କଂଗ୍ରସରେ ନେତୃତ୍ୱ ଦ୍ୱନ୍ଦ୍ୱ, ଦଳରେ ରାହୁଲଙ୍କ ସାମନାରେ ନୂଆ ପ୍ରତିଦ୍ୱନ୍ଦ୍ୱୀ

NEWS7
20th-january-shattila-ekadashi-know-the-time-table

ନୂଆଦିଲ୍ଲୀ: ନିର୍ବାଚନରେ ବାରମ୍ୱାର ପରାଜୟ ପରେ କଂଗ୍ରେସରେ ଅଦୃଶ୍ୟ ବିଦ୍ରୋହ ଆରମ୍ଭ ହୋଇଥିବା ପରି ମନେ ହେଉଛି । ଅନେକ ଘଟଣା ଏବେ ଏହି କଥାକୁ ହିଁ ଇଙ୍ଗିତ କରୁଛି । କଂଗ୍ରେସ ନେତା ଓ କର୍ମୀ ସିଧାସଳଖ ନକହିଲେ ବି ପରୋକ୍ଷରେ ଏହି ସଂକେତ ଦେବା ଆରମ୍ଭ କରିଛନ୍ତି । କଂଗ୍ରେସ ସାଂସଦ ଇମରାନ ମସୂଦ ମଙ୍ଗଳବାର କହିଥିଲେ ଯେ ଯଦି ପ୍ରିୟଙ୍କା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ ତେବେ ବାଂଲାଦେଶ ପରି ଦେଶକୁ କଡ଼ା ଜବାବ ଦିଆଯାଇପାରିବ । ସେ ଇନ୍ଧିରା ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ତୁଳନା କରି ଏହି କଥା କହିଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭାଦ୍ରା ମଧ୍ୟ ଏହି କଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ସାରା ଦେଶରେ ପ୍ରିୟଙ୍କା ଡିମାଣ୍ଡ ରହିଛି ।

ରବର୍ଟ ଭାଦ୍ରା କହିଛନ୍ତି ଯେ ପ୍ରୟଙ୍କା ଆସି ନେତୃତ୍ୱ ନିଅନ୍ତୁ ବୋଲି ସାରା ଦେଶରେ ଦାବି ହେଉଛି । ମୁଁ ରାଜନୀତିକୁ ଆସେ ବୋଲି ମଧ୍ୟ ଦାବି ହେଉଛି, କିନ୍ତୁ ଏସବୁ ପଛ କଥା । ଦେଶହିତରେ କଣ ଅଛି ତାହା ପ୍ରଥମେ ଦେଖିବା ଦରକାର ।

କଂଗ୍ରେସ ନେତାଙ୍କ ଏଭଳି ବୟାନ ପରେ ଶାସକ ବିଜେପି ଏହାକୁ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅସ୍ତ୍ର କରିଛି । ବିଜେପି ଦାବି କରିଛି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ କେବଳ ଭୋଟରଙ୍କ ମଧ୍ୟରେ ସୀମିତ ନାହିଁ ବରଂ ତାଙ୍କ ନିଜ ଦଳ ଏବଂ ସହଯୋଗୀ ଦଳମାନଙ୍କ ମଧ୍ୟରୁ ମଧ୍ୟ ଉଠାଯାଉଛି । ଏହି କାରଣରୁ ଲୋକସଭାରେ ବିରୋଧୀ ଦଳ ନେତା "ଦେଶ ବିରୋଧୀ" ମନ୍ତବ୍ୟ ଦେବାକୁ ବିଦେଶ ଯାଇଛନ୍ତି ବୋଲି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ମଧ୍ୟରେ ମତଭେଦ ଥିବା ଅଭିଯୋଗ କରିଥିଲେ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ । କଂଗ୍ରେସରୁ ଗତ ସାଧାରଣ ନିର୍ବାଚନ ବେଳେ ବିଜେପିକୁ ଯାଇଥିବା ବିଟ୍ଟୁ ଦାବି କରିଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ରାହୁଲ ଜର୍ମାନୀ ଚାଲିଯାଇଥିଲେ କାରଣ ସେ ଗୃହରେ ତାଙ୍କର ଏବଂ ପ୍ରିୟଙ୍କାଙ୍କ ଭାଷଣ ମଧ୍ୟରେ ତୁଳନା ଯୋଗୁ ବିରକ୍ତ ଥିଲେ ।

ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, "ଦୁଇ ଗାନ୍ଧୀ ଲଢ଼ୁଛନ୍ତି । ମୁଁ ଜାଣିବାକୁ ପାଇଛି ଯେ ଲୋକମାନେ ଗୃହରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭାଷଣକୁ ତୁଳନା କରିଛନ୍ତି । ଏହା ରାହୁଲ ଗାନ୍ଧୀଙ୍କୁ ବିରକ୍ତ କରିଛି, ତେଣୁ ସେ ପରିବାର ଏବଂ ଦଳ ସହିତ ଲଢ଼ି ଚାଲିଯାଇଛନ୍ତି।"