Live Live
LIVE

ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ମୁକ୍ତ ଓ ନିର୍ବାଧ ନିର୍ବାଚନର ଦେଲେ ଆଶ୍ୱାସନ

NEWS7
19-year-old-girl-married-with-61-year-old-man-after-family-called-police-on-him

କୋଲକାତା ୧୦।୩:  ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ସେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଭୋଟର ଲିଷ୍ଟରୁ ଜଣେବି ଯୋଗ୍ୟ ମତଦାତାଙ୍କ ନାମ କଟାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ବେଙ୍ଗଲରେ ଜନତା ସର୍ବଦା ନିରପେକ୍ଷ, ନିର୍ବାଧ, ଶାନ୍ତିପୂର୍ଣ୍ଣ ଓ ସହଭାଗୀ ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି। ସେହିପରି ସେ ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପାଳନ କରିବେ ଓ ଏଥିରେ ସାମାନ୍ୟତମ ଅବହେଳାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ
ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିସର ବ୍ୟାଖ୍ୟା କରି ଜ୍ଞାନେଶ କୁମାର କହିଛନ୍ତି ପଶ୍ଚିମବଙ୍ଗରେ ପାଖାପାଖି ୮୦,୦୦୦ ମତଦାନ କେନ୍ଦ୍ର ରହିଛି। ଏଥିରେ ପାଖାପାଖି ୬୧ ହଜାର ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ସେ କହିଛନ୍ତି ଆମର ଉଦ୍ଦେଶ୍ୟ ପଶ୍ଚିମବଙ୍ଗରେ ମୁକ୍ତ ଓ ନିର୍ବାଧ ନିର୍ବାଚନ ହେଉ। ସେ ଏହା ବି କହିଛନ୍ତି ଯେ ପ୍ରତ୍ୟେକ ପାତ୍ର ମତଦାତାଙ୍କୁ ମତଦାନର ଅଧିକାର ନିଶ୍ଚିତ ମିଳିବ।

ଭୋଟଗ୍ରହଣ କେନ୍ଦ୍ରରୁ ହେବ ୱେବକାଷ୍ଟିଂ
ଜ୍ଞାନେଶ କୁମାର କହିଛନ୍ତି ଯେ ନିର୍ବାଚନ ଆୟୋଗ ଭୋଟ ଗ୍ରହଣ ପ୍ରକ୍ରିୟାରେ ପାରଦର୍ଶିତା ପାଇଁ ସାରା ରାଜ୍ୟର ଭୋଟଗ୍ରହଣ କେନ୍ଦ୍ରମାନଙ୍କରେ ୧୦୦% ୱେବକାଷ୍ଟିଂ କରିବେ। ସେ କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟା ସମ୍ବିଧାନ ଅନୁସାରେ ସଞ୍ଚାଳିତ ହୋଇଥାଏ ଓ ଏହା ସମ୍ପୂର୍ଣ୍ଣ ନିରପେକ୍ଷ। ଏହା ଛଡା ନିର୍ବାଚନ କମିଶନର ଦିଲ୍ଲୀ ଫେରିବା ପରେ ଏକ ସମୀକ୍ଷା ବୈଠକ କରିବେ ବୋଲି ମଧ୍ୟ କହିଛନ୍ତି।

ଜ୍ଞାନେଶ କୁମାରଙ୍କୁ ବିରୋଧ
ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଶ୍ଚିମବଙ୍ଗରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଜ୍ଞାନେଶ କୁମାର ଦକ୍ଷିଣେଶ୍ୱରରେ ମନ୍ଦିର ଦର୍ଶନରେ ଯିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା। ବିକ୍ଷୋଭକାରୀ ‘ଫେରି ଯାଅ’ ସ୍ଲୋଗାନ ଦେବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି। ସେହପରି ରବିବାର ରାତିରେ ଜ୍ଞାନେଶ କୁମାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଏହିପରି ପ୍ରଦର୍ଶନ ହୋଇଥିଲା। ସୋମବାର ସକାଳେ ସେ କାଲିଘାଟ ମନ୍ଦିର ଯିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ମଙ୍ଗଳବାର ଦକ୍ଷିଣେଶ୍ୱର ବିରୋଧ ପରେ ବି ତାଙ୍କ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।