#LPG_Crisis : ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ରେଡ୍ କରି ଜବତ କଲା ପ୍ରଶାସନ

NEWS7
4208-new-corona-cases-in-odisha

ଲକ୍ଷ୍ନୌ, ୧୩ /୦୩: ମିଳୁନି ସିଲିଣ୍ଡର । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସରକାର କହୁଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ରହିଛି ଗ୍ୟାସ୍ ସିଲିଣ୍ଡର । କିନ୍ତୁ ହିନସ୍ତା ହେଉଛନ୍ତି ଖାଉଟି । କିଛି ଅସାଧୁ ବ୍ୟବସାୟୀ ଗ୍ୟାସର କଳାବଜାରୀ କରୁଛନ୍ତି । ଏପରିକି ବେଆଇନ ଭାବେ ଗଚ୍ଛିତ ରଖୁଛନ୍ତି । ତେବେ ଏହି ସମସ୍ୟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଘରୁ ୫୫ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ହାପୁରରେ ପ୍ରଶାସନ ସିଲିଣ୍ଡର କଳାବଜାରୀ ରୋକିବାକୁ ପଦକ୍ଷେପ ନେଇଛି । ବିଭିନ୍ନ ସ୍ଥାନରେ ଚଢଉ କରୁଛି । ତେବେ ଚଢଉ ବେଳେ ଅବଦୁଲ ରେହାନ ନାମକ ଜଣେ ସ୍ଥାନୀୟ ନେତାଙ୍କ ଘରୁ ୫୫ଟି ଭର୍ତ୍ତି ଥିବା ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । 

ପ୍ରଶାସନର କହିବାନୁସାରେ, କିଛି ଦିନ ଧରି ଗ୍ୟାସ୍ କଳାବଜାରୀ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସ୍ଥାନୀୟ ଲୋକେ ଗ୍ୟାସ୍ ପାଉନଥିଲେ । କିଛି ବ୍ୟକ୍ତି ଏହାର ଫାଇଦା ନେଇ ଘରେ ଗ୍ୟାସ୍ ଲୁଚାଇ ରଖୁଛନ୍ତି । ଏହାକୁ ସେମାନେ ତଢା ଦରରେ ବିକ୍ରି କରୁଛନ୍ତି । ଯାହା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରି ଅବଦୁଲଙ୍କ ଘରେ ରେଡ୍ କରିଥିଲା । ତାଙ୍କ ଘରେ ଏତେ ସିଲିଣ୍ଡର ଥିବା ଦେଖି ଅଧିକାରୀମାନେ ଚକିତ ହୋଇଯାଇଥିଲେ ।

ରେଡ୍ ପରେ ଘରୁ ଗୋଟିଏକୁ ଦୁଇଟି ନୁହେଁ ବରଂ ୫୫ଟି ସିଲିଣ୍ଡର ବାହାରିଥିଲା । ସମସ୍ତ ସିଲିଣ୍ଡରକୁ ଜବତ କରାଯାଇଛି । ଏତେ ସବୁ ସିଲିଣ୍ଡର ଏଠାକୁ କେମିତି ଆସିଲା ସେନେଇ ତଦନ୍ତ ଚାଲିଛି । ଏହାକୁ ସେ ଆଗାମୀ ଦିନରେ କଳାବଜାରୀ କରିଥାନ୍ତେ । କିନ୍ତୁ କାରନାମା ପୂର୍ବରୁ ପ୍ରଶାସନ ଏହାର ପର୍ଦ୍ଦାଫାସ କରିଛି ।

ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପାଞ୍ଚ-ସାତ ଦିନ ଧରି ଠିକସେ ସିଲିଣ୍ଡର ମିଳୁନି । ଏହି ସମୟରେ ଏତେ ସଂଖ୍ୟକ ସିଲିଣ୍ଡର ମିଳିବା ସାଧାରଣ କଥା ନୁହେଁ । ଏହାପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କୁ ଗିରଫ କରିବାକୁ ହାପୁରବାସୀ ଦାବି କରୁଛନ୍ତି ।

ଅନ୍ୟ ଦିଗରେ ଏହି ସିଲିଣ୍ଡର ନେଟଓ୍ୱର୍କର ତଦନ୍ତ ଆରମ୍ଭ ହୋଇଛି । କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରହିଛି । କେଉଁ ଗ୍ୟାସ୍ ଏଜେନ୍ସି ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ୍ ନିଆଯିବ ବୋଲି ଅଧିକାରୀ କହିଛନ୍ତି । ଏହାବାଦ୍ ଆଉ କିଛି ଜାଗାରେ ପ୍ରଶାସନ ପକ୍ଷରୁ ଚଢଉ ଜାରି ରହିଛି ।