ଢାକାରେ ଭାରତ ବିରୋଧୀ ଷଡଯନ୍ତ୍ର : ଭାରତୀୟଙ୍କ ଓ୍ୱାର୍କ ପରମିଟ୍ ରବ୍ଦ ପାଇଁ ଦାବି କଲା ଇନକିଲାବ୍ ମଞ୍ଚ

NEWS7
21may-friday-horoscope

ଢାକା,୨୯ ।୧୨ : ବିଷ ମଞ୍ଜି ବୁଣୁଛି ବାଂଲାଦେଶ । ଲଗାତାର ଭାବେ ଭାରତ ବିରୋଧରେ ଚଳାଇଛି ଆନ୍ଦୋଳନ । ଭାରତକୁ ଅଶାନ୍ତ କରିବା ପାଇଁ ଜାରି ରଖିଛି ଚେଷ୍ଟା । ବିଶେଷକରି ଭାରତ ବିରୋଧୀ ଛାତ୍ରନେତା ସରିଫ ଉସ୍ମାନ ହାଦିଙ୍କ ହତ୍ୟା ପରେ ଏହି ଆନ୍ଦୋଳନ ତୀବ୍ର ହୋଇଛି ।

ହାଦିଙ୍କ ଛାତ୍ର ସଙ୍ଗଠନ ଇନକିଲାବ ମଞ୍ଚ ଦେଶରେ ଥିବା ଭାରତୀୟଙ୍କ କାର୍ଯ୍ୟ ଅନୁମତିପତ୍ର (ୱାର୍କ ପରମିଟ୍) ରଦ୍ଦ କରିବା ସହ ୪ ଦଫା ଦାବି ନେଇ ବାଂଲାର ଅନ୍ତରୀଣ ସରକାରଙ୍କୁ ୨୪ ଘଣ୍ଟିଆ ଚରମ ସମୟ ସୀମା ଦେଇଛି । ଇନ୍କିଲାବ ମଞ୍ଚର ସଦସ୍ୟ ସମ୍ପାଦକ ଅବଦୁଲା ଅଲ୍ ଜାବେରଙ୍କ ପକ୍ଷରୁ ସୋସିଆଲ ମିଡିଆରେ ସରକାରଙ୍କୁ ଏହି ସମୟ ସୀମା ଦିଆଯାଇଛି । ହାଦି ହତ୍ୟାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଯଥା ହତ୍ୟାକାରୀ, ହତ୍ୟାର ଯୋଜନା କରିଥିବା ବ୍ୟକ୍ତି, ଏଥିରେ ସହାୟତା କରିଥିବା ବ୍ୟକ୍ତି, ହତ୍ୟାକାରୀଙ୍କୁ ଦେଶରୁ ଫେରାର କରାଇଥିବା ବ୍ୟକ୍ତି ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଞ୍ଚ ଦାବି କରିଛି । ସେହିପରି ସେମାନଙ୍କ ବିଚାର ୨୪ ଦିନ ଭିତରେ ଶେଷ କରିବାକୁ ଇନ୍କିଲାବ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଯଦି ୨୪ ଘଣ୍ଟା ଭିତରେ ଭାରତରୁ ହାଦି ହତ୍ୟାକାରୀ ନ ଫେରନ୍ତି କିମ୍ବା ଭାରତରେ ରହିଥିବା ନେଇ ସ୍ପଷ୍ଟ ଘୋଷଣା କରା ନଯାଏ ତେବେ ଦେଶରେ କାମ କରୁଥିବା ସବୁ ଭାରତୀୟଙ୍କ ୱାର୍କ ପରମିଟ୍କୁ ରଦ୍ଦ କରାଯାଉ । ଯଦି ଭାରତ ହାଦି ହତ୍ୟାକାରୀଙ୍କୁ ହସ୍ତାନ୍ତର ନ କରିବ ତେବେ ଭାରତ ବିରୋଧରେ ଆଇସିଜେରେ ଅପିଲ କରାଯାଉ ।

ଏଥିସହ ସିଭିଲ ମିଲିଟାରି ଇଣ୍ଟେଲିଜେନ୍ସିରେ ଲୁଚି ରହିଥିବା ଫାସୀବାଦୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ଲାଗି ସଙ୍ଗଠନ ଦାବି କରିଛି । ଢାକା ମେଟ୍ରୋପଲିଟାନ ପୁଲିସ ରବିବାର କହିଥିଲା ଯେ ହାଦି ହତ୍ୟାରେ ସମ୍ପୃକ୍ତ ୨ ଜଣ ହତ୍ୟାକାରୀ ଫୈସଲ କରିମ ମସୁଦ ଏବଂ ଆଲମଗିରି ଶେଖ ଭାରତ ପଳାଇଛନ୍ତି । ହାଦିଙ୍କୁ ହତ୍ୟା କରିବା ପରେ ସେମାନେ ମିମେନସିଂହ ଜିଲ୍ଲାର ହଲୁଘାଟ ସୀମା ଦେଇ ମେଘାଳୟକୁ ପଳାଇଛନ୍ତି । ମେଘାଳୟ ସୀମାରେ ପହଞ୍ଚିବା ପରେ ସେଠାରେ ପୁର୍ତ୍ତି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ସହଯୋଗ କରିଥିଲେ । ପରେ ସାମି ନାମକ ଜଣେ ଟ୍ୟାକ୍ସି ଚାଳକଙ୍କ ସହଯୋଗରେ ଉଭୟେ ମେଘାଳୟର ତୁରା ସହରକୁ ଯାଇ ସେଠାରେ ରହିଛନ୍ତି । ତେବେ ସେମାନଙ୍କୁ ସହଯୋଗ କରିଥିବା ପୁର୍ତ୍ତି ଓ ସାମିଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଅଟକ ରଖିଥିବାର ଢାକା ପୁଲିସ କହିବା ପରେ ଇନ୍କିଲାବ ମଞ୍ଚ ଆଜି ବାଂଲାଦେଶ ସରକାରଙ୍କ ନିକଟରେ ଏଭଳି ଦାବି କରିଛି ।