ବଲୁଚିସ୍ତାନରେ ଅନେକ ସହରରେ ବଲୁଚ ବିଦ୍ରୋହୀଙ୍କ ହମଲା, ୧୦ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ

NEWS7
12th-class-student-kidnapped-his-nephew-for-board-exam

ନୂଆଦିଲ୍ଲୀ: ପାକିସ୍ତାନର ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନ ପ୍ରଦେଶରେ ଅନେକ ସହରରେ ସନ୍ଦିଗ୍ଧ ବଲୁଚ ବିଦ୍ରୋହୀଙ୍କ ଦ୍ଵାରା ହମଲାରେ ୧୦ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଗତ ରବିବାର ସ୍ଥାନୀୟ ସମୟ ଅନୁସାରେ ଭୋର ସମୟ ୩ଟାରେ ପ୍ରାନ୍ତୀୟ ରାଜଧାନୀ କ୍ଵେଟାର ଅନେକ ପୋଲିସ ଷ୍ଟେସନକୁ ବନ୍ଧୁକଧାରୀ ଟାର୍ଗେଟ୍ କରିଥିଲେ। ତେବେ ପ୍ରକୃତରେ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇ ନାହିଁ।

ପାକିସ୍ତାନରେ ଦଶନ୍ଧି ଧରି ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜାରି ରହିଛି। ଏଠାରେ ବିଦ୍ରୋହୀ ବଲୁଚ ଦ୍ଵାରା ଆଫଗାନିସ୍ତାନ ଓ ଇରାନ ସୀମା ସଂଲଗ୍ନ ଖଣିଜରେ ଭରପୂର ଦକ୍ଷିଣ-ପଶ୍ଚିମ ପ୍ରାନ୍ତରେ ସରକାରୀ ବଳ, ବିଦେଶୀ ନାଗରିକ ଓ ଅଣ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି। କ୍ଵେଟାରେ ଥିବା ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି, ପୂରା ବଲୁଚିସ୍ତାନରେ ବିଶେଷ କରି କ୍ଵେଟା, ପସନି, ମସ୍ତଙ୍ଗ, ନୁଶକି ଓ ଗ୍ଵାଦର ଜିଲ୍ଲାରେ ଏକ ସଙ୍ଗେ ବନ୍ଧୁକଧାରୀ ଓ ଆତ୍ମଘାତୀ ହମଲା କରିଛନ୍ତି।

ଜୈନକ ଅଧିକାରୀ କହିଛନ୍ତି, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନିଜ ଯୋଜନାରେ ସଫଳ ହୋଇ ପାରି ନାହାନ୍ତି। ପାକିସ୍ତାନି ସୁରକ୍ଷାବଳ ଦ୍ଵାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ କାରଣରୁ ହମଲାକୁ ବ୍ୟାପକ ହେବାକୁ ଦିଆଯାଇ ନାହିଁ। ମାତ୍ର ଅଧିକାରୀଜଣକ ମୃତକ ସଂଖ୍ୟା ଉପରେ ଅଧିକାରି କୌଣସି ଟିପ୍ପଣୀ କରି ନାହାନ୍ତି। ଖବର ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବଳର କିଛି ସଦସ୍ୟଙ୍କୁ ବିଚ୍ଛିନ୍ନତାବାଦୀ ଅପହରଣ କରି ନେଇଛନ୍ତି। ଇଣ୍ଟରନେଟ୍ ଓ ଟ୍ରେନ ସେବା ବନ୍ଦ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।

ଏଏଫପିର ରିପୋର୍ଟ ଅନୁଯାୟୀ, ପ୍ରାନ୍ତର ସବୁଠୁ ସକ୍ରିୟ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବଲୁଚିସ୍ତାନ ଲିବେରେସନ ଆର୍ମି(ବିଏଲଏ) ଏହି ହମଲା ପାଇଁ ନିଜକୁ ଦାୟୀ କରିଛି। ସଂଗଠନ ଦାବି କରିଛି ଯେ, ଏହି ହମଲାରେ ସାରମିକ ପ୍ରତିଷ୍ଠାନ, ପୋଲିସ ଓ ନାଗରିକ ପ୍ରଶାସନର ଅଧିକାରୀଙ୍କୁ ଟାର୍ଗେଟ୍ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ପାକିସ୍ତାନର ପୋଲିସ କର୍ମଚାରୀ ନିହତ ହୋଇଛନ୍ତି। ତେବେ ପାକିସ୍ତାନ ସରକାର ଏ ପର୍ଯ୍ୟନ୍ତ ବିଏଲଏର ଦାବି ଉପରେ କୌଣସି ଟିପ୍ପଣୀ କରି ନାହିଁ।

ଅନ୍ୟପଟେ ପାକିସ୍ତାନୀ ସେନା ଅନୁଯାୟୀ, ବଲୁଚିସ୍ତାନରେ ଦୁଇଟି ଅଲଗା ଅଲଗା ଅପରେସନରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୪୧ ବିଚ୍ଛିନ୍ନତାବାଦୀ ନିହତ ହୋଇଛନ୍ତି। ଉଲ୍ଲେଖନୀୟ ଚଲୁଚସ୍ତାନ ପାକିସ୍ତାନର ସବୁଠୁ ଗରୀବ ରାଜ୍ୟ। ଏଠାରେ ଭରପୂର ପ୍ରାକୃତିକ ସମ୍ବଳ ରହିଛି, ଯାହାର ସଠିକ ବ୍ୟବହାର ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ।

ନିକଟ ବର୍ଷରେ ବଲୁଚ ବିଦ୍ରୋହୀ ପଡ଼ୋଶୀ ରାଜ୍ୟରୁ ଆସି ଏହି ଅଞ୍ଚଳରେ କାମ କରୁଥିବା ପାକିସ୍ତାନୀଙ୍କ ଉପରେ ଆକ୍ରମଣ ଜୋରଦାର କରିଛନ୍ତି। ଏହା ସହିତ ସେହି ବିଦେଶୀ ଏନର୍ଜି କମ୍ପାନି ଉପରେ ମଧ୍ୟ ହମଲା କରିଛନ୍ତି, ଯେଉଁ କମ୍ପାନି ଉପରେ ରାଜ୍ୟରୁ ଧନ ସଂପତ୍ତିର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି।