ସଡ଼କ ଦୁର୍ଘଟଣାରେ ଅଭିନେତା ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ପତ୍ନୀ ଆହତ, ହସ୍ପିଟାଲରେ ଭର୍ତ୍ତି

NEWS7
28-years-old-bollywood-actress-fitness-has-amazed-people

ଗୌହାଟୀ ୩।୧: ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ପତ୍ନୀ ରୁପାଲୀ ବରୁଆ ଗୌହାଟୀରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜୁ ରୋଡ ଅଞ୍ଚଳରେ ଥିବା ‘ଦି ଗୌହାଟୀ ଆଡ୍ରେସ୍’ ହୋଟେଲ ସମ୍ମୁଖ ରୋଡରେ ହୋଇଛି। ଦମ୍ପତ୍ତି ହୋଟେଲରେ ଡିନର କରିବା ପରେ ବାହାରକୁ ଆସି ରାସ୍ତା ପାର କରୁଥିବା ବେଳେ ଏକ ଦ୍ରୁତବେଗରେ ଆସୁଥିବା ମୋଟର ସାଇକେଲ ସେମାନଙ୍କୁ ଧକ୍କା ଦେଇଛି ।

ଏହି ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ପତ୍ନୀ ଉଭୟ ଆହତ ହୋଇଛନ୍ତି। ଆଖପାଖରେ ଥିବା ଲୋକେ ତୁରନ୍ତ ସେମାନଙ୍କୁ ସହାୟତା କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ଏହି ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛି। ସୂଚନା ପାଇ ଗିତାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରୁପାଲୀ ବରୁଆ ଓ ଆଶିଷ ବିଦ୍ୟାର୍ଥୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

ରୁପାଲୀ ବିଦ୍ୟାର୍ଥୀ ଆସାମର ଜଣେ ଜଣାଶୁଣା ଫ୍ୟାସନ ଉଦ୍ୟୋଗୀ। ଆଶିଷ ବିଦ୍ୟାର୍ଥୀ ୨୦୨୩ ମସିହାରେ ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହା ପୂର୍ବରୁ ଅଭିନେତା ପିଲୁ ରାଜୋସୀଙ୍କୁ ବିବାହ କରିଥିଲେ। ୨୦୨୨ ମସିହାରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଆଶିଷ ବିଦ୍ୟାର୍ଥୀ ଦୀର୍ଘ ୪ ଦଶନ୍ଧୀରୁ ଅଧିକ କାଳ ହେଲା ରୂପେଲି ପରଦାରେ ଛାଇ ରହିଛନ୍ତି। ସେ ୧୧ରୁ ଅଧିକ ଭାଷାରେ ପାଖାପାଖି ୩୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ କନ୍ନଡ ଫିଲ୍ମ ‘ଆନନ୍ଦ’ରୁ ଆଶିଷ ବିଦ୍ୟାର୍ଥୀଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା।

ହିନ୍ଦୀ ଫିଲ୍ମ ‘ଦ୍ରୋହକାଲ’ରେ ଆଶିଷ ବିଦ୍ୟାର୍ଥୀଙ୍କୁ ପରିଚୟ ମିଳିଥିଲା। ସେ ତାଙ୍କର ପ୍ରଭାବଶାଳୀ ଖଳନାୟକ ଓ ଚରିତ୍ର ଭୂମିକା ଲାଗି ବେଶ୍ ଜଣା ଯାଆନ୍ତି। ‘୧୯୪୨ ଏ ଲଭ ଷ୍ଟୋରୀ’, ‘ବାସ୍ତବ’, ‘କହୋନା ପ୍ୟାର ହୈ’, ‘ବର୍ଫି’ ଓ ‘ହାଇଦର’ ଭଳି ଫିଲ୍ମରେ ତାଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଅଭିନୟ ବ୍ୟତୀତ ଆଶିଷ ବିଦ୍ୟାର୍ଥୀ ଜଣେ ମୋଟିଭେସନାଲ ସ୍ପିକର ଓ ଫୁଡ ଟ୍ରାଭେଲ ବ୍ଲଗର ଭାବେ ମଧ୍ୟ ଜଣାଶୁଣା।