୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ ଆରମ୍ଭ, ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧.୩ କୋଟି ପିଲାଙ୍କୁ ମିଳିବ ଏଆଇ- ଆଧାରିତ ଶିକ୍ଷା

NEWS7
3-arrested-in-kidnap-case

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ୍ର ନେତୃତ୍ୱରେ ୧୭୦ କୋଟି ଟଙ୍କାର ବହୁ-ସହଭାଗୀ ଶିକ୍ଷା ପ୍ରୟାସ ଶିକ୍ଷାନେକ୍ସଟ୍ (ShikshaNext) ଆରମ୍ଭ କରାଯାଇଛି। ତିନି ବର୍ଷ ଅବଧି ବିଶିଷ୍ଟ ଏହି ପ୍ରୟାସର ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଦେଶବ୍ୟାପୀ ୧.୩ କୋଟିରୁ ଅଧିକ ପିଲାଙ୍କୁ, ବିଶେଷକରି ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ, ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ଗୁଣାତ୍ମକ ଶିକ୍ଷା ସୁଯୋଗ ଉପଲବ୍ଧ କରାଇବା। ଏହି ପ୍ରୟାସର ଶୁଭାରମ୍ଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ଅବସରରେ କରାଯାଇଛି।

‘ଶିକ୍ଷା ନେକ୍ସଟ’ ରେ ରିଲାଏନ୍ସ ଫାଉଣ୍ଡେସନ୍ ସଂସ୍ଥାପକ ତଥା ରଣନୀତିଗତ ସହଭାଗୀ ଭାବେ ଭୂମିକା ନିଭାଉଛି। ଏହା ସହିତ ଗେଟ୍ସ ଫାଉଣ୍ଡେସନ୍ ସହ-ଆଙ୍କର ପାର୍ଟନର ଓ ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ୍ ପରିଚାଳନା ସହଯୋଗୀ ଭାବେ କାର୍ଯ୍ୟକ୍ରମର କ୍ରିୟାନ୍ଵୟନରେ ସମନ୍ୱୟ ରକ୍ଷା କରିବ। ଏଥି ସହିତ ମାଇକେଲ୍ ଏଣ୍ଡ ସୁସାନ୍ ଡେଲ୍ ଫାଉଣ୍ଡେସନ୍ ମଧ୍ୟ ଏହି ପ୍ରୟାସକୁ ଆର୍ଥିକ ସହଯୋଗ ଯୋଗାଉଛି।

ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପ୍ରାପ୍ତିରେ ଶିକ୍ଷା କ୍ଷେତ୍ରରେ ଏଆଇ ଓ ପ୍ରଯୁକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ସେ ଏହାକୁ ସରକାର, ସମାଜ ଓ ସଂସ୍ଥାମାନଙ୍କ ସାମୂହିକ ପ୍ରୟାସର ଉଦାହରଣ ଭାବେ ଅଭିହିତ କରିଥିଲେ ଏବଂ ଏଡ୍ଟେକ୍କୁ “ସମସ୍ତଙ୍କ ଏଡ୍ଟେକ୍” କରିବା ଉପରେ ଜୋର ଦେଇଥିଲେ।

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ଦୃଷ୍ଟିକୋଣ ହେଉଛି ଦେଶର ପ୍ରତ୍ୟେକ ଶିଶୁ ନିଜ କ୍ଷମତା ଓ ସମ୍ଭାବନାକୁ ସାକାର କରିବାର ସୁଯୋଗ ପାଉ। ଗତ ଦଶକରେ ଡିଜିଟାଲ୍ କନେକ୍ଟିଭିଟି ଓ ୫ଜିର ବିସ୍ତାର ଦେଶର ଦୂରଦୁରାନ୍ତ ଅଞ୍ଚଳଗୁଡ଼ିକ ଯାଏଁ ଶିକ୍ଷା ପହଞ୍ଚାଇବାର ନୂତନ ସମ୍ଭାବନା ସୃଷ୍ଟି କରିଛି।

ଏହି ପ୍ରୟାସ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରିୟାନ୍ୱୟନ କରାଯିବ। ଏଡଟେକ୍ ସ୍କେଲଏକ୍ସ ଅଧୀନରେ ପ୍ରମାଣିତ ଏଡ୍ଟେକ୍ ଓ ଏଆଇ ସମାଧାନଗୁଡ଼ିକୁ ରାଜ୍ୟ ଶିକ୍ଷା ପ୍ରଣାଳୀ ସହିତ ଯୋଡ଼ାଯିବ। ଏଡଟେକ୍ ଆକ୍ସିଲେଟର ଉଚ୍ଚ ଗୁଣବତ୍ତା ବିଶିଷ୍ଟ ସମାଧାନଗୁଡ଼ିକର ବିକାଶ ଓ ବିସ୍ତାରରେ ସହାୟକ ହେବ। ସେହିଭଳି ଏଡଟେକ୍ ଏବଂ ଏଆଇ ଇନୋଭେଶନ ହବ୍ ଭାରତୀୟ ଭାଷାଗୁଡିକ ଓ ବିଭିନ୍ନ ଶିକ୍ଷା ପରିପ୍ରେକ୍ଷ୍ୟକୁ ଧ୍ୟାନରେ ରଖି ନବସୃଜନର ପରୀକ୍ଷଣ ଓ ସତ୍ୟାପନ କରିବ ।