ପୃଥିବୀରେ ଏଲିଏନ୍? ଟ୍ରମ୍ପଙ୍କ ପାଖରେ ଅଛି ପ୍ରମାଣ, ବିଶ୍ୱ ଆଶ୍ଚର୍ଯ୍ୟ !

NEWS7
2-bjp-activist-arrested-for-objectionable-post-in-social-media

ନୂଆଦିଲ୍ଲୀ: ଆମେରିକାର ମିଶନ ଏଲିୟନ। ଫାଇଲ ଜାରି କରିବେ ଟ୍ରମ୍ପ୍ ! ରହସ୍ୟ ଘେରରେ ‘ଏରିୟା-୧୫’। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଏଲିୟନ୍ ଓ ବାହ୍ୟଗ୍ରହ ଜୀବଙ୍କ ସମ୍ପର୍କିତ ସରକାରୀ ଫାଇଲ୍ ଚିହ୍ନଟ କରି ସେଗୁଡ଼ିକୁ ଜାରି କରିବାକୁ ପ୍ରତିରକ୍ଷା ବିଭାଗ ସମେତ ଆମେରିକୀୟ ଏଜେନ୍ସିଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଦ୍ୟ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ଦେଶର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଗତ ସପ୍ତାହ ଏକ ପଡକାଷ୍ଟରେ ଏଲିୟନ ବାସ୍ତବ ବୋଲି ନିଜର ମତ ଉପସ୍ଥାପନ କରିବା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।

ଓବାମାଙ୍କ ବୟାନ ସ୍ୱାଭାବିକ ଥିଲେ ମଧ୍ୟ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ପଡ୍କାଷ୍ଟରେ ସେ କହିଥିଲେ, ଏଲିୟନ୍ ପ୍ରକୃତରେ ଥାଇପାରନ୍ତି। କିନ୍ତୁ ସେମାନଙ୍କୁ ସେ କେବେ ଦେଖି ନାହାନ୍ତି ଏବଂ ଏହି ବାହ୍ୟଗ୍ରହ ଜୀବଙ୍କ ରହିବା ପାଇଁ କୌଣସି ଗୁପ୍ତ ଭୂତଳ ସ୍ଥାନ ବିଷୟରେ ବି ଜାଣିନାହାନ୍ତି। ଏହି ସ୍ଥାନକୁ ରାଷ୍ଟ୍ରପତିଙ୍କଠୁ ମଧ୍ୟ ଲୁଚାଇ ରଖାଯାଇଛି। ଓବାମା ନିଜ ଇନ୍ଷ୍ଟା ପୋଷ୍ଟରେ ସ୍ପଷ୍ଟ କଲେ, ତାଙ୍କ ରାଷ୍ଟ୍ରପତିତ୍ୱରେ ପରଗ୍ରହୀ ଜୀବଙ୍କ ସହିତ କୌଣସି ଯୋଗାଯୋଗର ପ୍ରମାଣ ସେ ଦେଖିନଥିଲେ ।

ଓବାମାଙ୍କ ମତ ଉପରେ ଟ୍ରମ୍ପ୍ ଦୃଢ଼ ପ୍ରତିକ୍ରିୟା ଦେଇ ଏହାକୁ ତ୍ରୁଟି ବୋଲି କହିଲେ । ଓବାମା ଏ ବିଷୟ ସର୍ବସମ୍ମୁଖରେ ଉପସ୍ଥାପନ କରିବା ଉଚିତ୍ ନ ଥିଲା ବୋଲି ମଧ୍ୟ କହିଥିଲେ। ଟ୍ରମ୍ ଏୟାର ଫୋର୍ସ ଓ୍ୱାନ୍ରେ ସାମ୍ବାଦିକଙ୍କୁ କହିଲେ, ଏଲିୟନ୍ଙ୍କ ଉପରେ ତାଙ୍କର କୌଣସି ବ୍ୟକ୍ତିଗତ ମତ ନାହିଁ । କିନ୍ତୁ ଏହାକୁ ନେଇ ଅନେକଙ୍କ ରୁଚି ରହିଛି। ଏହା ପରେ ଟ୍ରୁଥ୍ ପ୍ଲାଟଫର୍ମରେ ସେ କହିଲେ, ଏଲିୟନ୍ ଜୀବନ, ୟୁଏଫ୍ଓ (ରହସ୍ୟମୟୀ ଉଡ଼ନ୍ତା ବସ୍ତୁ) ଓ ୟୁଏପି (ଅଜଣା ଉଡ଼ନ୍ତା ଘଟଣା) ସମ୍ପର୍କିତ ସମସ୍ତ ଫାଇଲ୍ ଜାରି କରାଯାଉ ବୋଲି ସେ ଚାହାନ୍ତି।

ଟ୍ରମ୍ପଙ୍କ ପ୍ରତିକ୍ରିୟା ପରେ ବିଶ୍ୱରେ ଅଧ୍ୟୟନକର୍ତ୍ତାଙ୍କ ମଧ୍ୟରେ ପୁଣି ଥରେ ନୂଆ ବିତର୍କ ଜନ୍ମ ନେଇଛି। ପୂର୍ବରୁ ଆଲୋଚନା ହେଉଥିବା ଏହି ଅସ୍ୱାଭାବିକ ଘଟଣା ଲୋକଙ୍କ କୌତୁହଳକୁ ଆହୁରି ବଢ଼ାଇଛି। ଏହାକୁ ନେଇ ଅନେକ କଳ୍ପନା, ଆଲୋଚନା ହେଉଛି । ଲୋକେ ଗୁଇନ୍ଦା ଏଜେନ୍ସିଗୁଡ଼ିକଠୁ ତଥ୍ୟର ସ୍ୱଚ୍ଛତା ଦାବି କରିଛନ୍ତି ।

