ଦେଢ଼ ମାସ ତଳେ ହୋଇଥିଲା ବାହାଘର: ହଠାତ୍ ଆତ୍ମହତ୍ୟା କଲେ ପତ୍ନୀ, ୧୦୦୦ କିମି ଦୂରକୁ ଯାଇ ସ୍ୱାମୀ ବି ହାରିଲେ ଜୀବନ

NEWS7
16-people-together-corona-positive-in-bhilwara

ନାଗପୁର: ଆଜିକାଲି ବିବାହର ମାନେ ବଦଳି ଯାଇଛି। ବିବାହକୁ ୨୪ ଘଣ୍ଟା ପୂରୁନି କେଉଁଠି ଡିଭୋର୍ସ ହେଉଛି ତ ଆଉ କେଉଁଠି ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରୁଛନ୍ତି। ୨୦୨୫ରେ ଡାଉରୀ ନିର୍ଯାତନା ଭଳି ଘଟଣା ବି ଦେଖିବାକୁ ମିଳିବା ଦୁର୍ଭାଗ୍ୟର କଥା ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ପତ୍ନୀ ଆତ୍ମହତ୍ୟା କରିବା ପରେ ୧୦୦୦ କିଲୋମିଟର ଦୂରରେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି।

ଯୌତୁକ ନିର୍ଯାତନା ମାମଲାରେ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବା ଅଭିଯୋଗରେ ନବବିବାହିତ ସ୍ୱାମୀ ନାଗପୁରର ଏକ ହୋଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମାଆ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବଞ୍ଚି ଯାଇଛନ୍ତି। ଏନେଇ ନାଗପୁର ପୋଲିସ ଶନିବାର ସୂଚନା ଦେଇଛି।

ମୃତକଙ୍କ ହେଲେ ସୁରଜ ଶିବନ୍ନା, ବୟସ ପ୍ରାୟ ୩୫ ବର୍ଷ। ସେ ବେଙ୍ଗାଲୁରୁର ବିଦ୍ୟାରଣ୍ୟପୁରା ଅଞ୍ଚଳର ବିଇଏଲ ଲେଆଉଟରେ ବାସ କରନ୍ତି। ପୋଲିସ କହିଛି ଯେ ସୁରଜଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ନାଗପୁରର ୱାର୍ଦ୍ଧା ରୋଡରେ ଥିବା ଏକ ହୋଟେଲରେ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ୬୦ ବର୍ଷୀୟା ମାଆ ଜୟନ୍ତୀ ଶିବନ୍ନା ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରି ସେହି କୋଠରୀରେ ଅଚେତ ଅବସ୍ଥାରେ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ପୁଲିସ ସୂଚନା ଦେଇଛି।

ସୁରଜ ଏବଂ ତାଙ୍କ ପତ୍ନୀ, ଗଣଭି, ପ୍ରାୟ ଦେଢ଼ ମାସ ହେବ ବିବାହ କରିଥିଲେ। ଦୁହେଁ ତାଙ୍କର ବିଦ୍ୟାରଣ୍ୟପୁରା ସ୍ଥିତ ବାସଭବନରେ ରହୁଥିଲେ। ହେଲେ ଏଇ ଗୁରୁବାର ହଠାତ୍ ତାଙ୍କ ପତ୍ନୀ ଗଣଭି ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ ମୃତ୍ୟୁ ପରେ, ତାଙ୍କ ବାପାମା ସୁରଜ ଏବଂ ତାଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଏକ ଅଭିଯୋଗ ଦାଖଲ କରିଥିଲେ, ଯାହା ଫଳରେ ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ ମାମଲା ରୁଜୁ କରିଥିଲା ପୁଲିସ। ଏଥିସହିତ ଅଭିଯୁକ୍ତ ପରିବାର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଣଭିଙ୍କ ପରିବାର ତୀବ୍ର ଆନ୍ଦୋଳନ ମଧ୍ୟ କରିଥିଲା।

ପୋଲିସର କହିବା ଅନୁଯାୟୀ, ମାମଲା ରୁଜୁ ହେବା ପରେ ଗିରଫ ହେବା ଭୟରେ ସୁରଜ ଏବଂ ତାଙ୍କ ମାଆ ଗଣଭିଙ୍କ ସମ୍ପର୍କୀୟମାନଙ୍କଠାରୁ ଧମକର ମିଳୁଥିବା ଅଭିଯୋଗ ଆଣି ବେଙ୍ଗାଲୁରୁ ଛାଡି ଦେଇଥିଲେ। ସେମାନେ ପ୍ରଥମେ ହାଇଦ୍ରାବାଦ ଯାଇଥିଲେ। ଏବଂ ପରେ ଡିସେମ୍ବର ୨୬ ତାରିଖରେ ନାଗପୁରରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ଏକ ହୋଟେଲରେ ଚେକ୍ ଇନ୍ କରିଥିଲେ। ସୁରଜଙ୍କ ସାନ ଭାଇ ସଞ୍ଜୟ ମଧ୍ୟ ସେମାନଙ୍କ ସହିତ ଥିଲେ।

ତେବେ ସୁରଜଙ୍କ ମୃତଦେହ ମିଳିବା ପରେ ହୋଟେଲ ଷ୍ଟାଫ୍ ପୁଲିସକୁ ଖବର ଦେଇଥିଲେ। ଏନେଇ ସୋନଗାଓଁ ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ନୀତିନ ମଗର କହିଛନ୍ତି ଯେ "ସୁରଜ ଶିବନ୍ନା ହୋଟେଲ ରୁମରେ ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁଅର ମୃତ୍ୟୁ ବିଷୟରେ ଜାଣିବା ପରେ, ତାଙ୍କ ମାଆ ଜୟନ୍ତୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ରକ୍ଷା କରାଯାଇଥିଲା।" "ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ବିପଦମୁକ୍ତ ଅଛନ୍ତି।"

ମାମଲାରେ ପୁଲିସ ସୁରଜଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ତାଙ୍କ ଭାଇର ବୟାନ ରେକର୍ଡ କରି ମାମଲାରେ ତଦନ୍ତ ଜାରି ରଖିଛି। ଏନେଇ ନାଗପୁର ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରାଯାଇଛି। ବେଙ୍ଗାଲୁରୁ ପୋଲିସ ସହିତ ସମନ୍ୱୟ ରଖି ତଦନ୍ତ ଜାରି ରହିଛି।

 ଆତ୍ମହତ୍ୟା ଏକ ଅପରାଧ। ଏହା ସବୁ ସମସ୍ୟାର ସମାଧାନ ନୁହେଁ। ଜୀବନ ଥିଲେ ସଂଘର୍ଷ ନିଶ୍ଚୟ ହେବ। ସଂଘର୍ଷକୁ ମୁକାବିଲା କରି ସମାଧାନ କରିବା ପ୍ରକୃତ ବ୍ୟକ୍ତିତ୍ୱର ପରିଚୟ। କୌଣସି ସମସ୍ୟାରେ ମନ ବିଚଳିତ ହେଲେ ବିଶେତଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍।