ବାବ୍ରି ମସଜିଦ ପରେ ଏବେ ପଶ୍ଚିମବଙ୍ଗରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର, ବିଜେପି ସହ କଣ କନେକ୍ସନ ?

NEWS7
3-month-old-baby-wrapped-in-blanket-found-left-outside-orphanage-in-haryana

କୋଲକାତା: ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ(ଟିଏମସି) ଶାସିତ ପଶ୍ଚିମବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ରାଜ୍ୟରେ ମନ୍ଦିର-ମସଜିଦ ବାହାନାରେ ଧ୍ରୁବୀକରଣ କରିବାକୁ ରାଜନୈତିକ ଦଳ ପକ୍ଷରୁ ପ୍ରୟାସ କରାଯାଉଛି। ଗତ ମାସରେ ତୃଣମୂଳ କଂଗ୍ରେସରୁ ନିଲମ୍ବିତ ବିଦାୟକ ହୁମାୟୁଁ କବୀର ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାର ବେଲଦାଙ୍ଗାରେ ଡିସେମ୍ବର ୬ରେ ବାବରି ମସଜିଦର ଶିଳାନ୍ୟାସ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଦୁର୍ଗା ଆଙ୍ଗନ ଓ ମହାକାଳ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏବେ ନଦିଆ ଜିଲ୍ଲାର ଶାନ୍ତିପୁରରେ ‘ବଙ୍ଗାଲି ରାମ’ ଥିମରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାର ଯୋଜନା ସାମ୍ନାକୁ ଆସିଛି। ଏହା ଏବେ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ମନ୍ଦିର କେବଳ ପୂଜା-ପାଠର ସ୍ଥଳ ହେବନି। ବରଂ ପଶ୍ଚିମବଙ୍ଗର ସାଂସ୍କୃତିକ ଐତିହ୍ୟକୁ ସମର୍ପିତ ଏକ ବଡ଼ କେନ୍ଦ୍ର ପାଲଟିବ। ମନ୍ଦିରର ଅବଧାରଣା ୧୫ତମ ଶତାବ୍ଦୀର ପ୍ରସିଦ୍ଧ କବି କୃତିବାସ ଓଝାଙ୍କ ପରମ୍ପରା ଉପରେ ଆଧାରିତ। କୃତିବାସ ଓଝା ହିଁ ସଂସ୍କୃତ ରାମାୟଣର ବଙ୍ଗାଳି ଅନୁବାଦ ଶ୍ରୀରାମ ପାଞ୍ଚାଳି ରଚନା କରିଥିଲେ। ଏହାକୁ ଆଜି ପଶ୍ଚିମବଙ୍ଗରେ ଘରେ ଘରେ ପଢାଯାଏ। ଏହି କାରଣରୁ ଭଗବାନ ରାମଙ୍କ ଏହି ସ୍ଵରୂପକୁ ବଙ୍ଗାଳି ରାମ କିମ୍ବା ହରା ରାମ କୁହାଯାଏ।

କିଏ ନିର୍ମାଣ କରୁଛି ମନ୍ଦିର ?

ଏନଡିଟିଭିର ରିପୋର୍ଟ ଅନୁସାରେ, ଏହି ମନ୍ଦିରର ନିର୍ମାଣ ଶ୍ରୀକୃତିବାସ ରାମ ମନ୍ଦିର ଟ୍ରଷ୍ଟ କରିବାକୁ ଚାହୁଁଛି। ଏହି ଟ୍ରଷ୍ଟ ୨୦୧୭ରୁ ହିଁ ଏହି ପ୍ରକଳ୍ପ ଉପରେ କାମ କରୁଛି। ରବିବାର ଟ୍ରଷ୍ଟ ଏହାର ସୂଚନା ଦେଇଛି। ମନ୍ଦିର ପାଇଁ ଜମିର ଚୂଡ଼ାନ୍ତ ସର୍ଭେ କାମ ପୂରା ହୋଇଛି। ଏହାକୁ ପ୍ରକଳ୍ପର ଆନୁଷ୍ଠାନିକ ଆରମ୍ଭ ବୋଲି କୁହାଯାଉଛି।

ବିଜେପି ସହ କଣ କନେକ୍ସନ ?

ଏହି ଟ୍ରଷ୍ଟର ଅଧ୍ୟକ୍ଷ ତଥା ଶାନ୍ତିପୁରର ପୂର୍ବତନ ଟିଏମସି ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଅଛନ୍ତି। ଏବେ ସେ ବିଜେପିରେ ଅଛନ୍ତି। କିନ୍ତୁ ତାଙ୍କର କହିବା କଥା ଏହା କୌଣସି ନିର୍ବାଚନୀ ପ୍ରକଳ୍ପ ନୁହେଁ। ଶାନ୍ତିପୁର ଭକ୍ତି ଆନ୍ଦୋଳନର ମାଟି ଏବଂ କୃତିବାସ ଓଝା ରାମଙ୍କୁ ବଙ୍ଗାଳି ସଂସ୍କୃତି ସହ ଯୋଡ଼ିଛନ୍ତି। ଏହାକୁ ଆଗକୁ ବଢାଇବା ପାଇଁ ଭବ୍ୟ ରାମ ମନ୍ଦିରର ନିର୍ମାଣ ଯୋଜନା କରାଯାଉଛି। ମନ୍ଦିରର ନିର୍ମାଣ ପ୍ରାରମ୍ଭିକ ପର୍ଯ୍ୟାୟରେ ପହଞ୍ଚି ସାରିଛି।