LIVE TV

ସୋମବାର ନିର୍ବାଚନ କମିଶନ କରିପାରନ୍ତି ବଡ଼ ଘୋଷଣା: ଦେଶବ୍ୟାପୀ ଏସଆଇଆର୍ ନେଇ ଧାର୍ଯ୍ୟ ହେବ କାର୍ଯ୍ୟସୂଚୀ !

NEWS7
5-year-girl-died-for-hunger-in-jharkhand

ନୂଆଦିଲ୍ଲୀ: ଏବେ ବିଭିନ୍ନ ରାଜ୍ୟରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ(ଏସଆଇଆର୍)। ଏନେଇ ନିର୍ବାଚନ କମିଶନ (EC) ଅକ୍ଟୋବର ୨୭ ତାରିଖ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି। ଏନେଇ ରବିବାର ନିର୍ବାଚନ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିପାଇଁ ଇଲେକ୍ସନ କମିଶନଙ୍କ ପକ୍ଷରୁ ଅପରାହ୍ନ ୪.୧୫ରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯିବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହାର ନେତୃତ୍ୱ ନେଇପାରନ୍ତି ବୋଲି ସୂଚନା ମିଳିଛି।

ତେବେ ସାମ୍ବାଦିକ ସମ୍ମିଳନୀ ପାଇଁ ଗଣମାଧ୍ୟମକୁ ମିଳିଥିବା ନିମନ୍ତ୍ରଣ ପତ୍ରରେ କେଉଁ ବିଷୟରେ ସୂଚନା ଦିଆଯିବ ସେନେଇ କୌଣସି କଥା ଉଲ୍ଲେଖ ନାହିଁ। ତେବେ ଖବର ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟରେ ନିର୍ବାଚନ ଅଧିକାରୀମାନେ କହିଛନ୍ତି ଯେ ଏହି ସାମ୍ବାଦିକ ସମ୍ମିଳନୀ ଏସଆଇଆର୍ କାର୍ଯ୍ୟସୂଚୀ ବିଷୟରେ ହେବ।
ତେବେ ଏସ୍ଆଇଆର ପାଇଁ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନଥିଲେ ମଧ୍ୟ, ଆସନ୍ତାକାଲି ଏହାର ପ୍ରଥମ ପର୍ଯ୍ୟାୟ ପ୍ରକାଶ କରାଯାଇପାରେ ବୋଲି କୁହାଯାଉଛି। ଏଥିରେ ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମେତ ୧୦ ରୁ ୧୫ ରାଜ୍ୟକୁ କଭର କରାଯିବ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀ ହେଉଛି ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ତେଣୁ ଏଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଏସ୍‌ଆଇଆର୍‌ କରାଯାଇପାରେ।

ଏସଆଇଆର୍ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ଚୂଡ଼ାନ୍ତ କରିବାକୁ ପୂର୍ବରୁ ନିର୍ବାଚନ ସଂସ୍ଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (CEO) ସହିତ ଦୁଇଟି ସମ୍ମିଳନୀ କରିସାରିଛି। ସେହି ଅନୁସାରେ ଯୋଜନା ମଧ୍ୟ ହେଉଛି। ସୂଚନା ଥାଉକି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ହେଉଛି ଜନ୍ମସ୍ଥାନ ଯାଞ୍ଚ କରି ଅବୈଧ ବିଦେଶୀ ପ୍ରବାସୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଦେଶରୁ ହଟାଇବା।