ବାଚସ୍ପତିଙ୍କ ଆସନକୁ ପେପର ଫିଙ୍ଗିବା ମାମଲାରେ ଆକ୍ସନ, ବଜେଟ୍ ଅଧିବେଶନରୁ ୮ ବିରୋଧୀ ସାଂସଦ ନିଲମ୍ୱିତ

NEWS7
ସ୍ମାର୍ଟ-ବାବାଙ୍କ-ସୁଇସାଇଡ୍

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ଲୋକସଭାରେ ମଙ୍ଗଳବାର ବି ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଥରେ ଜେନେରାଲ୍ ନରୱେଣଙ୍କ ଅପ୍ରକାଶିତ ପୁସ୍ତକ କଥା ଉଲ୍ଲେଖ କରିଥିଲେ, ଯାହାକୁ ଶାସକ ଦଳ ବିରୋଧ କରିଥିଲା । ଏହି ସମୟରେ କିଛି ବିରୋଧୀ ସାଂସଦ ପୀଠାସୀନଙ୍କ ଉପରକୁ ପେପର ଫିଙ୍ଗି ଗୃହର ମର୍ଯ୍ୟାଦା ଭାଙ୍ଗିଥିଲେ । ଏବେ ଏହି ସାଂସଦମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂରା ବଜେଟ୍ ଅଧିବେଶନ ପାଇଁ ଏହି ସାଂସଦମାନଙ୍କୁ ନିଲମ୍ୱନ କରାଯାଇଛି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ୮ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ପୂରା ଅଧିବେଶନ ପାଇଁ ନିଲମ୍ୱିତ କରିଛନ୍ତି । ଏହା ପରେ ବାଚସ୍ପତୀ ଗୃହକୁ ବୁଧବାର ସକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବିରୋଧୀ ସାଂସଦମାନେ ଏହି ବିଲମ୍ୱନ ବିରୁଦ୍ଧରେ ରାହୁଲ-ପ୍ରିୟଙ୍କାଙ୍କ ସହ ମିଶି ସଂସଦ ପରିସରରେ ପ୍ରଦର୍ଶନ କରୁଛନ୍ତି ।

ମଙ୍ଗଳବାର ଅପରାହ୍ଣରେ ଯେତେବେଳେ ଚତୁର୍ଥ ଥର ପାଇଁ ଲୋକସଭାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା, ସେତେବେଳେ ପୀଠାସୀନ ଅଧିକାରୀଙ୍କ ସ୍ପଷ୍ଟ କରିଥିଲେ ଯେ ବାଚସ୍ପତିଙ୍କ ଆଡ଼କୁ କାଗଜ ଫିଙ୍ଗିଥିବା ସଦସ୍ୟଙ୍କ ନାଁ ରେକର୍ଡ କରାଯିବ । ଏହା ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ ରିଜିଜୁ ଏପରି ସାଂସଦଙ୍କୁ ସସପେଣ୍ଡ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗୃହରେ ଧ୍ୱନିମତରେ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିଲା ।

କେଉଁ ସାଂସଦଙ୍କୁ କରାଯାଇଛି ନିଲମ୍ୱନ ?

ଡିନ କୁରିୟାକୋସ

କିରଣ ରେଡ୍ଡି

ଅମରିନ୍ଦର ସିଂହ ରାଜା ୱାରିଙ୍ଗ

ମଣିକମ ଟାଗୋର

ଗୁରଜିତ୍ ଔଜଲା

ହିବି ଇଡେନ

ପ୍ରଶାନ୍ତ ପାଡୋଲେ

ଏସ.ଭେଙ୍କଟସେନ

ଏହା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ଲୋକସଭାରେ ପାର୍ଟିର ସଦସ୍ୟଙ୍କ ନିଲମ୍ୱନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିରୋଧୀଙ୍କ ଅଭିଯୋଗ ଯେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କୁ କହିବାକୁ ଦିଆଯାଉ ନାହିଁ ।