Live Live
LIVE

ଚୀନ୍, ଜାପାନ, ଆମେରିକା ଭଳି ଦେଶ କେତେ ତୈଳ ରଖିଛନ୍ତି ଗଛିତ, ଭାରତରେ ଆଉ କେତେ ଦିନ ଚାଲିବ?

NEWS7
10-injured-in-bus-accident-in-soro-of-balesore

ନୂଆଦିଲ୍ଲୀ ୧୦।୩: ଆମଦାନୀ ତୈଳ ଉପରେ ଅତ୍ୟଧିକ ନିର୍ଭରଶୀଳ ଦେଶ ଯୋଗାଣ ବ୍ୟବଧାନ କାଳରେ ନିଜକୁ ସୁରକ୍ଷିତ ରଖିବା ଲାଗି ପ୍ରାୟତଃ ବଡ଼ ଜରୁରିକାଳୀନ ଭଣ୍ଡାର ରଖିଥାନ୍ତି। ଏପରି ଭଣ୍ଡାର ସୁରକ୍ଷା କବଚ ଭଳି କାମ କରିଥାନ୍ତି। ଏହା ଦ୍ୱାରା ସରକାରଙ୍କୁ ବଜାର ସ୍ଥିର ରଖିବା ଓ ବୈଶ୍ୱିକ ତୈଳ ପ୍ରବାହରେ ବ୍ୟବଧାନ ଉପୁଜିଲେ ଯୋଗାଣ ସୁନିଶ୍ଚିତ ରଖିବାରେ ସହାୟତା ମିଳିଥାଏ। ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ହରମୁଜ ଷ୍ଟ୍ରେଟରେ ବଢୁଥିବା ବ୍ୟବଧାନ ମଧ୍ୟରେ ଅନ୍ତର୍ଜାତୀୟ ଉର୍ଜା ଏଜେନ୍ସୀ (ଆଇଇଏ) ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥାଙ୍କୁ ସମନ୍ୱିତ କାର୍ଯ୍ୟାନୁଷ୍ଠାନର ଆହ୍ୱାନ ଦେଇଛନ୍ତି।

ଗ୍ରୁପ ଅଫ ସେଭେନ ଅର୍ଥମନ୍ତ୍ରୀଙ୍କ ସହ ବୈଠକରେ ଏଜେନ୍ସୀ ଦେଶମାନଙ୍କୁ ଅତ୍ୟାବଶକ ସ୍ଥଳେ ଜରୁରିକାଳୀନ ଭଣ୍ଡାର ଖୋଲିବା ପାଇଁ ବିଚାର କରିବାକୁ ଆଗ୍ରହ କରିଛନ୍ତି। ଜାପାନ ଅର୍ଥମନ୍ତ୍ରୀ ସାତସୁକୀ କାତାୟାମା କହିଛନ୍ତି ଯେ ଆଇଇଏ ପ୍ରତ୍ୟେକ ଦେଶଙ୍କୁ ତୈଳ ଭଣ୍ଡାର ସମନ୍ୱିତ ରୂପେ ଖୋଲିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଜି-୭ ଇନ୍ଧନ ବଜାରରେ ହେଉଥିବା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିବା ଓ ବୈଶ୍ୱିକ ଇନ୍ଧନ ଯୋଗାଣ ଲାଗି ଆବଶ୍ୟକ ଉପାୟ କରିବାକୁ ସହମତି ବ୍ୟକ୍ତ କରିଚନ୍ତି।

ରଣନୈତିକ ତୈଳ ଭଣ୍ଡାର କାହିଁକି ରଖିଥାନ୍ତି ଦେଶ?ଆଇଇଏଙ୍କ ନିୟମ ଅନୁସାରେ ଯେଉଁ ସଦସ୍ୟ ଦେଶଙ୍କୁ ରପ୍ତାନୀରୁ ଅଧିକ ତୈଳ ଆମଦାନୀ ହେଉଛି ସେମାନଙ୍କୁ ଅନୁନ୍ୟ ୯୦ ଦିନ ଆମଦାନୀ ସହ ସମାନ ତୈଳ ମହଜୁଦ ରଖିବା ଆବଶ୍ୟକ। ଏହି ଭଣ୍ଡାର ସାଧାରଣତଃ ସରକାରୀ ବ୍ୟବସ୍ଥା, ବାଣିଜ୍ୟିକ ଭଣ୍ଡାରଣ ଟ୍ୟାଙ୍କ ଏବଂ ଔଦ୍ୟୋଗିକ ଭଣ୍ଡାରରେ ରଖାଯାଏ।

