ଚୀନ୍ରେ ମୋୟା ମାନିଆ; ହଲି ହଲି ଚାଲୁଛି, ହସୁଛି, ଆଖି ବି ମାରୁଛି...

NEWS7
1280-affected-in-in-coronavirus-death-toll-at-41

ନୂଆଦିଲ୍ଲୀ: ଏବେ ସାରା ଦୁନିଆରେ ଏଆଇର ଚର୍ଚ୍ଚା। କମ୍ପ୍ୟୁଟର ଠାରୁ ଆରମ୍ଭ କରି ମୋବାଇଲ... ସବୁଥିରେ ଆସିଲାଣି ଏଆଇ। ଖୁବଶୀଘ୍ର ଦିନ ଆସିବ ଯେତେବେଳେ, ଏଆଇ ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯିବ। ଏହାରି ଭିତରେ ଚୀନର ଏକ ଏଆଇ ରୋବୋଟକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ରୋବୋଟଟି ଅନ୍ୟ ସବୁ ରୋବୋଟ ଠାରୁ ଭିନ୍ନ। ଏହି ରୋବୋଟ ଦେଖିବାକୁ ପୂରା ମଣିଷ ଭଳି। ଖାଲି ଯେ ରୋବୋଟ ମଣିଷ ଭଳି ଦେଖାଯାଉଛି ତାହା ନୁହେଁ, ବରଂ ଏହା ପୂରା ଜଣେ ଅବିକଳ ମଣିଷ ପରି ଚାଲୁଛି, ମୁଣ୍ଡ ହଲାଉଛି, କଥା କହୁଛି ଏମିତିକି ଆଖି ମଧ୍ୟ ଠାରି ପାରୁଛି।

ତେବେ ଏହି ରୋବଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆଗକୁ ଦୈନନ୍ଦିନ ଜୀବନରେ ରୋବୋଟଙ୍କ ଭୂମିକା କ’ଣ ରହିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଚୀନର ଡ୍ରଏଡ ଅପ୍ ନାମକ କମ୍ପାନି ତିଆରି କରିଛି ଦୁନିଆର ସବୁଠୁ ଉନ୍ନତ ଏଆଇ ରୋବୋଟ। ଯାହାର ନାଁ ରହିଛି ମୋୟା। ମୋୟା ଦେଖିବାକୁ ଅବିକଳ ମଣିଷ ପରି। ମୋୟାକୁ ଦୁନିଆର ପ୍ରଥମ ବାୟୋମିମେଟିକ୍ ଏମବୋଡିଡ୍ ଇଣ୍ଟେଲିଜେଣ୍ଟ ରୋବୋଟ ( ସଂପୂର୍ଣ୍ଣ ମାନବ ଅନୁରୂପ ବୁଦ୍ଧିମାନ ରୋବୋଟ) ବୋଲି କୁହାଯାଉଛି।

ମୋୟାର ବିଶେଷତ୍ବ

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ପକ୍ଷରୁ ଜାରି ଭିଡିଓରେ ମଧ୍ୟ ମୋୟାକୁ ମଣିଷ ଭଳି ହସୁଥିବା, ଚାଲୁଥିବା, ମୁଣ୍ଡ ହଲାଇବା ଏବଂ ଆଖି ମାରୁଥିବାର ଦେଖାଯାଇଛି। ରିପୋର୍ଟ ଅନୁସାରେ, ମୋୟାକୁ ପ୍ରାୟତଃ ମନୁଷ୍ୟ ଆକାରର ତିଆରି କରାଯାଇଛି। ଏହାର ଉଚ୍ଚତା ୧.୬୫ ମିଟର ରହିଥିବାବେଳେ, ଓଜନ ୩୨ କେଜି ରହିଛି। ଉନ୍ନତ ଓ୍ବାକର ୩ ଚେସିସରେ ନିର୍ମିତ ଏହି ରୋବୋଟରେ ଜାଲି ଭଳି ମାଂସପେଶୀ ରହିଛି। ଯାହା ରୋବୋଟର ଲୁକକୁ ଆହୁରି ବଢ଼ାଇଥାଏ।

ଏହି ରୋବୋଟ ନିଜ ଶରୀରର ତାପମାତ୍ରାକୁ ୩୨ରୁ ୩୬ ଡିଗ୍ରୀ ସେଲସିୟସ ମଧ୍ୟରେ ସ୍ଥିର ରଖିପାରେ। ଏହା ସହ ମୋୟା ନିଜ ଚେହେରାରେ ମଣିଷ ଭଳି ସୁକ୍ଷ୍ମ ଭାବନାର ନକଲ ମଧ୍ୟ କରିପାରେ। ଯାହା ଦ୍ବାରା କଥାବାର୍ତ୍ତା ସମୟରେ ଲାଗିବ ଯେ, ସତେ ଯେପରି ମୋୟା ଜଣେ ମନୁଷ୍ୟ। ମୋୟାର ଚାଲିବା ଶୈଳୀ ୯୨% ପର୍ଯ୍ୟନ୍ତ ମାନବ ଭଳି। ବିଶେଷଜ୍ଞଙ୍କ ମତରେ ଏହି ଡିଜାଇନର ବିଶେଷତା ମୋୟାକୁ, ଅନେକ ମଣିଷ ଭଳି ଦେଖାଯାଉଥିବା ରୋବୋଟ ଠାରୁ ଭିନ୍ନ କରୁଛି। ଏହା ଅନେକ କମ୍ପାନିଙ୍କ ହ୍ୟୁମାନ ରୋବୋଟକୁ ପଛରେ ପକାଇଛି।

ତେବେ ଡ୍ରଏଡଅପ୍ କମ୍ପାନି ମୋୟାକୁ ସ୍ବାସ୍ଥ୍ୟ ସେବା, ବରିଷ୍ଠଙ୍କ ଯତ୍ନ, ଶିକ୍ଷା ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରସ୍ତୁତ କରିଛି। ଅଧିକ ପରିଶ୍ରମ କରିପାରୁଥିବା ରୋବୋଟ ତୁଳନାରେ ମୋୟାକୁ ଅଧିକ କଥାବାର୍ତ୍ତା ଏବଂ ସାମାଜିକ ଚଳଣୀ ପାଇଁ ଡିଜାଇନ କରାଯାଇଛି। ଏହି ରୋବୋଟକୁ ମନୁଷ୍ୟ ସହ ଉତ୍ତମ ବ୍ୟବହାର କରିବା ପାଇଁ ଡିଜାଇନ ଉପରେ ଧ୍ୟାନ ଦିଆଯାଇଛି। ଯାହାଦ୍ବାରା ଏହି ରେବୋଟ ଘରୋଇ କାମରେ ଭାବନାତ୍ମକ ଭାବରେ ଆବଶ୍ୟକତାକୁ ପୂରଣ କରିପାରିବ। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଫୁଟେଜ ଅନୁସାରେ, ଏହି ରୋବୋଟ ୨୦୨୬ ଶେଷ ସୁଦ୍ଧା ବଜାରକୁ ଆସିପାରେ ।ଏହାର ଦାମ୍ ପ୍ରାୟ ୧.୨ ମିଲିୟନ ୟେନ ରହିପାରେ।