ଲୋକପାଳର ୟୁ-ଟର୍ଣ୍ଣ: ବିରୋଧ ପରେ ୭ ବିଏମ୍‌ଡବ୍ଲୁ କାର କିଣିବାର ବିବାଦୀୟ ଟେଣ୍ଡର ରଦ୍ଦ

NEWS7
3336-indians-infected-by-coronavirus-in-53-countries-govt-sources

ନୂଆଦିଲ୍ଲୀ: ସରକାରୀ ବିଭାଗରେ ଦୁର୍ନୀତିର ତଦନ୍ତ କରୁଥିବା ଲୋକପାଳ ନିଜ ନିଷ୍ପତ୍ତିର ୟୁ-ଟର୍ଣ୍ଣ ନେଇଛି । ସାତଟି ଲଗ୍ଜରୀ ବିଏମଡବ୍ଲୁ କାର୍ କିଣିବା ନେଇ ନିଜର ବିବାଦୀୟ ଟେଣ୍ଡରକୁ ରଦ୍ଦ କରିଦେଇଛି । ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ ଏହି ନିଷ୍ପତ୍ତି ଟେଣ୍ଡର ଜାରି ହେବାର ୨ ମାସ ପରେ ନିଆଯାଇଛି । କ୍ରିୟ ହେବାକୁ ଥିବା ଗାଡ଼ିଗୁଡ଼ିକର ମୋଟ ମୂଲ୍ୟ ୫ କୋଟି ଟଙ୍କା ବୋଲି ଦାବି କରାଯାଉଥିଲା । ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି, ଯେତେବେଳେ ବିରୋଧୀ ଦଳ ଓ ସାମାଜିକ କାର୍ମୀ ଲୋକପାଳଙ୍କ ଏହି ଆଦେଶକୁ କଡ଼ା ସମାଲୋଚନା କରିଥିଲେ । ଦୁର୍ନୀତି ଉପରେ ନଜର ରଖୁଥିବା ସଂସ୍ଥାର ଲଗଜରୀ କାର୍ କିଣିବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।

ଖବର ଅନୁସାରେ, ଲୋକପାଳଙ୍କ ଫୁଲ୍ ବେଞ୍ଚ୍ ବୈଠକରେ ଏହି ଟେଣ୍ଡରକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୬ରେ ଲୋକପାଳ ପକ୍ଷରୁ ଏକ ଟେଣ୍ଡର ଜାରି କରାଯାଇଥିଲା । ଟେଣ୍ଡରରେ କୁହାଯାଇଥିଲା ଯେ BMW 3 Series 330Li ମଡେଲର ୭ଟି କାର ଆବଶ୍ୟକ ଅଛି । ମୋଟ ଉପରେ ଏହି ସାତ କାରର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ଥିବା ଜଣାପଡ଼ିଥିଲା ।

ଲୋକପାଳର ଏହି ଟେଣ୍ଡର ପରେ ସୋସିଆଲ୍ ମିଡିଆରେ ବିତର୍କ ଆରମ୍ଭ ହୋଇଥିଲା । ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରୁଥିବା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଭୂଷଣ କହିଥିଲେ ଯେ ଲୋକପାଳର ସଦସ୍ୟଙ୍କୁ କୌଣସି ଘଟଣା ସହ କିଛି ନେଣଦେଣ ନାହିଁ, କେବଳ ନିଜ ସୁବିଧାରେ ହିଁ ଖୁସି ଅଛନ୍ତି । ସେମାନେ ନିଜ ପାଇଁ ୭୦ ଲକ୍ଷ ଟଙ୍କାର ବିଏମଡବ୍ଲୁ କିଣିବାକୁ ଯାଉଛନ୍ତି । ସେ କହିଥିଲେ, ପ୍ରଥମରେ ଅନେକ ବର୍ଷ ହେଲା ନିଯୁକ୍ତି ହୋଇନଥିଲା ଓ ପରେ ଯେତେବେଳେ ନିଯୁକ୍ତି ହେଲା, ସେତେବେଳେ ନିଜ ଲୋକଙ୍କୁ ବସାଇ ଦେଲେ । ଏବେ ଏମାନେ ନିଜ ଲଗଜରୀ ସହ ଖୁସି ଅଛନ୍ତି ।

ଲୋକପାଳ ହେଉଛି ଏକ ସ୍ୱତନ୍ତ୍ର ସଂସ୍ଥା, ଯାହାକୁ ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମ, ୨୦୧୩ ଅଧିନରେ ଗଠନ କରାଯାଇଥିଲା । ଲୋକପାଳ ଆନ୍ଦୋଳନ (୨୦୧୦) ପରେ ଏହାର ଗଠନ କରାଯାଇଛି, ଯାହାର ନେତୃତ୍ୱ ସମାଜସେବୀ ଅନ୍ନା ହଜାରରେ ନେଇଥିଲେ । ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ମାଣିକରାଓ ଖାନବିଲକର ଏହାର ଅଧ୍ୟକ୍ଷ ଅଛନ୍ତି । ସେହିପରି ଜଷ୍ଟିସ୍ ଏଲ୍.ନାରାୟଣ ସ୍ୱାମୀ, ଜଷ୍ଟିସ୍ ସଞ୍ଜୟ ଯାଦବ, ଜଷ୍ଟିସ୍ ରିତୁ ରାଜ ଅୱସ୍ତି, ପଙ୍କଜ କୁମାର, ସୁଶୀଲ ଚନ୍ଦ୍ରା ଓ ଅଜୟ ତିରକେ ସଦସ୍ୟ ଅଛନ୍ତି । ଲୋକପାଳ ପାଖରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ (ଗ୍ରୁପ୍ A,B,C ଓ D) ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାର ଅଧିକାର ରହିଛି ।