ବାରବାଟୀରେ ମ୍ୟାଚ୍ ପାଇଁ କମିସନରେଟ ପୋଲିସ ଜାରି କଲା ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା ?

NEWS7
1-dies-2-critical-as-pick-up-van-hits-in-rairangpur

କଟକ: ଆସନ୍ତା ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଏଥିପାଇଁ ଉଭୟ ଦଳର ଖେଳାଳିମାନେ ମଧ୍ୟ ପହଞ୍ଚିଲେଣି। ଉଭୟ ଦଳ ପୂର୍ବଦିନ ଅର୍ଥାତ ସୋମବାର ଅଭ୍ୟାସ ମ୍ୟାଚ ଖେଳିବେ। ଏମିତିରେ ଉକ୍ତ ଦିନରେ ଖେଳ ଓ ଖେଳାଳିଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖପାଖରେ ପ୍ରବଳ ଜନ ସମାଗମ ହେବ।

ତେଣୁ ଏହି ସମୟରେ ଯେପରି ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଅଣାୟତ୍ତ ନହେବ ସେଥିପାଇଁ କମିସନରେଟ ପୋଲିସ, ଭୁବନେଶ୍ବର- କଟକ ଆଡଭାଇଜରୀ କରିଛି। ସେହିଭଳି ମ୍ୟାଚ ଦିନ ଏହି ଦୁଇ ଦିନ ପାଇଁ ସ୍ବତନ୍ତ୍ର ପାର୍କିଂ କଟକଣା ମଧ୍ୟ ଜାରି କରିଛି । ଏହି କଟକଣା ସୋମବାର ଦିନ ୧୨ଟାରୁ ରାତି ୯ଟା ଏବଂ ମଙ୍ଗଳବାର (୯.୧୨.୨୦୨୫) ଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ।

ଜାରି ହୋଇଥିବା ଟ୍ରାଫିକ ଆଡଭାଇରୀ

୧. ମାତାମଠ ପଟୁ ମହାନଦୀ ରିଂ ରୋଡରେ ଆସଥୁବା ସମସ୍ତ ଯାନବାହନଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ିଗୁଡ଼ିକୁ ପାର୍କିଂ କରିପାରିବେ। କେବଳ ପାସ୍ ଥିବା ଯାନବାହନ ଗୁଡ଼ିକ ବାମ୍ବୋ ଡିପୋ ଗଡ଼ାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।

୨. ହାଓ୍ବଡ଼ା ମୋଟର ଛକ ଏବଂ ମଣିସାହୁ ଛକ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ଗ୍ରୀନାର ହୋଟେଲ ଛକରୁ ସିଧା ମଧୁସୂଦନ ଛକ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ପୁରୁଣା ‘ଲ’ ହଷ୍ଟେଲ ଛକ ଦେଇ ମହାନଦୀ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ିଗୁଡ଼ିକୁ ପାର୍କିଂ କରିପାରିବେ।

୩. କେବଳ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡି ଛକ ଆଡ଼ୁ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ତଳ ବାଲିଯାତ୍ରା ପଡ଼ିଆାରେ ଗାଡ଼ି ପାର୍କିଂ କରିପାରିବେ।

୪. କୌଣସି ଯାନବାହନ ଆନନ୍ଦ ଭବନ ଛକରୁ ଭାୟା ଜିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେମାନେ କ୍ୟାଣ୍ଟନମେଣ୍ଟ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ।

୫. ସମାଜ ଅଫିସ ଛକ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ମଧ୍ୟରୁ ପାସ୍ ଥିବା ଯାନବାହନ ବ୍ୟତୀତ ଅନ୍ୟ କୌଣସି ଯାନବାହନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ ନାହିଁ।

୬. ଓଡ଼ିଶା କ୍ରିକେଟ ଏକାଡେମୀ ପଡ଼ିଆରେ ଗାଡ଼ି ପାର୍କିଂ କରିବା ନିମନ୍ତେ ପାସ୍ ଥିଲେ ସେମାନେ ଓ୍ବା.ଏମ୍.ସି.ଏ ରାସ୍ତା ଓ ଲାୟନ ଆଇ ହସ୍ପିଟାଲ ଦେଇ ନିଜ ଗାଡ଼ିକୁ ପାର୍କିଂ କରିପାରିବେ।

୭. ରିଜର୍ଭ ପୋଲିସ ଲାଇନ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ଓଡ଼ିଶା ପୋଲିସ ସଂଘ (ଓପା) ଠାରୁ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।

୮. ପାସ୍ ଥିବା ଯାନ ବ୍ୟତୀତ ମଧୁସୂଦନ ଷ୍ଟାଚ୍ୟୁ ଛକରୁ କୌଣସି ଗାଡ଼ି ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।

୯. କେବଳ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ଲାୟନ୍ସ ଆଇ ହସ୍ପିଟାଲ ଛକରୁ କିଲ୍ ଖାନା ରାସ୍ତା ଦେଇ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ମହାନଦୀ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।

୧୦. କୌଣସି ଭାରିଯାନ ମହାନଦୀ ଓ କାଠଯୋଡ଼ି ରିଂ ରୋଡ ଏବଂ ସହର ମଧ୍ୟରେ ଚଳପ୍ରଚଳ ନିଷେଧ ସକାଳ ୮ ଘଟିକାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ।

୧୧. ତା. ୦୮.୧୨.୨୦୨୫ରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ ନିମନ୍ତେ ମହାନଦୀ ରିଂ ରୋଡ ଯଥା ଚହଟା ଛକ ଓ ଶିଖରପୁର ଛକରୁ ବାମ୍ବୋ ଡିପୋ ପର୍ଯ୍ୟନ୍ତ ଦିବା ୧୨ ଘଟିକାରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।