ଡ୍ରାଇଭିଂ ଲାଇସେନ୍ସରେ ରହିବ ନମ୍ବର : ନିୟମ ନମାନିଲେ କଟିଯିବ ପଏଣ୍ଟ୍, ବାତିଲ ହେବ DL

NEWS7
25-sluice-gate-of-hirakud-dam-opened-today-evening

ନୂଆଦିଲ୍ଲୀ, ୨୭ /୦୨: ଦେଶରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱସମ୍ପନ୍ନ ଗାଡି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏଥିରେ ଟ୍ରାଫିକ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା ସସ୍ପେଣ୍ଡ କରାଯିବାର ପ୍ରାବଧାନ ରହିବ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି ।

ନମ୍ବର ଆଧାରିତ ଡିଲ୍ ବ୍ୟବସ୍ଥା ଅନୁସାରେ ଡିଏଲରେ ନମ୍ବର ବା ପଏଣ୍ଟ ଦିଆଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ସେଥିରୁ କିଛି ନମ୍ବର କାଟି ନିଆଯିବ । ଯଦି ସବୁ ନମ୍ବର ଶେଷ ହୋଇଯିବ ତେବେ ଡିଏଲକୁ ରଦ୍ଦ କରାଯିବ ନଚେତ ୬ ମାସ ପାଇଁ ସସପେଣ୍ଡ କରାଯିବ । କିନ୍ତୁ ଲଗାତାର ଭାବେ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ କରାଯାଏ ସେଭଳି କ୍ଷେତ୍ରରେ ଡିଏଲକୁ ରଦ୍ଦ କରିଦିଆଯିବ ।

ଗଡକରୀ କହିଛନ୍ତି ଯେ ଦେଶରେ ପ୍ରତିବର୍ଷ ଛୋଟବଡ ପ୍ରାୟ ୫ ଲକ୍ଷ ସଡକ ଦୁର୍ଘଟଣା ହେଉଛି । ଏଥିଯୋଗୁ ବର୍ଷକୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ମୃତକଙ୍କ ମଧ୍ୟରେ ୭୨ ପ୍ରତିଶତଙ୍କ ବୟସ ୧୮ରୁ ୪୫ ବର୍ଷ ଭିତରେ ରହିଛି । ଗଡକରୀ କହିଛନ୍ତି ଯେ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ଦେଖିବା, ଦ୍ରୁତଗତିରେ ଗାଡି ଚଳାଇବା, ଭୁଲ ଦିଗରେ ଗାଡି ଚଳାଇବା ଏବଂ ମଦ୍ୟପାନ କରି ଗାଡି ଚଳାଇବା । ଲୋକଙ୍କ ଜୀବନ ବହୁତ ମୂଲ୍ୟବାନ । ତେଣୁ ସରକାର ସଡକ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବଢ଼ାଯାଇଛି । କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି ନିୟମକୁ ଠିକ୍ ଭାବେ ପାଳନ କରିବା । ଲୋକଙ୍କ ଭିତରେ ଆଇନ ପ୍ରତି ଭୟ ଓ ସମ୍ମାନ କମ୍ ରହୁଛି । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଚିକିତ୍ସା ବାବଦ ଖର୍ଚ୍ଚ କିମ୍ବା ଆଇନ ଗତ ସମସ୍ୟା କଥା ଚିନ୍ତା ନକରି ସହଯୋଗ କରିବାକୁ ସେ ଅପିଲ କରିଛନ୍ତି ।