ପରଲୋକରେ 'ପ୍ରମେୟ' ପ୍ରସାର ବିଭାଗର ବରିଷ୍ଠ ସଂଯୋଜକ, ମୁଖ୍ୟ କାର୍ଯ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳି

NEWS7
15-giraf-in-khalikot

ଭୁବନେଶ୍ୱର, ୦୮/୦୧: ‘ପ୍ରମେୟ’ ପ୍ରସାର ବିଭାଗର ବରିଷ୍ଠ ସଂଯୋଜକ ମାନସରଞ୍ଜନ ଦାଶଙ୍କ ବୁଧବାର ପରଲୋକ ହୋଇଯାଇଛି । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଗ୍ରାମ ନିକଟ ସାପୁଆ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ସମୟରେ ପରିବାର ସଦସ୍ୟ, ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ମାନସଙ୍କର ପତ୍ନୀ ଏବଂ ୪ ବର୍ଷର ପୁଅ ଅଛନ୍ତି । ଆଠଗଡ଼ ମାଟିକୋଟର ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାଶ ଏବଂ ମଞ୍ଜୁଲତା ଦାଶଙ୍କ ସୁପୁତ୍ର ମାନସ ଆଠଗଡ଼ସ୍ଥିତ ବିଶ୍ୱନାଥ ବିଦ୍ୟାପୀଠରୁ ମାଟ୍ରିକ, ଆଠଗଡ଼ ସାଇନ୍ସ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ପରେ ସମ୍ବଲପୁରରେ ଫାମାର୍ସୀ ପଢ଼ିଥିଲେ । ୨୦୧୩ରେ ସମ୍ ହସ୍ପିଟାଲରେ ଆକାଉଣ୍ଟାଣ୍ଟ ଭାବେ ଚାକିରି ଆରମ୍ଭ କରିଥିଲେ । ୨୦୧୫ରୁ ‘ପ୍ରମେୟ’ର ପ୍ରସାର ବିଭାଗରେ ବରିଷ୍ଠ ସଂଯୋଜକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ୪ ମାସ ହେବ ସେ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଦୁଇଟି ପର୍ଯ୍ୟାୟ ଅସ୍ତ୍ରୋପଚାର ହୋଇଥିଲା । ହଠାତ୍ ୧୫ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ତାଙ୍କର ଦେହାନ୍ତ ହୋଇଛି ।

ଏହି ଦୁଃଖଦ ଖବର ଯୋଗୁ ‘ସୋଆ’, ‘ପ୍ରମେୟ’ ଏବଂ ‘ନ୍ୟୁଜ୭’ ପରିବାରରେ ଶୋକର ଛାୟା ଖେଳିଯାଇଛି । ବୁଧବାର ଅପରାହ୍ନରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଉପସ୍ଥିତ ଉଭୟ ଅନୁଷ୍ଠାନର ଅଧିକାରୀ ଓ କର୍ମକର୍ତ୍ତା ତାଙ୍କର ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ଡ. ମନୋଜରଞ୍ଜନ ନାୟକ, ସୁମା ରିଅଲ ମିଡିଆ ପ୍ରାଇଭେଟ ଲିମିଟେଡର ସିଇଓ ସୁନିଲ ଦାସ, ‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସେଲ୍ସ ଆଣ୍ଡ୍ ମାର୍କେଟିଂ ଡାଇରେକ୍ଟର ହିମାଂଶୁ ହୋତା, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ‘ନ୍ୟୁଜ୍-୭’ କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ, ବିଜ୍ଞାପନ ବିଭାଗ ଡିଜିଏମ୍ ଏସ୍ଏଫ୍ ଅଲ୍ଲୀ, ‘ପ୍ରମେୟ’ ଡିଜିଟାଲ ମୁଖ୍ୟ ସରୋଜ ସାହୁ, ପିନାକ ନାୟକ, ଅମରେଶ ଦାସ, ଅମର ପଟ୍ଟନାୟକ ଓ ପ୍ରସାର ବିଭାଗର ଅନ୍ୟମାନେ ଉପସ୍ଥିତ ଥିଲେ।