ଯୁକ୍ତରାଷ୍ଟ୍ର ଆମେରିକାର ରହିଛି ସବୁଠୁ ବଡ଼ ତୈଳ ଭଣ୍ଡାର
ଯୁକ୍ତରାଷ୍ଟ୍ର ଆମେରିକାରେ ବିଶ୍ୱର ସବୁଠୁ ବଡ଼ ଜରୁରିକାଳୀନ ତୈଳ ଭଣ୍ଡାର ରହିଛି। ଆମେରିକା ଇନ୍ଧନ ସୂଚନା ପ୍ରଶାସନ ଅନୁସାରେ ସାମରିକ ପେଟ୍ରୋଲିୟମ ଭଣ୍ଡାରରେ ଏ ପର୍ଯ୍ୟନ୍ତ ୪୧୫.୪ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଗଛିତ ରହିଛି। ଏହାର ଅତିରିକ୍ତ ଘରୋଇ କମ୍ପାନୀଙ୍କ ବାଣିଜ୍ୟିକ ଭଣ୍ଡାରରେ ପାଖାପାଖି ୪୩୯.୩ ମିଲିୟନ ବ୍ୟାରଲ ତୈଳ ମହଜୁଦ ଅଛି।

୩-୪ମାସର ଚାହିଦା ପୂରଣ ପାଇଁ ଚୀନ୍ ର ରହିଛି ପର୍ଯ୍ୟାପ୍ତ ଭଣ୍ଡାର
ରିପୋର୍ଟରୁ ଜଣାପଡୁଛି ଯେ ଚୀନ୍ ବିଶ୍ୱର ସବୁଠୁ ବିଶାଳ ରଣନୈତିକ ଓ ବାଣିଜ୍ୟିକ ଅଶୋଧିତ ତୈଳ ଭଣ୍ଡାର ରହିଛି। ବିଶ୍ଲେଷକଙ୍କ ଅନୁସାରେ ଗତ ଜାନୁୟାରୀ ସୁଦ୍ଧା ଚୀନ୍ ନିକଟରେ ଆନୁମାନିକ ୧.୨ ବିଲିୟନ ବ୍ୟାରଲ ଅଶୋଧିତ ତୈଳ ଗଛିତ ଥିଲା। ଏହା ପାଖାପାଖି ଦେଶର ୩ରୁ ୪ ମାସ ଆବଶ୍ୟକତା ପୂରଣ କରିପାରିବ। ଏଣୁ ବୈଶ୍ୱିକ ଯୋଗାଣରେ କୌଣସି ପ୍ରକାରର ବ୍ୟବଧାନ ସ୍ଥିତିରେ ଆର୍ଥିକ ପ୍ରଭାବ ବିଳମ୍ବରେ ପଡିବ।

ଜାପାନର ବି ଅଛି ବିଶାଳ ତୈଳ ଭଣ୍ଡାର
ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳ ଜାପାନର ମଧ୍ୟ ବିଶାଳ ଅଶୋଧିତ ତୈଳ ଭଣ୍ଡାର ଅଛି। ଦେଶର ସରକାରୀ ଭଣ୍ଡାରରେ ପାଖାପାଖି ୨୬୦ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଗଛିତ ଅଛି। ଏଥିରେ ଯଦି ସାରା ଦେଶର ତୈଳ ମହଜୁଦ ଆକଳନ କରାଯାଏ ତେବେ ପାଖାପାଖି ୪୭୦ ମିଲିୟନ ବ୍ୟାରଲରୁ ବି ଅଧିକ ତୈଳ ଗଛିତ ଅଛି। ଦେଶର ସରକାରୀ ଭଣ୍ଡାର ଏକାକୀ ୧୪୬ ଦିନର ଆମଦାନୀକୁ ପୁରଣ କରୁଛି। ସେହିପରି ଘରୋଇ କମ୍ପାନୀମାନେ ୯୦ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ସହିତ ୧୮୦ ମିଲିୟନ ବ୍ୟାରଲ ଇନ୍ଧନ ଭଣ୍ଡାର ରଖିଛନ୍ତି।

ସମୁଦ୍ରରେ ତୈଳ ଭଣ୍ଡାରଣ
ଭୂମିଗତ ଟାଙ୍କି ବ୍ୟତୀତ ଦେଶମାନେ ବହୁମାତ୍ରାରେ ଅଶୋଧିତ ତୈଳ ସମୁଦ୍ରରେ ଟ୍ୟାଙ୍କରେ ସଂଗୃହୀତ କରି ରଖିଛନ୍ତି। ଆନାଲିଟିକ୍ସ ଫାର୍ମ କେପଲର ଅନୁସାରେ ବର୍ତ୍ତମାନ ପାଖାପାଖି ୮୦ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ସମୁଦ୍ରରେ ଭାସମାନ ତୈଳ ଟ୍ୟାଙ୍କର ଜାହାଜ ରେ ରହିଛି। ଏହାର ଦୁଇ ତୃତୀୟାଂଶ ଏସିୟ ଦେଶଙ୍କ ଉପକୂଳରେ ଅଛନ୍ତି। ଏହି ତୈଳର ଏକ ବଡ଼ ଭାଗ ପାଶ୍ଚାତ୍ୟ ଦେଶଙ୍କ କଟକଣା ସମ୍ମୁଖୀନ ହୋଇଥିବା ଇରାନ, ଭେନେଜୁଏଲା ଓ ଋଷିଆର ରହିଛି। ଏହି ଭାସମାନ ତୈଳ ଭଣ୍ଡାରରେ କେବଳ ଇରାନର ୫୦ ମିଲିୟନ ବ୍ୟାରଲ ତୈଳ ରହିଛି।

ଭାରତର ଭଣ୍ଡାରଣ ଶକ୍ତି କେତେ?
ଇରାନରେ ଜାରି ଯୁଦ୍ଧ ଓ ହରମୁଜ ଷ୍ଟ୍ରେଟ ଆଖପାଖରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତର ଇନ୍ଧନ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ନିକଟରେ ଜାରି ଏକ ସରକାରୀ ରିପୋର୍ଟରେ ଭାରତ ପାଖରେ ଏବେ ପାଖାପାଖି ୨୫୦ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଓ ପେଟ୍ରୋଲିୟମ ଉତ୍ପାଦ ଭଣ୍ଡାର ରହିଛି। ଏହି ଗଛିତ ତୈଳ ପାଖାପାଖି ୨ ମାସ ପର୍ଯ୍ୟନ୍ତ ଦେଶର ଆବଶ୍ୟକତା ପୂରଣ କରିପାରିବ। ଭାରତର ମୋଟ ଭଣ୍ଡାରଣ ପାଖାପାଖି ୪ ହଜାର କୋଟି ଲିଟର ଥିବାର ଅନୁମାନ କରାଯାଉଛି। ଏଥିରୁ ଜରୁରିକାଳୀନ ପରିସ୍ଥିତିରେ ଭାରତ ୭ରୁ ୮ ସପ୍ତାହର ଆବଶ୍ୟକତା ପୂରଣ କରିପାରିବ।

ଭାରତର ଏହି ଭଣ୍ଡାର ମଙ୍ଗଲୋର, ପଡୁର ଓ ବିଶାଖାପାଟଣାସ୍ଥିତ ଭୂତଳ ରଣନୈତିକ ଟାଙ୍କି ସହିତ ଅନ୍ୟ ସୁବିଧାରେ ସଂଗୃହୀତ କରାଯାଏ। ସେହିପରି ବ୍ୟାପକ ବିତରଣ ଅଂଶ ସ୍ୱରୂପ ଅତିରିକ୍ତ ଭଣ୍ଡାର ଭୂମି ଉପରେ ରହିଛି। ଏହିତୈଳ ଟ୍ୟାଙ୍କ, ପାଇପଲାଇନ ଓ ଉପକୂଳରେ ଜାହାଜରେ ରଖାଯାଇଛି। ଭାରତର ମାତ୍ର ୨୫ ଦିନର ତୈଳ ଭଣ୍ଡାର ଥିବା ନେଇ ରିପୋର୍ଟକୁ ଏଥିରେ ଖଣ୍ଡନ କରାଯାଇଛି।

ଭାରତର ତୈଳ ଆମଦାନୀରେ ରହିଛି ବିବିଧତା
ଭାରତ ପାଖାପାଖି ବିଶ୍ୱର ୪୦ଟି ଦେଶରୁ ତୈଳ ଆମଦାନୀ କରୁଛି। ତେବେ ଏକ ଦଶନ୍ଧୀ ପୂର୍ବରୁ ଏହି ସଂଖ୍ୟା ୨୭ ଥିଲା। ତେବେ ଭାରତର ଆମଦାନୀ ବିବିଧିକରଣର ଏହି ରଣନୀତି ଦେଶ ହିତା ଲାଗି ବୋଲି ଅଧିକାରୀ କହିଛନ୍ତି। ଯଦିଓ ହରମୁଜ ପ୍ରଣାଳୀ ଦେଇ ବିଶ୍ୱର ଅଧିକାଂଶ ଦେଶକୁ ତୈଳ ଯୋଗାଣ ହୋଇଥାଏ ଭାରତ ଏହି ମାର୍ଗରେ ମାତ୍ର ୪୦% ତୈଳ ଆଣେ। ବାକି ୬୦% ଋଷିଆ, ପଶ୍ଚିମ ଆଫ୍ରିକା, ଆମେରିକା ଓ ମଧ୍ୟ ଏସିୟ ଦେଶରୁ ଆଣେ। ଏଣୁ ଉପସାଗରୀୟ କ୍ଷେତ୍ରରେ ଉପୁଜିଥିବା ପରିସ୍ଥିତିରେ ଭାରତ ପ୍ରଭାବିତ ହେବା ଆଶଙ୍କା ବହୁତ କମ୍।