delhi missing people 2026: ଦିଲ୍ଲୀରେ ଜୀବନ ଦୁର୍ବିସହ ହେଲାଣି: ମାତ୍ର ୧୫ ଦିନରେ ଗାଏବ ହେଲେଣି ୮୦୦ରୁ ଅଧିକ, ୫୦୯ ମହିଳା ନିଖୋଜ

NEWS7
4237-new-corona-cases-in-odisha

ନୂଆଦିଲ୍ଲୀ: ବଡ଼ ଭୟଙ୍କର ହେଲାଣି ରାଜଧାନୀ ଦିଲ୍ଲୀ। ଗାଏବ ହେଇଯାଉଛନ୍ତି ମହିଳା, ଓ ନାବାଳିକା। ଗତ ୧୫ ଦିନରେ ଗାୟବ ହେଲେଣି ୮୦୭ ଜଣ। ନୂଆ ବର୍ଷ ଆରମ୍ଭ ନ ହେଉଣୁ ସୁରକ୍ଷା ବ୍ୟବସ୍ଥା ଦେଖି ପ୍ରମାଦ ଗଣିଲେଣି ରାଜଧାନୀବାସୀ। ଦିଲ୍ଲୀ ପୁଲିସ ପକ୍ଷରୁ ମିଳିଥିବା ଏହି ସାଂଘାତିକ ତଥ୍ୟ ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି।

୨୦୨୬ ର ପ୍ରଥମ ୧୫ ଦିନରେ ଦିଲ୍ଲୀରେ ୮୦୦ ରୁ ଅଧିକ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ଜାନୁଆରୀ ୧ ରୁ ୧୫ ମଧ୍ୟରେ, ମୋଟ ୮୦୭ ଜଣ ନିଖୋଜ ହୋଇଛନ୍ତି। ଏହାକୁ ଯଦି ଆମେ ଦିନକରେ ହିସାବ କରିବା ତେବେ ପ୍ରତିଦିନ ପାଖାପାଖି ୫୪ ଜଣ ନିଖୋଜ ହୋଇଛନ୍ତି। ଏହି ନିଖୋଜମାନଙ୍କ ମଧ୍ୟରୁ ୫୦୯ ଜଣ ମହିଳା ଏବଂ ଝିଅ ଏବଂ ୨୯୮ ଜଣ ପୁରୁଷ ଅଛନ୍ତି। ଏହି ସମୟ ମଧ୍ୟରେ ପାଖାପାଖି ୧୩ ଜଣ ଶିଶୁ ମଧ୍ୟ ଦୈନିକ ନିଖୋଜ ହୋଇଥିବା ପୁଲିସ ତଥ୍ୟ କହିଛି।

ଦିଲ୍ଲୀ ପୋଲିସ ତଥ୍ୟ ଦର୍ଶାଉଛି ଯେ ମୋଟ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୯୧ ଟି ନାବାଳକ, ୧୪୬ ଟି ଝିଅ ଏବଂ ୬୧୬ ଜଣ ପ୍ରାପ୍ତବୟସ୍କ ଅଛନ୍ତି। ତେବେ ନିଖୋଦ ମଧ୍ୟରୁ ମାତ୍ର ୨୩୫ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୭୨ ଜଣଙ୍କ ପତ୍ତା ମିଳୁ ନାହିଁ।

ପିଟିଆଇ ରିପୋର୍ଟରେ କୁହାଯାଇଛି ଯେ ନିଖୋଜ ପିଲାମାନଙ୍କ ମଧ୍ୟରେ ପୋଲିସ ୨୯ ଜଣ ଝିଅ ଏବଂ ୧୯ ଜଣ ପୁଅଙ୍କୁ ଖୋଜିବାରେ ସଫଳ ହୋଇଛି, କିନ୍ତୁ ପ୍ରାୟ ୭୧ ପ୍ରତିଶତ କିଶୋରଙ୍କର(୧୨୧) ଏପର୍ଯ୍ୟନ୍ତ ପତ୍ତା ମିଳି ନାହିଁ।

୮ ରୁ ୧୨ ବର୍ଷ ବୟସ ବର୍ଗରେ ୧୩ ଜଣ ପିଲା ନିଖୋଜ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଜଣ ପୁଅ ଏବଂ ୫ ଜଣ ଝିଅ ଅଛନ୍ତି। ସେଥିମଧ୍ୟରୁ ପୁଲିସ କେବଳ ତିନି ଜଣ ପୁଅକୁ ଖୋଜି ପାଇବାରେ ସଫଳ ହୋଇଛି।

ଆଠ ବର୍ଷରୁ କମ୍ ବର୍ଗରେ, ମୋଟ ୯ ଜଣ ପିଲା ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ସେଥିମଧ୍ୟରୁ ତିନି ଜଣ ପୁଅଙ୍କୁ ଖୋଜାଯାଇ ସାରିଥିବା ବେଳେ ୬ ଜଣ ପିଲାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳି ନାହିଁ।

