ଲାଇଭ କନସର୍ଟ ବେଳେ ଗାୟିକାଙ୍କୁ ଆକ୍ରମଣ ଉଦ୍ୟମ, ନିଜେ ଅଭିଯୁକ୍ତ ଆୟୋଜନ କରିଥିଲା କାର୍ଯ୍ୟକ୍ରମ

NEWS7
2-girl-student-injured-as-bus-fall-down-in-bondhamunda

ନୂଆଦିଲ୍ଲୀ: ଲାଇଭ କନସର୍ଟରେ ଗୀତ ଗାଉଥିବା ବେଳେ ଗାୟିକାଙ୍କୁ ଆକ୍ରମଣ ଉଦ୍ୟମ। ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି। ଶନିବାର ପଶ୍ଚିମବଙ୍ଗର ଗାୟିକା ଲଗ୍ନଜିତା ଚକ୍ରବର୍ତ୍ତୀଙ୍କୁ ତାଙ୍କ କନସର୍ଟରେ ଏଭଳି ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି।

ସୂଚନା ଅନୁସାରେ, ଶନିବାର ପୂର୍ବ ମେଦିନୀପୁରର ଭଗବାନପୁରରେ ଏକ ଘରୋଇ ସ୍କୁଲରେ ଲଗ୍ନଜିତାଙ୍କ ଲାଇଭ ଶୋ’ ଚାଲିଥିଲା। ହେଲେ ଏହି ଶୋ’ ମଝିରେ ଜଣେ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଲଗ୍ନଜିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ମେହବୁବ ମାଲିକ ‘‘ଧର୍ମନିରପେକ୍ଷ’’ ଗୀତ ନ ଗାଇବା କାରଣରୁ ହଇରାଣ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମେହବୁବ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଏବଂ ସ୍କୁଲର ମାଲିକ।

ଲଗ୍ନଜିତା ଆହୁରି କହିଛନ୍ତି, ସେ ଏକ ବଙ୍ଗଳା ଧାର୍ମିକ ଗୀତ "ଜାଗୋ ମା" ଗାଉଥିଲେ। ଆଉ ଗୀତ ଗାଇବା ସମୟରେ ମେହବୁବ ମଞ୍ଚକୁ ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ମେହବୁବ ଚିତ୍କାର କରି କହୁଥିଲେ, ‘‘ଜାଗୋ ମା’ ଗାଇବା ବହୁତ ହେଲା ଏବେ କିଛି ସେକ୍ୟୁଲାର (ଧର୍ମନିରପେକ୍ଷ) ଗୀତ ଗାଆନ୍ତୁ।’’

ତେବେ ଏହା ପରେ ଲଗ୍ନଜିତା ଅଧାରୁ କନସର୍ଟ ଛାଡ଼ିଥିଲେ। ଗାୟିକା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭଗବାନପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ। ପରେ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ମେହବୁବଙ୍କୁ ଗିରଫ କରାଯାଇଥିଲା।

ବରିଷ୍ଠ ପୋଲିସ ଅଧିକାରୀ ମିତୁନ ଦେ କହିଛନ୍ତି, ‘‘ଭଗବାନପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ଏବଂ ଅନ୍ୟ ଜଣେ ଅଧିକାରୀଙ୍କ ବିରୁଦ୍ଧରେ ଏକ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ସେମାନଙ୍କ ଅବହେଳା ପାଇଁ ଆମେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ତେଜିଲା ରାଜନୀତି

ସେପଟେ ଘଟଣାକୁ ନେଇ ବିଜେପି ଅଭିଯୋଗ କରିଛି ମେହବୁବ, ଶାସକ ତୃଣମୂଳ କଂଗ୍ରେସର ସଦସ୍ୟ ଥିଲେ। ବିଜେପିର ଶଙ୍କୁଦେବ ପଣ୍ଡା କହିଛନ୍ତି, "ପଶ୍ଚିମବଙ୍ଗ ଜିହାଦୀଙ୍କ ହାତରେ ଅଛି। ସେମାନେ ଗାୟିକାଙ୍କୁ କେଉଁ ଗୀତ ଗାଇବା ଉଚିତ ତାହା ନିର୍ଦ୍ଦେଶ ଦେଉଛନ୍ତି। ଏହା ଏକ ହିନ୍ଦୁ ବିରୋଧୀ ରଣନୀତି ଥିଲା।"

ସେ ଅଭିଯୋଗ କରିଛନ୍ତି, " ଲଗ୍ନଜିତା ପୋଲିସ ଷ୍ଟେସନକୁ ଯାଇଥିଲେ, ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଲିସ ଅଭିଯୋଗ ପଞ୍ଜିକରଣ କରିବାକୁ ମନା କରିଦେଇଥିଲା।" ତେବେ ଏପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।