i-PAC ଚଢଉ: ପିଟିସନ ରୁଜୁ କରିବାକୁ ହାଇକୋର୍ଟଙ୍କୁ ଅନୁମତି ମାଗିଲା ED

NEWS7
2-killed-22-missing-after-dam-breach-in-maharashtras-ratnagiri

କୋଲକାତା ୮।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢଉ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକୁ ପହଞ୍ଚିଥିଲେ। ଏଥିରେ ଯାଞ୍ଚ ଏଜେନ୍ସୀ କୋଲକାତା ହାଇକୋର୍ଟ ସହ ସମ୍ପର୍କ କରି ତାଙ୍କ ଯାଞ୍ଚରେ ହସ୍ତକ୍ଷେପର ଅଭିଯୋଗ କରିଛି। ଏଣୁ ଏଜେନ୍ସୀ କୋର୍ଟରେ ଆବେଦନ ଦାୟର କରିବାକୁ ଅନୁମତି ମାଗିଥିବାର ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

ଇଡି କହିଛି ଯେ ସେ ଗୁରୁବାର ପଶ୍ଚିମବଙ୍ଗରେ ମନିଲଣ୍ଡ୍ରିଂର ଯାଞ୍ଚ ପାଇଁ ୬ ଓ ଦିଲ୍ଲୀର ୪ଟି ସ୍ଥାନ ଏହିପରି ମୋଟ ୧୦ଟି ସ୍ଥାନ ଉପରେ ଚଢଉ କରିଛି। ଏଥିରେ ରାଜନୈତିକ ପରାମର୍ଶ ଫାର୍ମ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି)ର କାର୍ଯ୍ୟାଳୟ ସମେତ ଏହାର ସହ ସଂସ୍ଥାପକ ଓ ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ କୋଲକାତାରେ ଥିବା ୨ଟି ବାସଭବନ ବି ସାମିଲ ଥିଲା। ଏଥିରେ ଆଇ-ପିଏସି ପଶ୍ଚିମବଙ୍ଗରେ କ୍ଷମତାସୀନ ଦଳ ତୃଣମୂଳ କଂଗ୍ରେସକୁ ରାଜନୈତିକ ପରାମର୍ଶ ଦେଇଥାଏ ସାଙ୍ଗକୁ ଦଳର ଆଇଟି ଓ ମିଡିଆ ସେଲର ଦେଖରେଖ ମଧ୍ୟ କରିଥାଏ।

ଏହି ଚଢଉ କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦକ୍ଷିଣ କୋଲକାତାସ୍ଥିତ ଜୈନଙ୍କ ଘରେ ପହଞ୍ଚି ଯାଞ୍ଚ ଏଜେନ୍ସୀ ତାଙ୍କ ପାର୍ଟିର ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଓ ହାର୍ଡ ଡ୍ରାଇଭ ଜବତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ଯେଉଁଥିରେ ପାର୍ଟିର ନିର୍ବାଚନୀ ରଣନୀତି ସମ୍ପର୍କିତ ସୂଚନା ଥିବାର ସେ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଢଉରେ ବାନାର୍ଜୀ ହସ୍ତକ୍ଷେପ କରିବା ପରେ ଇଡିର ପ୍ରତିନିଧିତ୍ୱ କରୁଥିବା ଓକିଲ ଏଥି ପ୍ରତି କୋଲକାତା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଶୁଭ୍ରା ଘୋଷଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଏଥିରେ ସେ ଯାଞ୍ଚରେ ହସ୍ତକ୍ଷେପର ଅଭିଯୋଗ କରି ପିଟିସନ ରୁଜୁ କରିବାକୁ ଅନୁମତି ମାଗିଛନ୍ତି ଓ ବିନା ବାଧାରେ ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ଅନୁମତି ମାଗିଛନ୍ତି।

ଯାଞ୍ଚ ଏଜେନ୍ସୀ ଅଭିଯୋଗ କରିଛନ୍ତି ଯେ ଜୈନଙ୍କ ଘର ଉପରେ ଚଢଉ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଚାନକ ତାଙ୍କ ଘରେ ପଶି ଯାଇଥିଲେ ଓ ସେ କିଛି କାଗଜପତ୍ର ସମେତ ପ୍ରମାଣ ଥିବା କିଛି ଇଲେକ୍ଟ୍ରୋନିକ୍ ଉପକରଣ ନିଜ ସାଙ୍ଗରେ ନେଇ ଯାଇଛନ୍ତି। ଜୈନଙ୍କ ଘରେ ପରେ ମମତା ବାନାର୍ଜୀ ପୋଲିସ ସହିତ ଆଇ-ପିଏସିର ସଲ୍ଟଲେକ୍ ସ୍ଥିତ କାର୍ଯ୍ୟାଳୟକୁ ଯାଇ ସେଠାରେ ଜୋର ଜବରଦସ୍ତ ଭୈତିକ କାଗଜପତ୍ର ସମେତ ଇଲେକ୍ଟ୍ରୋନିକ୍ ସାକ୍ଷ ହଟାଇ ଦେଇଛନ୍ତି।

ଇଡି କହିଛି ଯେ ବାନାର୍ଜୀଙ୍କ କାର୍ଯ୍ୟ ଓ କୋଲକାତା ପୋଲିସ କମିଶନର ଯିଏ ଜୈନଙ୍କ ବାସଭବନରେ ଇଡି ଆସିବା ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ପିଏମଏଲଏରେ ଚାଲିଥିବା ଯାଞ୍ଚରେ ବାଧା ସୃଷ୍ଟି କରିଥିଲେ। ଏଥିରେ ଇଡି ବାନାର୍ଜୀଙ୍କ ସେହି ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛି ଯେଉଁଥିରେ ଏହି ଯାଞ୍ଚ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କହିଥିଲେ। ଇଡି ସ୍ପଷ୍ଟ କରିଛି ଯେ ଏହି ତଲାସୀ ଅଭିଯାନ ସ୍ପଷ୍ଟ ପ୍ରମାଣ ଆଧାରରେ ଓ କୌଣସି ରାଜନୈତିକ ସଂସ୍ଥାଙ୍କୁ ଲକ୍ଷ୍ୟ କରି ହୋଇ ନାହିଁ। ଏଥିରେ କୌଣସି ପାର୍ଟି କାର୍ଯ୍ୟାଳୟର ତଲାସୀ ନିଆଯାଇ ନାହିଁ। ଏହା ଛଡା ଇଡିର ଏହି ତଲାସୀ କୌଣସି ନିର୍ବାଚନ ସମ୍ପର୍କିତ ମଧ୍ୟ ନୁହେଁ, ଏହା ମନିଲଣ୍ଡ୍ରିଂ ବିରୋଧରେ ନିୟମିତ କାର୍ଯ୍ୟାନୁଷ୍ଠାନର ଅଂଶ ବିଶେଷ ବୋଲି କହିଛି।