Mojtaba Khamenei: ରୁଷ୍‌କୁ ଏୟାରଲିଫ୍ଟ ହେଲେ ଇରାନର ନୂଆ ସୁପ୍ରିମ୍ ଲିଡର, ପୁଟିନଙ୍କ ମହଲରେ ହେଲା ସର୍ଜରୀ !

NEWS7
2-dead-as-accident-in-khurda

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଦାୟିତ୍ବ ଗ୍ରହଣ କରିଥିଲେ । କିନ୍ତୁ ପରେ ରିପୋର୍ଟ ଆସିଲା ଯେ, ଖାମେନିଙ୍କ ଉପରେ ହୋଇଥିବା ଆକ୍ରମଣରେ ମୋଜତାବା ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିଲା ଏବଂ ସେ କୋମାରେ ଅଛନ୍ତି ବୋଲି ଦାବି ହୋଇଥିଲା ।

ଏବେ ଆଉ ଏକ ରିପୋର୍ଟ ଅନୁସାରେ, ମୋଜତାବା ଖାମେନିଙ୍କୁ ରୁଷ୍କୁ ଏୟାରଲିଫ୍ଟ କରାଯାଇଛି । ସେଠାରେ ତାଙ୍କର ସର୍ଜରୀ ସଫଳ ହୋଇଛି । ତେବେ ରୁଷର ରାଷ୍ଟ୍ରପତି ଭବନ ପରିସରରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଫେବୃଆରୀ ୨୮ ଆକ୍ରମଣରେ ମୋଜତାବା ଗୁରୁତର ହୋଇଥିଲେ । ତାଙ୍କୁ ଉତ୍ତମ ଚିକିତ୍ସା ଏବଂ ସର୍ଜରୀର ଆବଶ୍ୟକତା ଥିଲା ବୋଲି କିଛି ରିପୋର୍ଟରେ ଦାବି ହୋଇଛି ।

ରୁଷର ପରାମର୍ଶ

ଇରାନ ସେନା ମୋଜତାବା ଥିବା ଗୁପ୍ତ ସ୍ଥାନର ତଥ୍ୟ ଲିକ୍ ହେଉ ବୋଲି ଚାହୁଁନଥିଲା । ଚିକିତ୍ସା ପାଇଁ ଆସୁଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ମାଧ୍ୟମରେ ମୋଜତାବା ଥିବା ସ୍ଥାନ ସଂପର୍କରେ ଶତ୍ରୁ ଦେଶ ତଥ୍ୟ ପାଇଯିବେ ବୋଲି ସେନା ଆଶଙ୍କା କରିଥିଲା । ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପକ୍ଷରୁ ମୋଜତାବାଙ୍କ ଚିକିତ୍ସା ରୁଷରେ କରାଇବା ପାଇଁ ଇରାନ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଆଯାଇଥିଲା । ରୁଷର ଏହି ପ୍ରସ୍ତାବକୁ ମୋଜତାବାଙ୍କ ସମେତ ଇରାନ ଅଧିକାରୀମାନେ ସମୀକ୍ଷା କରିଥିଲେ ଏବଂ ଏଥିରେ ରାଜି ହୋଇଥିଲେ । ଗୁରୁବାର ସନ୍ଧ୍ୟାରେ ମୋଜତାବାଙ୍କୁ ରୁଷୀୟ ଫାଇଟର ଜେଟ୍ରେ ମସ୍କୋ ନିଆଯାଇଥିଲା । ଏବେ ରୁଷୀୟ ଡାକ୍ତର ମୋଜତାବାଙ୍କ ଚିକିତ୍ସା କରୁଛନ୍ତି ଏବଂ ସେମାନଙ୍କୁ ଇରାନ ଡାକ୍ତରମାନେ ସହଯୋଗ କରୁଥିବା ନେଇ ଦାବି ହୋଇଛି ।

ଇସ୍ରାଏଲର ପ୍ରତିକ୍ରିୟା

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ମୁଜତାବାଙ୍କ ସ୍ଥାନ ଏବଂ ଅବସ୍ଥା ବିଷୟରେ ସୂଚନା ଅଛି । କିନ୍ତୁ ସେ ଏହି ତଥ୍ୟ ପ୍ରକାଶ କରିବେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ‘ମୁଁ ତାଙ୍କୁ (ମୋଜତାବା) ଜୀବନ ଗ୍ୟାରେଣ୍ଟି ଦେବି ନାହିଁ ।’ ସେପଟେ ଇସ୍ରାଏଲର କିଛି ଅଧିକାରୀଙ୍କ ଅନୁସାରେ, ମୋଜତାବାଙ୍କ ଅବସ୍ଥା ଗୁରୁତର ରହିଛି । କିନ୍ତୁ ଇରାନ୍ ଛାଡ଼ିବା ନେଇ କୌଣସି ସୂଚନା ଇସ୍ରାଏଲ ପାଖରେ ନାହିଁ ।

ପୂର୍ବରୁ ଅଲ-ଜାରିଦା ରିପୋର୍ଟ କରିଥିଲା ଯେ, ତେହେରାନରେ ସର୍ବୋଚ୍ଚ ନେତାଙ୍କ ଘର ଏବଂ କାର୍ଯ୍ୟାଳୟ ଥିବା କମ୍ପ୍ଲେକ୍ସ ଉପରେ ବିମାନ ଆକ୍ରମଣ ସମୟରେ ମୁଜତାବା ଗୁରୁତର ହୋଇଥିଲେ । ତାଙ୍କ ଶରୀରର ବାମ ପାର୍ଶ୍ୱରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆଘାତ ଲାଗିଥିଲା । ସେପଟେ ମୋଜତାବା ନୂଆ ସୁପ୍ରିମ ଲିଡର ଭାବରେ ଦାୟିତ୍ବ ନେବା ସମୟରେ ଏବଂ ତାପରେ କେବେ ବି ସାର୍ବଜନୀନ ସ୍ଥାନରେ ନଜର ଆସିନାହାନ୍ତି । ତେଣୁ ତାଙ୍କର ଗୋଟିଏ ଗୋଡ଼ କଟିବାର ଦାବି ହେଉ କିମ୍ବା ସେ କୋମାରେ ଥିବା ନେଇ ରିପୋର୍ଟରେ ସତ୍ୟତା ଥିବା ଭଳି ମନେ ହୁଏ ।