'ପଲିମାର୍କେଟ'ରେ ଆମେରିକା-ଇରାନ ଯୁଦ୍ଧ ନେଇ ବେଟିଂରେ ନିୟୁତ ନିୟୁତ ଡଲାର, ହେଲା ବିପୁଳ ଲାଭ, କିନ୍ତୁ ଅଧାରୁ ବେଶି ନେଇଗଲେ ଜଣେ ୟୁଜର, ଅନ୍ୟ ଅଂଶଗ୍ରହଣକାରୀ କହିଲେ ବ୍ୟାନ୍ କର

NEWS7
49-new-corona-positive-in-bhubaneswar

ତେହରାନ, ୦୨ /୦୩: ଚାଲିଛି ଯୁଦ୍ଧ । ମଧ୍ୟପ୍ରାଚ୍ୟ ଅସ୍ଥିର । ଇରାନ ଉପରେ ଚାରିଆଡୁ ଆକ୍ରମଣ । ୮ରୁ ଅଧିକ ଦେଶ ଉପରେ ଇରାନର ପାଲଟା ଆକ୍ରମଣ । ଶହଶହ ସୈନ୍ୟ ମଲେଣି । କିନ୍ତୁ ଏପରି ସ୍ଥିତିରେ ଜଣେ ଜୁଆଡି ୬୦୦ ମିଲିୟନ ଡଲାର ବା ସାଢେ ୪ କୋଟି ଟଙ୍କା ଆୟ କରିଛନ୍ତି । ଇରାନ ଏବଂ ଆମେରିକା ଯୁଦ୍ଧ ନେଇ ସଠିକ ଭବିଷ୍ୟବାଣୀ ଏବଂ ବେଟିଂ କରି ସେ ଏତେ ଟଙ୍କା ହାତେଇଛନ୍ତି ।

ରିପୋର୍ଟ ଅନୁସାରେ, ପଲିମାର୍କେଟରେ ମାଗାମିମ୍ୟାନ୍ ନାମକ ଜଣେ ୟୁଜର ଅନେକ ସମୟରେ ଦେଶ ବିଦେଶର ଅନେକ ସମ୍ଭାବ୍ୟ ଘଟଣା ନେଇ ବେଟ୍ ଲଗାନ୍ତି । ଗତ ୩୦ ଦିନ ମଧ୍ୟରେ ସେ ଏପରି ଅନେକ ବେଟ୍ ଲଗାଇଥିଲେ । ଯେଉଁଥିରୁ ସେ ୬୩୭୦୦୦ ଡଲାର ଆୟ କରିପାରିଛନ୍ତି । ଶନିବାର ତାଙ୍କ ଲାଭରେ ୮୨.୭୩ ପ୍ରତିଶତ ବୃଦ୍ଧି ଘଟିଛି । ଫେବ୍ରୁଆରୀ ୨୮ରେ ଆମେରିକା ଇରାନ ଉପରେ ଆକ୍ରମଣ କରିବ ବୋଲି ସେ ବାଜି ଲଗାଇଥିଲେ । ଯାହା ବାସ୍ତବତାର ରୂପ ନେଇଛି ।

ପଲିମାର୍କେଟ୍ ହେଉଛି ନ୍ୟୁୟର୍କରେ ଥିବା ଏକ ଜୁଆ ବଜାର । ଏଠାରେ ଦେଶ ତଥା ବିଶ୍ୱର ଅନେକ ଘଟଣା ବାବଦରେ ପୂର୍ବାନୁମାନ କରାଯାଇ ବେଟିଂ ଲଗାଯାଏ । ସମସ୍ତ ଅର୍ଥ କ୍ରିପ୍ଟୋ ମାଧ୍ୟମରେ କାରବାର ହୋଇଥାଏ ।

ତେବେ ମାଗାମିମ୍ୟାନ୍ ଏତେ ଟଙ୍କା ଜିତିବା ପରେ ତାଙ୍କୁ ସମାଲୋଚନା କରାଯାଉଛି । ଯୁଦ୍ଧ ସମୟରେ ସେ ଏତେ ଟଙ୍କା ରୋଜଗାର କରୁଥିବାରୁ ଅନେକ ଲୋକ ପ୍ରଶ୍ନ ଉଠାଉଛନ୍ତି । ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା କୌଣସି ବାଜି ବା ଅନଲାଇନ୍ ଜୁଆ ଖେଳ ଉପରେ କଟକଣା ଲଗାଇବାକୁ ପଲିମାର୍କେଟ ନିକଟରେ ଅନେକ ଦାବି କରିଛନ୍ତି । ଏହା ନୂଆ ନୁହେଁ ଡୋନାଲ୍ଡ ଟ୍ରମ୍ପଙ୍କ ଭେନେଜୁଏଲା ଦଖଲ ସମୟରେ ମଧ୍ୟ ଜଣେ ବ୍ୟକ୍ତି ୧୨୮ ମିଲିୟନ ଡଲାରର ବେଟିଂ ଜିତିଯାଇଥିଲେ ।

ଫେବ୍ରୁଆରୀ ୨୮ରେ ଯେଉଁ ୟୁଜର କୋଟି କୋଟି ଟଙ୍କା ଜିତିଛନ୍ତି ସେ ପୂର୍ବରୁ ଅନେକ ଥର ମଧ୍ୟପ୍ରାଚ୍ୟ ବାବଦରେ ସଠିକ ଅନୁମାନ ଲଗାଇଛନ୍ତି । ଇସ୍ରାଏଲ କେତେବେଳେ ଆକ୍ରମଣ କରିବ ତାହାର ପୂର୍ବାନୁମାନ କରିବାରେ ବ୍ୟକ୍ତିଜଣଙ୍କ ସକ୍ଷମ ହୋଇଥିଲେ । ଏହି ସବୁ ଅନୁମାନ ଲଗାଇ ସେ ଭଲ ଆୟ କରୁଛନ୍ତି । ସୋସିଆଲ ମିଡିଆରେ କିଛି ୟୁଜର ମାଗାମିମ୍ୟାନଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ତାଙ୍କ ସମର୍ଥନରେ ବାହାରିଛନ୍ତି । ଆମେରିକା ଆକ୍ରମଣ କରିବ ବୋଲି ଆଗରୁ ଜଣା ଥିଲା । ଏଥିରେ ମାଗାମିମ୍ୟାନଙ୍କର କିଛି ଭୂମିକା ନଥିବା ନେଇ ଅନ୍ୟ କିଛି ନେଟିଜେନ୍ସ ଯୁକ୍ତି ବାଢିଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମାଗାମିମ୍ୟାନଙ୍କ ପାଖରେ ଇନସାଇଡର୍ ଟ୍ରେଡିଂ ବାବଦରେ ତଥ୍ୟ ଥିବା ନେଇ ପ୍ରମାଣ ନାହିଁ । ତେବେ ତାଙ୍କ ଭାଗ୍ୟ ବହୁତ ଭଲ ଏବଂ ସଠିକ ସମୟରେ ସେ ବେଟ୍ ଲଗାଇଥିବା କୁହାଯାଉଛି । ଅନ୍ୟ ଦିଗରେ ଏପରି ବେଟିଂ ବା ଜୁଆ ଖେଳକୁ ବେଆଇନ୍ ଘୋଷଣା କରିବାକୁ ଟଙ୍କା ହାରିଥିବା ୟୁଜରମାନେ ଦାବି କରିଛନ୍ତି ।