ନର୍ଥ ଇଣ୍ଡିଆନ୍ କେବଳ ସଫେଇ କରନ୍ତି, ପାଣିପୁରୀ ବିକନ୍ତି; ତାମିଲନାଡୁର ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ

NEWS7
15-year-old-bengaluru-girl-stabbed-father-with-boyfriend

ଚେନ୍ନାଇ: ତାମିଲନାଡୁରେ ଭାଷା ବିବାଦ ଥମିବାର ନାଁ ଧରୁନି । ତାମିଲନାଡୁ କୃଷି ମନ୍ତ୍ରୀ ଏମଆରକେ ପନ୍ନିରସେଲଭମ କହିଛନ୍ତି ଯେ, ଉତ୍ତର ଭାରତର ଲୋକମାନେ କେବଳ ହିନ୍ଦୀ ଜାଣନ୍ତି, ତେଣୁ ସେମାନଙ୍କୁ ଭଲ ଚାକିରି ମିଳେ ନାହିଁ। ସେମାନେ ତାମିଲନାଡୁ ଆସି ଟେବୁଲ ସଫା କରନ୍ତି, ଶ୍ରମିକ କିମ୍ବା ପାଣିପୁରୀ ବିକ୍ରେତା ଭାବରେ କାମ କରନ୍ତି।

ପନ୍ନିରସେଲଭମ ବୁଧବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁର ଦୁଇ ଭାଷା ନୀତି (ତାମିଲ ଏବଂ ଇଂରାଜୀ) ଯୋଗୁଁ ଆମର ପିଲାମାନେ ଆମେରିକା ଏବଂ ଲଣ୍ଡନ ଭଳି ସ୍ଥାନକୁ ଯାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଡିଏମକେ ନେତାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ବିଜେପି ଏବଂ ଅନ୍ୟାନ୍ୟ ବିରୋଧୀ । ତାମିଲନାଡୁ ବିଜେପି ପନ୍ନିରସେଲଭମଙ୍କ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛି ଯେ, ଏହା କେବଳ ଏକ ବ୍ୟକ୍ତିଗତ ମନ୍ତବ୍ୟ ନୁହେଁ, ବରଂ ଏକ ନମୁନା ।

ବିଜେପି କହିଛି, ‘ଅନେକ ଡିଏମକେ ନେତା ବାରମ୍ବାର ପ୍ରବାସୀ ଶ୍ରମିକଙ୍କୁ, ବିଶେଷକରି ଉତ୍ତର ଭାରତ କିମ୍ବା ହିନ୍ଦୀ ଭାଷାଭାଷୀଙ୍କୁ ପରିହାସ କରୁଛନ୍ତି। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଉଥିବା ବେଳେ ନେତାମାନଙ୍କ ଏଭଳି ମନ୍ତବ୍ୟ ବିପଦପୂର୍ଣ୍ଣ।’

ସମାଜବାଦୀ ପାର୍ଟି ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କଡ଼ା ବିରୋଧ କରିଛି । ଏସପି ସାଂସଦ ଅବଧେଶ ପ୍ରସାଦ କହିଛନ୍ତି, ଉତ୍ତର ଭାରତ ଦେଶକୁ ଅଧାରୁ ଅଧିକ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି । ଏଭଳି ମନ୍ତବ୍ୟ ସେମାନଙ୍କ ପ୍ରତି ଅପମାନ । ଜେଡିୟୁ ସାଂସଦ ସଂଜୟ କୁମାର ଝା କହିଛନ୍ତି, ଯେଉଁଆଡେ ଉତ୍ତର ଭାରତୀୟ ଯାଇଛନ୍ତି, ସେଠାରେ ଅର୍ଥବ୍ୟବସ୍ଥାକୁ ମଜଭୁତ କରିଛନ୍ତି । ଡିଏମକେ ନିଜର ଏହି ମନ୍ତବ୍ୟରେ ସ୍ପଷ୍ଟୀକରଣ ଦେବା ଦରକାର ।

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି, ‘ଆମର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ତାମିଲନାଡୁକୁ ଅନ୍ୟ ରାଜ୍ୟରୁ ଶ୍ରମିକ ଆସିବା ଆବଶ୍ୟକ। ସେମାନଙ୍କୁ ତାମିଲନାଡୁରେ ସ୍ୱାଗତ ଏବଂ ରାଜ୍ୟରେ ସେମାନେ ସୁରକ୍ଷିତ।’