ରାଜ୍ୟସଭା ଚତୁର୍ଥ ଆସନ ପାଇଁ କସରତ ଜୋରଦାର, ଏବେ ବିଜେପିର ମୁଭ୍ ଉପରେ ସମସ୍ତଙ୍କ ନଜର

NEWS7
50-lakhs-of-rupees-stolen-from-former-mla-house

ଭୁବନେଶ୍ଵର: ରାଜ୍ୟସଭା ୪ର୍ଥ ଆସନ କେଁ । ବିଜେଡି ପକ୍ଷରୁ ଡାକ୍ତର ଦତ୍ତେଶ୍ବର ହୋତା ୪ର୍ଥ ପ୍ରାର୍ଥି ବୋଲି ଘୋଷଣା ହେବା ପରେ ଏବେ କଂଗ୍ରେସ ଓ ବିଜେପିର ମୁଭ୍ ଉପରେ ସମସ୍ତଙ୍କ ନଜର । ଯେହେତୁ କଂଗ୍ରେସ ଦତ୍ତେଶ୍ବରଙ୍କ ନାଁ ଉଠାଉଥିଲା ଏବେ ସେ ଆଉ କାହାକୁ ଠିଆ କରିବ କି ନାହିଁ ସେନେଇ ସ୍ଫଷ୍ଟ ସୂଚନା ଆସିନି। ଏତିକି ବେଳେ ବିଜେପି ୪ର୍ଥ ଆସନରେ ପ୍ରାର୍ଥି ଦେବ ବୋଲି ସଂଙ୍କେତ ମିଳିଲାଣି । ଏଥିରୁ ସ୍ପଷ୍ଟ ଯେ ୪ର୍ଥ ଆସନ ପାଇଁ ରାଜ୍ୟ ରାଜନୀତିରେ ଆଗକୁ ଘମାସାନ ହେବାକୁ ଯାଉଛି ।

ରାଜ୍ୟସଭା ଚତୁର୍ଥ ଆସନ ପାଇଁ କସରତ ଜୋରଦାର | ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୪ର୍ଥ ପ୍ରାର୍ଥି ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିବା ପରେ ଏବେ ସବୁ ଗଣିତ ଏପଟସେପଟ ହେବାକୁ ଯାଉଛି । ଯେହେତୁ ଦତ୍ତେଶ୍ବରଙ୍କୁ କମନ୍ କ୍ୟାଣ୍ଡିଡେଟ ବୋଲି ନବୀନ ଘୋଷଣା କରିଛନ୍ତି ସେଥିପାଇଁ ବିଜେପି ଓ କଂଗ୍ରେସର ସମର୍ଥନ ତାଙ୍କୁ ମିଳିବ ନା ନାହିଁ ସେନେଇ ପ୍ରଶ୍ନ ଉଠୁଛି । କାରଣ ନବୀନ ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ ବୋଲି କହିଲେ ସୁଦ୍ଧା ସେ ଅଫିସିଆଲି ବିଜେଡି ପ୍ରାର୍ଥି । ତେଣୁ ବିଜେଡି ପ୍ରାର୍ଥିଙ୍କୁ କଂଗ୍ରେସ ସମର୍ଥନ ଦେବ ତ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ ।

ଯଦି କଂଗ୍ରେସ ସମର୍ଥନ ଦିଏ ତାହାଲେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ଆରମ୍ଭ ବୋଲି କହିବାକୁ ପଡିବ । ପିସିସି ସଭାପତି ଭକ୍ତ ଦାସଙ୍କ ସଂଙ୍କେତ ଯେ କଂଗ୍ରେସ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ କରିବ । ଏମିତିକି ଏନେଇ ସେ ନବୀନଙ୍କ ସହ କଥା ହୋଇଥିବା ନେଇ ବି ଦାବି କରୁଛନ୍ତି । ତେଣୁ କଂଗ୍ରେସ ଯଦି ବିଜେଡି ପ୍ରାର୍ଥିଙ୍କୁ ସମର୍ଥନ ଦିଏ ତାହାଲେ ଯେଉଁ ଅଣ କଂଗ୍ରେସ ରାଜନୀତିରୁ ବିଜେଡିର ଜନ୍ମ ତାହା ଏବେ ପାଣିଚିଆ ହେବ । ସେପଟେ ବିଜେଡି ପ୍ରାର୍ଥିଙ୍କୁ ବିଜେପି ବି ସମର୍ଥନ ଦେବ ବୋଲି ବିଜେଡି ନେତାଙ୍କ ଆଶା । ବିଜେଡିର ଯୁକ୍ତି ରାଷ୍ଟ୍ରପତି ନିର୍ବାଚନରୁ ଅଶ୍ବିନୀ ବୈଷ୍ଣବଙ୍କ ଯାଏ ବିଜେପିକୁ ସମର୍ଥନ କରିଥିଲା। ତେଣୁ ଏବେ ବିଜେପିର ପାଳି ।

ସେପଟେ ଚତୁର୍ଥ ଆସନକୁ ଅକ୍ତିଆର କରିବା ନେଇ ବିଜେପି ବାରମ୍ବାର ଦୃଢୋକ୍ତି ପ୍ରକାଶ କରୁଛି । ଅର୍ଥାତ ୪ ର୍ଥ ଆସନ ପାଇଁ ବିଜେପି ପ୍ରାର୍ଥି ଦେବ ବୋଲି କୁହାଯାଉଛି । ଯଦି ଏହାହୁଏ ତାହେଲେ ସଂଖ୍ୟା କେଉଁଠୁ ଆସିବ ସେନେଇ ବି ପ୍ରଶ୍ନ ଉଠିବା ସ୍ବାଭାବିକ । ସଂଖ୍ୟା ଗଣିତ ଅନୁଯାଇ ବିଜେପି ୨ଟି ସିଟ ଜିତିବା ପରେ ଆଉ ୨୨ ସଂଖ୍ୟା ରହୁଛି ବିଜେପି ପାଖରେ । ବିଜେଡିରୁ ନିଲମ୍ବିତ ହୋଇଥିବା ସନା ମହାକୁଢ ଏବଂ ଅରବିନ୍ଦ ମହାପାତ୍ର ବିଜେପିକୁ ସମର୍ଥନ କରିବା ସମ୍ଭାବନା ଥିବାରୁ ୪ର୍ଥ ପ୍ରାର୍ଥି ପାଇଂ ବିଜେପିକୁ ଆଉ ମାତ୍ର ୬ ସଂଖ୍ୟା ଆବଶ୍ୟକ ପଡୁଛି ।

ତେଣୁ କଂଗ୍ରେସ ଓ ବିଜେଡିରୁ କ୍ରସ ଭୋଟିଂ କରାଇ ୪ ର୍ଥ ଆସନ ଜିତିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଅର୍ଥାତ ୪ର୍ଥ ସିଟ୍ ପାଇଂ ଅଙ୍କ ରୋଚକ ହେବ ବୋଲି ଆକଳନ କରାଯାଉଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ଆଉ ବିଜେପି ନିଜନିଜର ରଣନୀତିରେ ଅଛନ୍ତି । ତେଣୁ ୪ର୍ଥ ପ୍ରାର୍ଥି ପାଇଁ ଦଳ ସ୍ବତନ୍ତ୍ର ରଣନୀତି ଆପଣାଇବ।

ଏବେ ୪ର୍ଥ ଆସନ ପାଇଁ ବିଜେପି କାହାକୁ ପ୍ରାର୍ଥି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦତ୍ତେଶ୍ବର ହୋତାଙ୍କ ନାଁ କଂଗ୍ରେସ ପ୍ରଥମେ ସାମ୍ନାକୁ ଆଣିଥିବାରୁ ଦଳ ଆଉ କାହାକୁ ପ୍ରାର୍ଥି କରିବ କି ନାହିଁ ତାକୁ ମଧ୍ୟ ଦେଖିବାକୁ ପଡିବ । ମୋଟାମୋଟି ଭାବେ ୪ର୍ଥ ଆସନ ପାଇଁ ଶେଷ ପର୍ଯ୍ୟନ୍ତ ଛକାପଞ୍ଛା ଲାଗି ରହିବା ଜଳଜଳ ଦିଶୁଛି ।