କଂଗ୍ରେସରେ ଆକ୍ଟିଭ୍ ଅଛନ୍ତି ସ୍ଲିପର୍ ସେଲ, ସେମାନଙ୍କୁ ଚିହ୍ନଟ କରିବା ଜରୁରୀ : କାହିଁକି ଏମିତି କହିଲେ ଦିଗବିଜୟ ?

NEWS7
1-month-to-cyaclone-fani-people-still-struggling-for-life

ନୂଆଦିଲ୍ଲୀ, ୨୮/୧୨: ବସିଛି କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ବୈଠକ । ଶନିବାର ବସିଥିବା ବୈଠକରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ । ଏଥିରେ ଉପସ୍ଥିତ ଥିବା ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କ ବୟାନ ଏବେ ଚର୍ଚ୍ଚାରେ । ସେ ଦଳର ସ୍ଥିତି ଏବଂ ଆଭ୍ୟନ୍ତରୀଣ କନ୍ଦଳ ନେଇ ପ୍ରଶ୍ନ କରିଛନ୍ତି । ସର୍ବପ୍ରଥମେ ସେ ହିଁ ନିଜର ମତ ରଖିଥିଲେ ।

ଦିଗବିଜୟ ସିଂ ଦଳରେ ଥିବା ଅନେକ ଦୁର୍ବଳତା ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ସେ ଦାବି କରିଛନ୍ତି ଯେ, ଦଳର ଅନେକ ସ୍ଲିପର୍ ସେଲ୍ ଅଛନ୍ତି । ଯେଉଁମାନଙ୍କୁ ଚିହ୍ନଟ କରିବା ଜରୁରୀ । ଏହି ବୟାନ ପରେ କଂଗ୍ରେସ ରାଜନୀତି ସରଗରମ ହୋଇ ଉଠିଛି । ସେ ଆହୁରି କହିଛନ୍ତି ଯେ, ନେତାମାନେ ଆନ୍ଦୋଳନ ଏବଂ ଶାସକଙ୍କୁ ବିରୋଧ କଥା କହୁଛନ୍ତି । କିନ୍ତୁ ତଳ ସ୍ତରରେ ଏହାକୁ ଲାଗୁ କରିବା ପାଇଁ ଭଲ କର୍ମୀ ନାହାଁନ୍ତି । ବିଜେପି ସରକାରକୁ ହଟାଇବା ପାଇଁ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ।

ଏହାକୁ ନେଇ କଂଗ୍ରେସର ମହାସଚିବ କେସି ବେଣୁଗୋପାଳ କହିଛନ୍ତି ଯେ, ଦଳରେ ସକ୍ରିୟ କର୍ମୀର ଅଭାବ ରହିଛି । ଦଳ ଯାହା ଟ୍ୱିଟ୍ କରୁଛି ତାକୁ ଅନେକ ରିଟ୍ୱିଟ୍ ମଧ୍ୟ କରୁ ନାହାଁନ୍ତି ।

ବୈଠକ ପୂର୍ବରୁ ଦିଗବିଜୟ ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ପୋଷ୍ଟ୍ କରିଥିଲେ । ଏଥିରେ ସେ ଆରଏସଏସ ଏବଂ ବିଜେପି ସଙ୍ଗଠନକୁ ପ୍ରଶଂସା କରିଥିଲେ । ଆରଏସଏସ ତୃଣମୂଳ ସ୍ତରରେ ଲୋକଙ୍କୁ ବାନ୍ଧି ରଖିଛି । ସଙ୍ଗଠନ ସୁଦୃଢ ରହିଛି । ,ଫଳରେ ବିଜେପି ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଦେଶରେ ସରକାର ଗଠନ କରିଛି । ଏହା ହେଉଛି ସଙ୍ଗଠନର ଶକ୍ତି । ଏହା ଲେଖି ସାରି ଏକ୍ସରେ ଜୟ ସିୟା ରାମ କହିଥିଲେ ଦିଗବିଜୟ ସିଂ ।