ଷ୍ଟାଲିନଙ୍କ ଏହି ବୟାନକୁ ନେଇ ତେଜିଲା ରାଜନୀତି, କହିଲେ- ତାମିଲ୍‌ନାଡୁରେ ହିନ୍ଦୀ ପାଇଁ କୌଣସି ସ୍ଥାନ ନାହିଁ

NEWS7
122-new-corona-cases-in-odisha

ନୂଆଦିଲ୍ଲୀ ୨୬।୦୧; ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ଅଧ୍ୟକ୍ଷ ଏମ୍ କେ ଷ୍ଟାଲିନ୍ ‘। ତାମିଲ ଭାଷା ସହିଦ ଦିବସ’ ଉପଲକ୍ଷେ ରବିବାର ରାଜ୍ୟର ଭାଷା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅତୀତରେ ''ହିନ୍ଦୀ ବିରୋଧୀ ଆନ୍ଦୋଳନ'' ସମୟରେ ପ୍ରାଣ ହରାଇଥିବା ରାଜ୍ୟର ''ଭାଷା ସହିଦ'' ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଉ କହିଥିଲେ, ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଏ ଏବଂ ଏଥିରେ କୌଣସି ସ୍ଥାନରେ କେବଳ ହିନ୍ଦୀ ପଢ଼ାଯିବା ଉଚିତ ବୋଲି କୁହାଯାଇ ନାହିଁ ।

ଏବେ ଷ୍ଟାଲିନଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏ ପ୍ରସଙ୍ଗରେ ଷ୍ଟାଲିନ୍ କହିଛନ୍ତି, ରାଜ୍ୟରେ ହିନ୍ଦୀ ପାଇଁ କୌଣସି ସ୍ଥାନ ନାହିଁ । ଏହାକୁ ଲଦିବାକୁ ଚେଷ୍ଟା କରାଗଲେ ଆମେ ବିରୋଧ କରିବୁ । ତାମିଲ ଭାଷା ପାଇଁ ଆମ ଭଲପାଇବା ଆଦୌ ମରିବ ନାହିଁ । ଯେବେ ବି ହିନ୍ଦୀ ଭାଷାକୁ ଆମ ଉପରେ ଲଦିବା ପାଇଁ ଉଦ୍ୟମ କରାଯାଇଛି, ତାହାର ବିରୋଧ ହୋଇଛି । ଆଗକୁ ମଧ୍ୟ ବିରୋଧ ଜାରି ରହିବ । ସେ ଆହୁରି କହିଛନ୍ତି, ହିନ୍ଦି ଭାଷା ନା କେବେ ଏଠି ଥିଲା, ନା ଅଛି, ନା ରହିବ ।

ସେ କହିଛନ୍ତି, ତାମିଲନାଡୁରେ, ହିନ୍ଦୀ ବିରୋଧୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କୁ ଭାଷା ଶହୀଦ କୁହାଯାଏ । ଆଜି ମଧ୍ୟ ଏହି ଦକ୍ଷିଣ ରାଜ୍ୟ ଦୁଇଟି ଭାଷାକୁ ଅନୁସରଣ କରେ । ତାହା ହେଉଛି ତାମିଲ ଏବଂ ଇଂରାଜୀ । ମୁଁ ସେହି ସହିଦମାନଙ୍କୁ କୃତଜ୍ଞତାପୂର୍ବକ ସମ୍ମାନ ଜଣାଉଛି, ଯେଉଁମାନେ ତାମିଲ ନିମନ୍ତେ ନିଜ ମୂଲ୍ୟବାନ ଜୀବନ ଉତ୍ସର୍ଗ କରିଥିଲେ । ଭାଷା ଯୁଦ୍ଧରେ ଏବେ ଆଉ କାହାର ଜୀବନ ଯିବ ନାହିଁ । ମୁଖ୍ୟମନ୍ତ୍ରୀ ଭାଷା ସହିଦ ଦିବସ ଅବସରରେ ‘ଏକ୍ସ’ରେ ହିନ୍ଦୀବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଇତିହାସର ଏକ କ୍ଷୁଦ୍ର ଭିଡିଓ ସେୟାର କରିଛନ୍ତି ।