ଏଲିୟନ୍ କଥା ଆସିଲେ, ‘ଏରିଆ-୫୧’ ସର୍ବଦା ଆଲୋଚନାର ବିଷୟ ହୋଇଥାଏ। ‘ଏରିଆ-୫୧' ବିନା ଏଲିୟନ୍ଙ୍କ ଉପରେ ଆଲୋଚନା ଅପୂର୍ତ୍ତ । ଏହା ନେବାଦାର ଛୋଟ ଟାଉନ୍ ରଶେଲ ଓ ହିକୋ ନିକଟରେ ସ୍ଥିତ ଏକ ଗୁପ୍ତ ଆମେରିକୀୟ ବାୟୁସେନା ଘାଟି। ଏଠାରେ ପ୍ରବେଶ ସମ୍ପୂର୍ଣ ନିଷେଧ। ଚେତାବନୀ ବୋର୍ଡ, ସଶସ୍ତ ପ୍ରହରୀ ଓ ୨୪ ଘଣ୍ଟିଆ ବୈଦ୍ୟୁତିକ ନିରୀକ୍ଷଣ ଲୋକଙ୍କୁ ଏଠାରୁ ଦୂରେଇ ରଖେ । ସାଟେଲାଇଟ୍ ଛବିରେ ଦୃଶ୍ୟମାନ ହେଲେ ମଧ୍ୟ ଏହି ଘାଟି ଉପରେ ବିମାନ ଉଡ଼ାଣ ଅବୈଧ।

ଶୀତଳ ଯୁଦ୍ଧ ସମୟରେ ୟୁ-୨ ଓ ଏସ୍କାର-୭୧ ବ୍ଲାକ୍ବାର୍ଡ ଭଳି ବିମାନର ପରୀକ୍ଷଣ ନିମନ୍ତେ ଏରିଆ-୧୫ର ସ୍ଥାପନା ହୋଇଥିଲା। ୨୦୧୩ରେ ସିଆଇଏ ଦ୍ଵାରା ଏହାର ଉପସ୍ଥିତିକୁ ଔପଚାରିକ ରୂପେ ମାନ୍ୟତା ଦିଆଗଲା। ଆଜି ବି ଏଠାରେ ଉନ୍ନତ ବିମାନ ଓ ଡ୍ରୋନ୍ ବିକାଶ ଜାରି ରହିଛି। କିଛି ବିଶେଷଜ୍ଞଙ୍କ ଅନୁସାରେ, ୧୯୫୦ ଦଶକ ପ୍ରାରମ୍ଭରେ ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଗୁଇନ୍ଦା ଏଜେନ୍ସିମାନେ ଏଲିୟନ୍ ଗୁଜବ ପ୍ରସାର କରିଥିଲେ।

ଗତ କିଛି ବର୍ଷ ହେଲା ରହସ୍ୟମୟ ଉଡ଼ନ୍ତା ବସ୍ତୁ ଲୋକଙ୍କ ରୁଚି ବଢ଼ାଇଛନ୍ତି । ୨୦୧୭ରେ ଏକ ଗୁପ୍ତ ପେଣ୍ଟାଗନ୍ ପ୍ରୋଗ୍ରାମ୍ ସମ୍ପର୍କରେ ରିପୋର୍ଟ ସାମ୍ନାକୁ ଆସିଥିଲା, ଯାହା ସେନା କର୍ତ୍ତୃପକ୍ଷଙ୍କ ଦ୍ବାରା ରିପୋର୍ଟ କରାଯାଇଥିବା କିଛି ଅସ୍ବାଭାବିକ ଦୃଶ୍ୟ ଉପରେ ଆଲୋକପାତ କରିଥିଲା । ତା'ପରେ ୨୦୨୨ରେ ଆମେରିକା କଂଗ୍ରେସ ୫୦ ବର୍ଷରେ ପ୍ରଥମ ଥର ୟୁଏଫ୍ଓ ସମ୍ପର୍କରେ ଶୁଣାଣି କରିଥିଲା। ଏପରିକି ପେଣ୍ଟାଗନ୍ ୟୁଏପି ବା ଏଲିୟନ୍ ସମ୍ପର୍କିତ ଘଟଣାର ତଥ୍ୟ ସଂଗ୍ରହ ଲାଗି ଏକ କାର୍ଯ୍ୟାଳୟ ମଧ୍ୟ ସ୍ଥାପନା କଲା ।

ତେବେ ଅଦ୍ୟାବଧି କୌଣସି ଯଞ୍ଚ ଏଲିୟନ୍ ଜୀବନର ପ୍ରମାଣ ପାଇନାହିଁ । ଯାହାକୁ ରହସ୍ୟମୟୀ ଉଡ଼ନ୍ତା ବସ୍ତୁ କୁହାଯାଇଛି, ତାକୁ ପରେ ସାଧାରଣ ବିମାନ, ପାଣିପାଗ ବେଲୁନ୍, ଡ୍ରୋନ୍ ଓ ଅନ୍ୟ ଉଡ଼ନ୍ତା ବସ୍ତୁ ଭାବେ ଚିହ୍ନଟ କରାଯାଇଛି। ଏହା ସତ୍ତ୍ୱେ ଲୋକେ ଏଲିୟନ୍କୁ ନେଇ ଖୁବ୍ ରୋମାଞ୍ଚିତ। ଯେତେବେଳେ କୌଣସି ରାଜନେତା ଏହି ପରଗ୍ରହୀ ଜୀବଙ୍କ ବିଷୟରେ ଆଲୋଚନା କରନ୍ତି, ଅସଂଖ୍ୟ ଅନୁମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ହୁଏ।