେଇ ନାହାନ୍ତି । ବେଆଇନ ଭାବେ ସବୁ ଦୋକାନ ଏବେ ବେପାର କରୁଛନ୍ତି ।

ବର୍ତ୍ତମାନ ରାଜ୍ୟ ୧୧୧୩ ଟି ଠିପି ବନ୍ଦ ମଦ ଦୋକାନ (ବିଦେଶୀ), ୬୫୧ ଠିପି ଖୋଲା (ବାର୍, ପବ୍ ଓ ହୋଟେଲ୍) ଓ ୧୭୪ଟି ଦେଶୀ ମଦ ଦୋକାନ ରହିଛି । ନିୟମ କହୁଛି ପ୍ରତି ବର୍ଷ (ଆର୍ଥିକ ବର୍ଷ)ରେ ଏମାନଙ୍କୁ ଲାଇସେନ୍ସ ନବୀକରଣ କରିବାକୁ ପଡେ । ପ୍ରତିବର୍ଷ ଏପ୍ରିଲ୍ ୧ ତାରିଖରେ ଏ ସବୁ ଦୋକାନୀଙ୍କୁ ଲାଇସେନ୍ସ ଦିଆଯାଏ । ନବୀକରଣ ଲାଇସେନ୍ସ ପାଇବାକୁ ହେଲେ ଅବକାରୀ ଥାନାରୁ ଏନ୍ଓସି ଆଣି ବିଭାଗର ପାଖରେ ଆବେଦନ କରିବାକୁ ପଡିଥାଏ । ତା’ପରେ ଯାଇ ଲାଇସେନ୍ସ ମିଳେ । ଯଦି କୌଣସି ଦୋକାନ ମିନିମମ୍ ଗ୍ୟାରେଣ୍ଟେଡ୍ କ୍ୱାଣ୍ଟିଟି (ଏମ୍ଜିକ୍ୟୁ) ପୂରଣ କରିନଥିବେ ତେବେ ସେମାନଙ୍କୁ ଲାଇସେନ୍ସ ମିଳିବ ନାହିଁ । ୨୦୨୫ ମାର୍ଚ୍ଚ ଶେଷରେ ମଦ ଦୋକାନୀମାନେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିଥିଲେ । ହେଲେ ସରକାର କାହାକୁ ଲାଇସେନ୍ସ ଦେଲେନାହିଁ । ସେଥିପାଇଁ ବିଭାଗ ପକ୍ଷରୁ ଏକ ମାସିକିଆ ବିଜ୍ଞାପ୍ତି ଜାରି କରାଯାଇଥିଲା । ଯାହାର ଅବଧି ଥିଲା ୨୦୨୫ ଏପ୍ରିଲ୍ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ । ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହ ବିତିବାକୁ ବସିଲାଣି । ହେଲେ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ଦୋକାନକୁ ନବୀକରଣ ଲାଇସେନ୍ସ ଦିଆଯାଇ ନାହିଁ କି ୨୦୨୫ ଏପ୍ରିଲରେ ମିଳିଥିବା ଅସ୍ଥାୟୀ ଚିଠି କରାଯାଇ ନାହିଁ । ତା’ଛଡ଼ା ଠିପି ବନ୍ଦ ମଦ ଦୋକାନର ଲାଇସେନ୍ସ ଫି’ ମାସକୁ ୨ ଲକ୍ଷ ୬୨ ହଜାର ୭୫୦ ଟଙ୍କା । ଠିପି ଖୋଲା ପାଇଁ ୧ ଲକ୍ଷ ୯୯ ହଜାର ୮୭୫ ଟଙ୍କା । ଏବେ ମାସିକିଆ ଲାଇସେନ୍ସ ଫି ବଢ଼ାଇବାକୁ ସରକାର ଯୋଜନା କରୁଛନ୍ତି । ସେଥିପାଇଁ ଲାଇସେନ୍ସ ନବୀକରଣରେ ବିଳମ୍ବ ହେଉଛି ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଲାଇସେନ୍ସ ନବୀକରଣରେ ବିଳମ୍ବ ହେତୁ ଦୋକାନୀମାନଙ୍କ ମନରେ କିଛି ସନ୍ଦେହ ରହୁଛି । ଏହାର ଫାଇଦା ନେଇ ଦଲାଲ୍ମାନେ ଅଧିକ ସକ୍ରିୟ ହୋଇଯାଇଛନ୍ତି । ଦୋମାନୀମାନଙ୍କୁ ଧମକ ଚମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ସମସ୍ୟାରେ ପଡିବେ ବୋଲି ଧମକ ଚମକ ଦେଉଛନ୍ତି । ଭୟରେ ମଦ ଦୋକାନୀ ଟଙ୍କା ଦେଉଛନ୍ତି । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୨୫-୨୬ ଅବକାରୀ ନୀତି ପ୍ରକାଶ ପାଇନାହିଁ । ସେଥିପାଇଁ କାହାକୁ ଲାଇସେନ୍ସ ଦିଆଯାଇ ନାହିଁ । ପୂର୍ବ ନିୟମ ଅର୍ଥାତ ୨୦୨୪- ୨୫ ଅବକାରୀ ନୀତି ଅନୁସାରେ ରାଜ୍ୟରେ ସବୁ ଦୋକାନ ଚାଲିଛି । ୨୦୨୬-୨୦୨୭ ନୀତି ଆସିବ । ତା ପରେ ଯାଇ ଲାଇସେନ୍ସ ଦିଆଯିବ?