ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଝଟକା, ଅଭିନୟ ଉପରେ ରୋକ୍ ଲଗାଇଲେ ଭୁବନେଶ୍ଵର ସିଭିଲ୍ କୋର୍ଟ

NEWS7
5-cities-in-the-india-who-are-at-the-forefront-of-technology

ଭୁବନେଶ୍ଵର: ବେଶ ଜାକଜମକ, ଡିଜେ ସାଉଣ୍ଡ ବଜାଇ, ପ୍ରଶଂସକ ଓ ଯାତ୍ରା ପ୍ରେମୀଙ୍କ ଗହଣରେ ବର୍ଷେ ପରେ ମଞ୍ଚକୁ ଚଢିଥିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ନାଟକ ‘ତୁ ମୋ ବଜରଙ୍ଗି’ ଜରିଆରେ ଯାତ୍ରା ମଞ୍ଚରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଲୋକପ୍ରିୟ ଅଭିନେତା ପୀୟୂଷ। ହେଲେ ମଞ୍ଚକୁ ଚଢିବାର କେଇ ଘଣ୍ଟା ନ ଯାଉଣୁ ପୀୟୂଷଙ୍କୁ ଲାଗିଛି ବଡ଼ ଝଟକା। ଏବେ ଯାତ୍ରା ମଞ୍ଚରେ ଅଭିନୟ କରି ପାରିବେନି ପୀୟୂଷ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ।

ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଶୁଣାଣି କରିଛନ୍ତି କୋର୍ଟ। ଆଉ ପୀୟୂଷଙ୍କୁ ମଞ୍ଚରେ ଅଭିନୟ କରିବା ଉପରେ ରୋକ୍ ଲଗାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଯାଏ ମଞ୍ଚରେ ଅଭିନୟ ବାରଣ କରାଯାଇଛି। ଯାତ୍ରା ସିଂହବାହିନୀରେ ଅଭିନୟ କରିଥିଲେ ପୀୟୂଷ। କୋର୍ଟଙ୍କ ଏହି ନିଷ୍ପତ୍ତି ପୀୟୂଷଙ୍କ ସହିତ ଯାତ୍ରା ସିଂହବାହିନୀ ମାଲିକ ସହ ଯାତ୍ରା ପ୍ରେମୀଙ୍କୁ ନିରାଶ କରିଛି। ତେବେ କୋର୍ଟଙ୍କ ରାୟ ଉପରେ ପୀୟୂଷ କିମ୍ବା ସିଂହବାହିନୀ ପ୍ରଯୋଜକଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇନି।

ସୂଚନାଯୋଗ୍ୟ, ଚୁକ୍ତି ଓ ଟଙ୍କାକୁ ନେଇ ଯାତ୍ରା ବିବାଦ ପରେ ଦୀର୍ଘ ଦିନ ପରେ ଅଭିନେତା ପୀୟୂଷ ତ୍ରିପାଠୀ ଙ୍କୁ ଦେଖିବାକୁ ମିଳିଥିଲା ଯାତ୍ରା ମଞ୍ଚରେ। ଚଣ୍ଡିଖୋଲ ସିଣ୍ଡିକେଟ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ ନୂତନ ନାଟକ ତୁ ମୋ ବଜରଙ୍ଗି ନାଟକରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି। ପୀୟୂଷ ତ୍ରିପାଠୀଙ୍କୁ ଚଣ୍ଡିଖୋଲ ଛକ ରେ କମିଟି ପକ୍ଷରୁ ସ୍ବାଗତ କରାଯାଇ ଥିଲା। ସେଠାରୁ ଏକ ରାଳି ଶୋଭାଯାତ୍ରାରେ ଯାତ୍ରା ମଞ୍ଚ ପାଖକୁ ଯାଇ ଥିଲେ ପୀୟୂଷ ତ୍ରିପାଠୀ।

ପୀୟୂଷ ତ୍ରିପାଠୀଙ୍କ ଅଭିନୟ ଦେଖିବା ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକ ଭିତରେ ଯାତ୍ରା ମଞ୍ଚ ରେ ନିଜ ଅଭିନୟ ଦେଖାଇ ଦର୍ଶକ ଙ୍କ ମନ ଜିଣି ଥିଲେ ପୀୟୂଷ। ପୂର୍ବ ଭଳି ଦର୍ଶକ ମାନେ ଯେଉଁ ଭଳି ଭଲପାଇବା ଦେଇଛନ୍ତି ନୂଆ ନାଟକ ରେ ମଧ୍ୟ ଦର୍ଶକ ଙ୍କ ସେହିଭଳି ଭଲପାଇବା ମିଳିବ ବୋଲି ଆଶାବାଦୀ ଥିଲେ ସିଂହବାହିନୀର ସର୍ବେସର୍ବା। ହେଲେ ଭୁବନେଶ୍ଵର ସିଭିଲ୍ ଜଜ୍‌ଙ୍କ ରାୟ ସବୁ ଓଲଟ ପାଲଟ କରି ଦେଇଛି।