ମଇଦାନକୁ ଓହ୍ଲାଇଲେ ଦିଲୀପ, ୪ର୍ଥ ରାଜ୍ୟସଭା ସିଟ୍ ପାଇଁ ବଢିଲା ସସପେନ୍ସ

NEWS7
151-corona-case-in-odisha

ଭୁବନେଶ୍ଵର: ରାଜ୍ୟସଭା ୪ର୍ଥ ସିଟ୍ ପାଇଁ ଦିଲୀପ ରାୟ ଲଢିବେ ନିର୍ବାଚନ । ୫ ତାରିଖରେ ସେ ନାମାଙ୍କନ ଭରିବେ ବୋଲି ଘୋଷଣା କରିବା ପରେ ରାଜ୍ୟସଭା ରେସକୁ ନେଇ ବଢିଛି ଉତ୍କଣ୍ଠା । କାରଣ ଦିଲ୍ଲିପ ରାୟ ବିଜେପି ପ୍ରାର୍ଥି ନହୋଇ ସ୍ବାଧିନ ଭାବେ ଲଢିବାକୁ ଘୋଷଣା କରିଛନ୍ତି । ଏବଂ ତାଙ୍କ ପ୍ରାର୍ଥିତ୍ବକୁ ବିଜେପି ସମର୍ଥନ ଦେବ ବୋଲି ମଧ୍ୟ ଘୋଷଣା କରିଛି । ତେଣୁ ଦିଲୀପ ରାୟ ସଂଖ୍ୟା କେଉଁଠୁ ଆଣିବେ ତାକୁ ନେଇ ଉଠିଛି ପ୍ରଶ୍ନ । ନା ସେ କ୍ରସ ଭୋଟିଂ ଜରିଆରେ ନିର୍ବାଚନ ବୈତରଣୀ ପାର ହେବେ ତାକୁ ନେଇ ଜାରି ରହିଛି ସସପେନ୍ସ । ସେପଟେ କଂଗ୍ରେସରେ କ୍ରସ ଭୋଟିଂ ହେବ ନାହିଁ ବୋଲି ଦାବୀ କରିଛନ୍ତି ପିସିସି ସଭାପତି।

ଦିଲୀପ ରାୟ ମୈଦାନକୁ ଓହ୍ଲାଇବା ପରେ ବଢିଲା ୪ର୍ଥ ରାଜ୍ୟସଭା ସିଟ୍ ପାଇଁ ସସପେନ୍ସ । ରାଜ୍ୟସଭା ନିର୍ବାଚନ ଗଣିତରେ ବେଶ ଧୂରନ୍ଦର ଦିଲୀପ ରାୟ ପୁଣି ମାରିନେବେ କି ବାଜି । ୨୦୦୨ରେ ବିଜେଡିକୁ ଚକମା ଦେଇ ରାଜ୍ୟସଭା ସିଟ୍ ଜିତିଥିଲେ ଦିଲୀପ ରାୟ । ଏବେ ପୁଣି ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଭରିବେ ବୋଲି ଘୋଷଣା କରି ରାଜ୍ୟସଭା ନିର୍ବାଚନକୁ ରୋଚକ କରିଛନ୍ତି ଦିଲୀପ ।

Also read: ସେମାନେ କଥା ହେବାକୁ ଚାହୁଁଛନ୍ତି, କିନ୍ତୁ ବିଳମ୍ବ ହୋଇସାରିଛି...ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି

ଏବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ସହ ଦିଲୀପ ରାୟଙ୍କର ହେବ ସିଧା ମୁକାବିଲା । ବିଜେଡି ଦତ୍ତେଶ୍ବର ହୋତାଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଛି। ସେହି ଅନୁସାରେ କଂଗ୍ରେସ ମଧ୍ୟ ଦତ୍ତେଶ୍ବରଙ୍କୁ ସମର୍ଥନ କରିବ ବୋଲି ପ୍ରତିଶୃତି ଦେଇଛି । ତେବେ ଦିଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ମନମୋହନ ସାମଲଙ୍କ ଘୋଷଣା ରାଜ୍ୟସଭା ୪ର୍ଥ ସିଟ୍ ଗଣିତକୁ ଜଟିଳ କରିଛି ।

ତେବେ ପ୍ରଶ୍ନ ଉଠୁଛି ଦିଲୀପ ରାୟ ସ୍ବାଧିନ ପ୍ରାର୍ଥୀ ହେବାପରେ ସଂଖ୍ୟା କେଉଁଠୁ ଆଣିବେ । କାରଣ ବିଜେପି ସମର୍ଥନ ମିଳିଲେ ଦିଲୀପ ରାୟଙ୍କୁ ୨୨ଟି ଭୋଟ ମିଳିବ । ଜିତିବା ପାଇଁ ବାକି ୮ଟି ଭୋଟ୍ ସେ କିଭଳି ହାତେଇବେ । ତେଣୁ ସ୍ବାଭାବିକ ଭାବେ ଦିଲୀପ ରାୟଙ୍କୁ କ୍ରସ ଭୋଟିଂ ଉପରେ ନିର୍ଭର କରିବାକୁ ପଡିବ । ବିଜେଡିରୁ ନିଲମ୍ବିତ ସନା ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନ ବି ହାତେଇବାକୁ ଚେଷ୍ଟା କରିପାରନ୍ତି ଦିଲୀପ । କଂଗ୍ରେସ ବିଧାୟକ ଦଳରେ ଫାଟରୁ ମଧ୍ୟ ଫାଇଦା ଉଠାଇପାରନ୍ତି ।

Also read: ଦିଲୀପ କହିଲେ ମୁଁ ଜିତିବା ନେଇ ଆଶାବାଦୀ, ସବୁ ସମର୍ଥନ ଦେବ ଦଳ- ମନମୋହନ

କିନ୍ତୁ କଂଗ୍ରେସ କହିଛି ଯେ ନିଷ୍ପତ୍ତି ଅନୁଯାୟୀ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ କରିବ ଦଳ । କ୍ରସ ଭୋଟିଙ୍ଗର ପ୍ରଶ୍ନ ଉଠୁନି । ସେପଟେ ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସର ସମର୍ଥନ ନେଇ ବିଜେପି କହିଛି ଦୁଇ ବିରୋଧୀ ଦଳ ବାରମ୍ବାର ପରାସ୍ତ ହେଉଥିବାରୁ ଏବେ ଆତ୍ମରକ୍ଷା ପାଇଁ ଏକାଠି ହୋଇଛନ୍ତି । ବିଜେଡି କହିଛି ବିଜେପି ବିରୋଧରେ ଦୁଇ ବିରୋଧି ଦଳ ଲଢୁଛନ୍ତି । ତେଣୁ ବିରୋଧୀଙ୍କ ଭିତରେ ଏକମତ ହେଲେ ଅସୁବିଧା ରହିଲା କେଉଁଠି ।

ରାଜ୍ୟସଭା ୪ର୍ଥ ସିଟ୍ ଲଢେଇ ଏବେ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ସ୍ବାଭିମାନର ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ନା ବିରୋଧି ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା କିଏ ବନୁଛି ବାଜିଗର ତାହା ଦେଖିବାକୁ ପଡିବ ।