ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଇଶାନ କିଶନ ବାଦ ! ମହମ୍ମଦ ଶାମି-ସରଫରାଜ ଖାନଙ୍କୁ ବି ନାହିଁ ସ୍ଥାନ

NEWS7
14-popular-android-apps-on-google-play-store-leak-more-than-14-crore-users-data

ନୂଆଦିଲ୍ଲୀ: ଫେବ୍ରୁଆରୀ ୭, ଶନିବାର ଭାରତ ଓ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ୨୦୨୬ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ହିଁ ମୈଦାନକୁ ଓହ୍ଲାଇବ । ଗ୍ରୁପ୍ ପର୍ଯ୍ୟାୟରେ ଆମେରିକା ସହ ଏହାର ମୁକାବିଲା ହେବ । ମୁମ୍ୱାଇର ୱାନଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଇଶାନ କିଶନଙ୍କ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ତାଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ ରିପୋର୍ଟ ଅନୁସାରେ, ଇଶାନଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ବାର୍ଷିକ କେନ୍ଦ୍ରୀୟ ଚୁକ୍ତରୁ ବାହାର କରିଦେଇଛି ।

ବିସିସିଆଇ ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କ ପାଇଁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଘୋଷଣା କରେ । ଖେଳାଳିଙ୍କୁ ସେମାନଙ୍କ ଗୁରୁତ୍ୱ ଓ ଫର୍ମାଟ ହିସାବରେ ଭିନ୍ନ ଭିନ୍ନ ଗ୍ରେଡରରେ ରଖାଯାଇଥାଏ । ପରେ ଏହି ଖେଳାଳିଙ୍କୁ ଭାରତୀୟ ବୋର୍ଡ ପୂରା ବର୍ଷକ ପାଇଁ ଦରମା ଦେଇଥାଏ । ଚଳିତ ବର୍ଷ ୨୦୨୫-୨୬ ସିଜିନ ପାଇଁ ବିସିସିଆଇ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ପ୍ରସ୍ତୁତ କରିଛି, ଯାହାର ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି ।

ଏକ ରିପୋର୍ଟରେ ଦାବି କରାଯାଇଛି, ଚଳିତ ଥର ୩୦ ଖେଳାଳିଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ପାଇଁ ଚୟନ କରାଯାଇଛି । କିନ୍ତୁ ଏଥିରେ ଷ୍ଟାର ଉଇକେଟ୍ କିପର ବ୍ୟାଟର ଇଶାନ କିଶନଙ୍କ ନାଁ ନାହିଁ । ଇଶାନ ନିକଟରେ ଦୁଇ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ସହ ବିଶ୍ୱକପ ପାଇଁ ମଧ୍ୟ ଚୟନ କରାଯାଇଥିଲା । ଏପରି ସ୍ଥିତିରେ ତାଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ସ୍ଥାନ ମିଳିବା ଏକ ବଡ଼ ପ୍ରଶ୍ନ ଠିଆ କରିଛି ।

ଆଶ୍ଚର୍ଯ୍ୟଜନକ ଭାବରେ, ସେ ଗତ ସିଜନରେ ଏହି କେନ୍ଦ୍ରୀୟ ଚୁକ୍ତିନାମାର ଅଂଶ ଥିଲେ । କିନ୍ତୁ ତାଙ୍କୁ ଥରେ ବି ଟିମ୍ ଇଣ୍ଡିଆ ପାଇଁ ଚୟନ କରାଯାଇ ନଥିଲା । ସେହି ସମୟରେ, ଇଶାନଙ୍କୁ ସି' ଗ୍ରେଡରେ ରଖାଯାଇଥିଲା, ଯାହା ପାଇଁ ସେ ପ୍ରତିବର୍ଷ ୧ କୋଟି ପାଉଥିଲେ । ତଥାପି ଏବେବି ଆନୁଷ୍ଠାନିକ ଘୋଷଣା ବାକି ଅଛି ଏବଂ ଟି-୨୦ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ପରେ ଇଶାନଙ୍କୁ ସିଜନର ମଧ୍ୟଭାଗରେ ଏକ କେନ୍ଦ୍ରୀୟ ଚୁକ୍ତିନାମା ପ୍ରଦାନ କରାଯାଇପାରେ ।

କେବଳ ଇଶାନ ନୁହେଁ, ଏଥର କେନ୍ଦ୍ରୀୟ ଚୁକ୍ତିନାମାରୁ ଆଉ ଚାରି ଜଣଙ୍କ ନାମ ବାଦ ପଡ଼ିଛି । ଗତ ବର୍ଷ ବିସିସିଆଇ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଥିଲା, ଯେଉଁଥିରୁ ପାଞ୍ଚ ଜଣଙ୍କୁ ବାଦ ଦିଆଯାଇଛି । ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କୁ ନୂତନ ଖେଳାଳି ଭାବରେ ସାମିଲ କରାଯାଇଛି । ଇଶାନଙ୍କ ବ୍ୟତୀତ, ବାଦ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଆଉ ଏକ ପ୍ରମୁଖ ହେଉଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି । ସେ ଗତ ବର୍ଷ ଏ' ଗ୍ରେଡ୍ ଥିଲେ, ଯାହା ପାଇଁ ସେ ପ୍ରତିବର୍ଷ ୫ କୋଟି ଟଙ୍କା ପାଉଥିଲେ।

ଏହା ବ୍ୟତୀତ, ଯୁବ ବ୍ୟାଟର ସରଫରାଜ ଖାନଙ୍କୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତିନାମାରୁ ବାଦ ଦିଆଯାଇଛି । ସରଫରାଜଙ୍କୁ ଶେଷ ଥର ପାଇଁ ସି ଗ୍ରେଡରେ ସାମିଲ କରାଯାଇଥିଲା, କିନ୍ତୁ ଅଷ୍ଟ୍ରେଲିଆ ଗସ୍ତ (୨୦୨୪-୨୫)ରେ ଟେଷ୍ଟ ସିରିଜ୍ ପରେ ସେ ଦଳକୁ ଫେରିପାରି ନାହାନ୍ତି । ସେହିପରି ଦ୍ରୁତ ବୋଲର ମୁକେଶ କୁମାର ଏବଂ ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାରଙ୍କୁ ମଧ୍ୟ ଏଥର କେନ୍ଦ୍ରୀୟ ଚୁକ୍ତିନାମାରୁ ବାଦ ଦିଆଯାଇଛି । ଉଭୟ ମଧ୍ୟ ସି ଗ୍ରେଡରେ ଥିଲେ ।