ତେବେ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ବୟସ୍କମାନଙ୍କର ସଂଖ୍ୟା ସର୍ବାଧିକ ରହିଛି। ଜାନୁଆରୀ ମାସର ପ୍ରଥମାର୍ଦ୍ଧରେ, ୬୧୬ ବୟସ୍କ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା। ଯେଉଁଥିରେ ୩୬୩ ଜଣ ମହିଳା ଏବଂ ୨୫୩ ଜଣ ପୁରୁଷ ଥିଲେ। ପୋଲିସ ୯୦ ପୁରୁଷ ଏବଂ ୯୧ ମହିଳାଙ୍କୁ ଖୋଜିବାରେ ସଫଳ ହୋଇଥିଲେ ବି ୪୩୫ ଜଣଙ୍କୁ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି।

ରାଜଧାନୀ ଦିଲ୍ଲୀ ଆଉ ସୁରକ୍ଷିତ ହୋଇ ନାହିଁ। କେବଳ ଯେ ୨୦୨୬ରେ ଏଭଳି ସ୍ଥିତି ଉପୁଜିଛି ତାହା ନୁହେଁ, ଗତବର୍ଷ ମଧ୍ୟ ସାଂଘାତିକ ସ୍ଥିତି ଥିଲା। ୨୦୨୫ରେ ଦିଲ୍ଲୀରେ ମୋଟ ୨୪,୫୦୮ ଜଣ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା, ଯେଉଁଥିରେ ୬୦ ପ୍ରତିଶତରୁ ଅଧିକ ଅର୍ଥାତ୍ ୧୪,୮୭୦ ଜଣ ମହିଳା ଓ ୯,୬୩୮ ପୁରୁଷ ଥିଲେ। ହେଲେ ପୋଲିସ ୧୫,୪୨୧ ଜଣଙ୍କୁ ଖୋଜି ପାଇପାରିଥିଲା, କିନ୍ତୁ ୯୦୮୭ ମାମଲା ସମାଧାନ ହୋଇ ନାହିଁ ବୋଲି ତଥ୍ୟ ପ୍ରକାଶ କରିଛି।

ଏକ ଦଶନ୍ଧିର ରିପୋର୍ଟ (୨୦୧୬-୨୦୨୬) ବିଚାରକୁ ନେଲେ ପ୍ରତିବର୍ଷ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାର ଚିନ୍ତାଜନକ ଧାରା ଜାରି ରହିଛି। ଗତ ଦଶନ୍ଧି ମଧ୍ୟରେ, ଦିଲ୍ଲୀରେ ୨,୩୨,୭୩୭ ଜଣ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା, ପ୍ରାୟ ୧.୮ ଲକ୍ଷ ବ୍ୟକ୍ତିଙ୍କୁ ଖୋଜାଖୋଜି ଉଦ୍ଧାର କରାଯାଇଥିଲା। ତେବେ ଦିଲ୍ଲୀ ପୋଲିସ ରେକର୍ଡ ଅନୁଯାୟୀ ପ୍ରାୟ ୫୨,୦୦୦ ଲୋକ ଏବେ ବି ନିଖୋଜ ଅଛନ୍ତି।

ଏ ସ୍ଥିତି ଦେଶର କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ବରଂ ସବୁଠାରୁ ସୁରକ୍ଷିତ ସ୍ଥାନ, ସୁରକ୍ଷାବଳୟ ଭିତରେ ରହୁଥିବା ରାଜଧାନୀ ଦିଲ୍ଲୀ। ଯେଉଁଠି ଚାଲେ ଭାରତର ସରକାରୀ ଶାସନ। ହେଲେ ସେଠି ଲୋକେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ୫୦ରୁ ଅଧିକ ଲୋକ ନିଖୋଜ ହେଉଛନ୍ତି।

ଏଠି କହିବ କାହାକୁ ଶୁଣିବ କିଏ ? ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିବେ, ପୁଣି ସରକାର ବିରୋଧୀଙ୍କୁ ଇତିହାସ ଖେଳାଇବେ। ଏମିତି ଗୋହୀ ଖୋଳାଖୋଳିରେ ଜନତା ଯେଉଁ ଭକୁଆକୁ ସେଇ ଭକୁଆ ହେଇ ରହିଯିବ। ଦେଶ ପାଇଁ ଯେମିତି କାହାର କିଛି ଉତ୍ତରଦାୟିତ୍ୱ ନାହିଁ। ଖାଲି ଭୋଟ ଆସିଲେ ଉତ୍ତରଦାୟୀତ୍ୱ କଥା ମନେ ପଡ଼େ ଜିତିଯିବା ପରେ ନା ଉତ୍ତର ଦିଆଯାଏ ନା ଦାୟିତ୍ୱ ରହେ। ଟେକ୍ନୋଲୋଜୀ ବଢ଼ିବା ସହ ଅପରାଧରେ କିନ୍ତୁ କୌଣସି ହ୍ରାସ ହେଉ ନାହିଁ। ବରଂ ଟେକ୍ନୋଲୋଜୀ ନଥିବା ବେଳେ ଯେତିକି ଅପରାଧ ଘଟୁ ନଥିଲା, ଏବେ ଅଧିକ ଘଟୁଛି।