LIVE TV

ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସଜାଗ ସମସ୍ତ ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ ନିଜେ କରୁଛନ୍ତି ତଦାରଖ

NEWS7
11-year-student-giving-coaching-of-drafting-designing-to-b-tech-m-tech-student

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ। କିଛି ଘଣ୍ଟାରେ ଗଭୀର ଅବପାତ, ଆଉ ଏହା ପରେ ବାତ୍ୟା ‘ମୋନ୍ଥା’ରେ ପରିଣତ ହୋଇ ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ଛୁଇଁବ ଆନ୍ଧ୍ର ଉପକୂଳ। ମଛଲିପାଟନମରୁ କଳିଙ୍ଗପାଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଥିବାବେଳେ, କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ।

ତେବେ ଆଶ୍ବସ୍ତିର କଥା ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବନି। ରାଜ୍ୟରେ ବଡ଼  କ୍ଷତି ମଧ୍ୟ  ପହଞ୍ଚାଇବ ନାହିଁ। ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶା ବେଶୀ ପ୍ରଭାବିତ ହୋଇପାରେ। ବର୍ତ୍ତମାନ ମାଲକାନଗିରି ଓ କୋରାପୁଟ ସୀମାରୁ କାକିନାଡ଼ା ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି। ତେଣୁ ୭ରୁ ରାଜ୍ୟରେ ବର୍ଷା ବଢ଼ିପାରେ ଏବଂ ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ସେହିଭଳି ୨୮ ରାତିରେ ଆନ୍ଧ୍ର ଅତିକ୍ରମ ପରେ ୨୯ ତାରିଖ ସକାଳେ ମାଲକାନଗିରି ଦେଇ ଓଡ଼ିଶାକୁ ପ୍ରବେଶ କରିପାରେ। ସେତେବେଳକୁ ଏହା ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମକୁ ହ୍ରାସ ପାଇସାରିଥିବ। ଏଥିପାଇଁ ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଏପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ବିଶେଷ ନଥିଲେ ମଧ୍ୟ ମୁକାବିଲା ପାଇଁ ସଂପୂର୍ଣ୍ଣ ରହିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । ସବୁ ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି | ଜଳବନ୍ଦୀ ପଏଣ୍ଟକୁ ନଜରରେ ରଖାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଅଙ୍ଗନବାଡି ବନ୍ଦ ରଖିବା ସହିତ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ଆଣିବାକୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କ ଦାୟିତ୍ବ ଦିଆଯାଇଛି । ଏହା ସହିତ ୧୪ଟି ଜିଲ୍ଲାର ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲାର ହରଭଂଗି ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦%କୁ ଅଣାଯାଇଛି । ଆବଶ୍ୟକ ପଡ଼ିଲେ ଆହୁରି ଖାଲି କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ବାତ୍ୟା ପାଇଁ ରାଜ୍ୟର ସମସ୍ତ ବନ୍ଦରକୁ ଡିସି ୧ ସତର୍କ ସୂଚନା ଜାରି କରାଯାଇଛି।୨୬ରୁ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି ।