Goa Nightclub Case: ଥାଇଲାଣ୍ଡ ଏୟାରପୋର୍ଟରେ ନଜର ଆସିଲେ ନାଇଟ୍ କ୍ଲବର ମାଲିକ ଗୌରବ ଲୁଥ୍ରା

NEWS7
40-slum-houses-and-a-market-area-burnt-by-2-different-fire-incidents-in-kolkata

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକ ଲୁଥ୍ରା ବ୍ରଦର୍ସ ଦେଶ ଛାଡ଼ି ଥାଇଲାଣ୍ଡ ଚାଲି ଯାଇଥିଲେ । ଏବେ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କ ଫଟୋ ସାମ୍ନାକୁ ଆସିଛି । ଥାଇଲାଣ୍ଡର ଫୁକେଟ ଏୟାର ପୋର୍ଟର ଏହି ଫଟୋରେ ଗୌରବ ଲୁଥ୍ରା ଥିବା ଦେଖିବାକୁ ମିଳିଛି । ରୋମିଓ ଲେନ୍ ନାଇଟ୍ କ୍ଲବର ମାଲିକ ଗୌରବ ଏବଂ ସୌରଭ ଲୁଥ୍ରାଙ୍କ ବିରୋଧରେ ଇଣ୍ଟରପୋଲ୍ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଛି । ଏନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଜଣେ ବ୍ୟକ୍ତିଙ୍କ ସଂପର୍କରେ ଅଧିକ ସୂଚନା ଯୋଗଡ଼ କରିବା ଲାଗି ଇଣ୍ଟପୋଲ୍ ଏହି ନୋଟିସ ଜାରି କରେ । ଏପରିକି ବ୍ୟକ୍ତି କେଉଁଠି ରହୁଛନ୍ତି, କ’ଣ କରୁଛନ୍ତି, ସେନେଇ ମଧ୍ୟ ତଥ୍ୟ ଏକଠି କରାଯାଏ । କିନ୍ତୁ ଜଣେ ଅପରାଧୀଙ୍କୁ ଗିରଫ କରିବାକୁ ହେଲେ ଇଣ୍ଟରପୋଲ୍ ରେଡ୍ ନୋଟିସ୍ ଜାରି କରିଥାଏ । ତେବେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡ ପଳାଇ ଯିବା ପରେ ଗୋଆ ପୋଲିସ ଇଣ୍ଟରପୋଲ୍ର ସହାୟତା ନେଇଛି ।

ଶନିବାର ଗୋଆର ରୋମିଓ ଲେନ୍ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟିବାର କେଇ ଘଣ୍ଟା ପରେ ଏହାର ମାଲିକ ଗୌରଭ ଏବଂ ସୌରଭ ଦେଶ ଛାଡ଼ି ଚାଲିଯାଇଥିଲେ । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ ।

ଗୋଆର ଡିଜିପି ଆଲୋକ କୁମାରଙ୍କ ଅନୁସାରେ, ଲୁଥ୍ରା ଭାଇ ରବିବାର ଭୋର ୩ଟାରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ୫ଟା ୩୦ରେ ଇଣ୍ଡିଗୋ ବିମାନ 6E-1073 ଯୋଗେ ଥାଇଲାଣ୍ଡର ଫୁକେଟ ଅଭିମୁଖେ ଉଡ଼ାଣ ଭରିଥିଲେ । ତଦନ୍ତରେ ଅସହଯୋଗ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି କରିଥିଲେ ବୋଲି ସେ କହିଛନ୍ତି ।

ଗୋଆ ପୋଲିସର ଅନୁରୋଧକ୍ରମେ ପ୍ରବାସନ ବ୍ୟୁରୋ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା । ଏହା ପରେ ସିବିଆଇ ସହାୟତାରେ ଲୁଥ୍ରା ବ୍ରଦର୍ସଙ୍କ ସଂପର୍କରେ ଇଣ୍ଟପୋଲକୁ ସୂଚନା ଦିଆଯାଇଥିଲା । ଦୁଇ ଭାଇଙ୍କ ବିରୋଧରେ ଗୋଆ ପୋଲିସ ମାମଲା ରୁଜୁ କରିଛି । ଏକ ପୋଳିସ ଟିମ୍ ଦିଲ୍ଲୀର ଲୁଥ୍ରା ବ୍ରଦର୍ସଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିଲା । କିନ୍ତୁ ତାପୂର୍ବରୁ ସେମାନେ ଘର ଛାଡ଼ି ଚାଲି ଯାଇଥିଲେ । ଏହା ପରେ ପୋଲିସ ସେମାନଙ୍କ ଗେଟ୍ ସାମ୍ନାରେ ନୋଟିସ ଲଗାଇ ଦେଇଥିଲା । ମାମଲାର ଆଉ ଜଣେ ଅଭିଯୁକ୍ତ ଭରତ କୋହଲିଙ୍କୁ ଗିରଫ କରିଥିଲା ପୋଲିସ । ଏବେ ତଦନ୍ତ ଜାରି ରହିଛି ।