ବାଂଲାଦେଶ ତାରିକ୍ ରହମାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଭାରତୀୟଙ୍କ ଲାଗି ଆରମ୍ଭ ହେଲା ଭିସା ସେବା

NEWS7
4-arrested-for-smuggling-alcohol

ଢାକା ୨୦।୨: ଭାରତ ଓ ବାଂଲାଦେଶ ମଧ୍ୟରେ ଗତ କିଛିମାସ ହେଲା ଜାରି କୂଟନୈତିକ ତିକ୍ତତାକୁ ସମାପ୍ତ କରିବା ପାଇଁ ଏକ ବଡ଼ ଓ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନ ଭାରତୀୟ ନାଗରିକଙ୍କ ନିମନ୍ତେ ସବୁ ଶ୍ରେଣୀର ଭିସା ସେବା ପୁଣି ଆରମ୍ଭ କରିଛନ୍ତି। ଏହି ନିଷ୍ପତ୍ତି ନବନିଯୁକ୍ତ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଶପଥ ଗ୍ରହଣର ଠିକ୍ ୩ ଦିନ ପରେ ଆସିଛି। ଏଥିରୁ ଏହି ସ୍ପଷ୍ଟବାର୍ତ୍ତା ଆସୁଛି ଯେ ଢାକାର ନୂଆ ସରକାର ନୂଆଦିଲ୍ଲୀ ସହିତ ନିଜର ଦ୍ୱିପକ୍ଷୀୟ ସମ୍ପର୍କକୁ ପୁଣି ସଜାଡିବା ପାଇଁ ବେଶ ଗମ୍ଭୀର।

ଉଲ୍ଲେଖଯୋଗ୍ୟ ଯେ ପାଖାପାଖି ୨ ମାସର ଦୀର୍ଘ ତଥା ଅନିଶ୍ଚିତ ଅପେକ୍ଷା ପରେ ଦିଲ୍ଲୀରେ କାଉନସେଲର ସେବା ଦ୍ୱିତୀୟବାର ଆରମ୍ଭ ହେବା ଯୋଗୁ ଯାତ୍ରୀ ଓ ବ୍ୟବସାୟୀ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଦୁଇ ଦେଶଙ୍କ କୂଟନୈତିକ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିଲା। ଏଣୁ ବିଜନେସ୍ ଏବଂ ୱାର୍କ ଭିସାକୁ ଛାଡି ବାକି ସବୁ ସେବା ଉପରେ ଅଚାନକ ରୋକ ଲଗାଇ ଦିଆଯାଇଥିଲା। ଏବେ ମେଡିକାଲ ଓ ପର୍ଯ୍ୟଟନ ସମେତ ସବୁ ଶ୍ରେଣୀର ଭିସା ସ୍ୱଭାବିକ ମିଳିବା ଆରମ୍ଭ ହୋଇଯାଇଛି। ଏହି ବିକାଶକୁ ବିଶ୍ୱାସ ବଢାଇବା ପାଇଁ ପ୍ରଥମ ପ୍ରୟାସ ରୂପେ ଦେଖାଯାଉଛି।

ଦୁଇ ଦେଶଙ୍କ ସମ୍ପର୍କରେ ହୋଇଥିବା ଏହି ହ୍ରାସର ମୁଖ୍ୟ କାରଣ ଥିଲା ଛାତ୍ରନେତା ସରିଫ ଉଷ୍ମାନ ହାଦୀର ସନ୍ଦିଗ୍ଧ ହତ୍ୟା। ଏହି ଦୁଃଖଦ ଘଟଣା ପରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ଭାରତ ବିରୋଧୀ ତତ୍ୱ ଉଗ୍ର ପ୍ରଦର୍ଶନ କରିବା ସହିତ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିଥିଲେ। ଦେଶର ବିଗୁଡୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ସୁରକ୍ଷା କାରଣରୁ ଭିସା ସେବା ସୀମିତ କରିଦିଆଯାଇଥିଲା। ହେଲେ ଏବେ ରାଜନୈତିକ ପରିବର୍ତ୍ତନ ପରେ ଏଥିରେ ସୁଧାର ଦେଖାଯାଇଛି।

ଏବେ ବିଶ୍ୱର ନଜର ଏହି କଥା ଉପରେ ରହିଛି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ଅଧିକାରୀକ ବିଦେଶ ଯାତ୍ରା ନିମନ୍ତେ ସେ କେଉଁ ଦେଶକୁ ବାଛିବେ। କୂଟନୈତିକ ମହଲରେ ଏହା ଏବେ ପ୍ରଶ୍ନ ହୋଇଛିଡା ହୋଇଛି ଯେ ସେ ପୁରୁଣା ପରମ୍ପରା ଅନୁସାରେ ଦିଲ୍ଲୀ ଆସିବେକି? ହେଲେ ଗତବର୍ଷ ଅନ୍ତରୀଣ ସରକାରର ମୁଖ୍ୟ ମହମଦ ୟୁନୁସ ଏହି ସ୍ଥାପିତ ପରମ୍ପରାକୁ ଭାଙ୍ଗି ଚୀନ୍ ଗସ୍ତ କରିଥିଲେ। ଫଳରେ ନୂଆ ଦିଲ୍ଲୀରେ ଅସନ୍ତୋଷ ଦେଖା ଯାଇଥିଲା। ଏଥିରେ ଯଦି ରହମାନ ଭାରତକୁ ତାଙ୍କ ପ୍ରାଥମିକତା କରନ୍ତି ତେବେ ଏହା ଏକ ଐତିହାସିକ ଓ ନିର୍ଣ୍ଣାୟକ ମୋଡ ହେବ।

ଏହା ବି ପଢନ୍ତୁ :-ଟ୍ରମ୍ପ ପୁଣି ଦୋହରାଇଲେ ମୁଁ ଅଟକାଇଥିଲି ଭାରତ-ପାକ୍ ଯୁଦ୍ଧ, ୧୧ ଫାଇଟର ଜେଟ୍ ହୋଇଥିଲା ନଷ୍ଟ