ଆମେରିକା-ତାଇୱାନ ଅସ୍ତ୍ରଶସ୍ତ୍ର ବୁଝାମଣାକୁ ନେଇ ଟ୍ରମ୍ପଙ୍କୁ ସତର୍କ କଲେ ଜିନପିଙ୍ଗ, ଜାଣନ୍ତୁ କ’ଣ କହିଲା ତାଇପେ?

NEWS7
ସମ୍ୱଲପୁରରେ-ନଗଡ଼ାର-ଚିତ୍ର

ବେଜିଂ ୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ୪ ଫେବୃଆରୀ ଟେଲିଫୋନ କଥାବାର୍ତ୍ତାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରିରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଏପ୍ରିଲ ୨୦୨୬ରେ ବେଜିଂ ଗସ୍ତରେ ଆସୁଥିବାର ପୁଷ୍ଟି କରିଛନ୍ତି। ବ୍ୟାପାର ପ୍ରସଙ୍ଗରେ ଉଭୟପକ୍ଷ ଆମେରିକାରୁ ସୋୟାବିନ, ତୈଳ ଓ ଗ୍ୟାସ କ୍ରୟ ସହିତ ଉଡାଜାହାଜ ଇଞ୍ଜିନ ଭଳି ଭାରି ଯନ୍ତ୍ରପାତି ଯୋଗାଣ ନେଇ ଚୀନ୍ ର ସଂକଳ୍ପ ଉପରେ ଆଲୋଚନା କରିଛନ୍ତି।

ତେବେ ଚୀନ୍ ଓ ଆମେରିକା ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାକୁ ନେଇ ତାଇପେଇ ବିଚଳିତ ନଥିବାର କହିଛି, ବରଂ ଏହା ଦ୍ୱାରା ପରିସ୍ଥିତିକୁ ସ୍ଥିର କରିବା ପାଇଁ ସହାୟତା ମିଳିବ ବୋଲି କହିଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଭିଡିଓ କଲରେ ଜିନପିଙ୍ଗ କଥା ହେବା ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଛି। ଟେଲିଫୋନରେ ହୋଇଥିବା ଏହି କଥାବାର୍ତ୍ତାରେ ଚୀନ୍ ରଷ୍ଟ୍ରପତି ମୁଖ୍ୟ ରୂପେ ‘ତାଇୱାନ’ପ୍ରସଙ୍ଗକୁ ଆମେରିକା-ଚୀନ୍ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି।

ତାଇୱାନକୁ ମିଳିବାକୁ ଥିବା ୧୧ ବିଲିୟନ ଡଲାରର ଆମେରିକୀୟ ଅସ୍ତ୍ରଶସ୍ତ୍ର ପ୍ୟାକେଜକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସି ଜିନପିଙ୍ଗ କହିଛନ୍ତି ଯେ ଆମେରିକା ଏହି ପ୍ରସଙ୍ଗକକୁ ‘ଅତ୍ୟନ୍ତ ସାବଧାତା’ ଓ ‘ବିବେକ’ ଦ୍ୱାରା ସମ୍ଭାଳିବା ଉଚିତ। ସେ ଏହା ବି କହିଛନ୍ତି ଯେ ତାଇୱାନକୁ ଚୀନ୍ ନିଜଠାରୁ କେବେ ପୃଥକ ହେବାକୁ ଦେବ ନାହିଁ ଓ ତାର କ୍ଷେତ୍ରୀୟ ଅଖଣ୍ଡତାର ରକ୍ଷା କରିବ। ଚୀନ୍ ଉଭୟପକ୍ଷରୁ ୨୦୨୬ରେ ପାରସ୍ପରିକ ସମ୍ମାନ, ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ୱ ଓ ପାରସ୍ପାରିକ ଲାଭଦାୟକ ସହଯୋଗ ଦିଗରେ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହା ସହିତ ସେ ଏ କଥା ମଧ୍ୟ କହିଛନ୍ତି ଯେ ଆମେରିକା-ଚୀନ୍ ସମ୍ପର୍କ ତେବେ ଯାଇ ସଫଳ ହେବ ଯେବେ ଉଭୟ ପକ୍ଷ ପ୍ରସଙ୍ଗକୁ ଗୋଟିଗୋଟି କରି ସମାଧାନ କରିବେ ଓ ଛୋଟମୋଟ ଭୁଲ ସୁଧାରିବେ।

ଚୀନ୍ ରାଷ୍ଟ୍ରପତି ବ୍ୟାପାରିକ ଆହ୍ୱାନକୁ ରଚନାତ୍ମକ ଓ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ଉପାୟରେ ସମାଧାନ କରାଯାଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଚୀନ୍ ବିଜ୍ଞପ୍ତିରେ ଆଗାମୀ ଶିଖର ସମ୍ମିଳନୀ ପୂର୍ବରୁ ବାର୍ତ୍ତା ଆଗକୁ ବଢାଇବାକୁ ଓ ଦ୍ୱିପାକ୍ଷୀୟ ସହଯୋଗକୁ ମଜଭୁତ କରିବା ଉପରେ ଆଲୋକପାତ କରିଛନ୍ତି। ସେପଟେ ଜିନପିଙ୍ଗଙ୍କ ସହ ଆଳାପ ନେଇ ଟ୍ରମ୍ପ ତାଙ୍କ ଟ୍ରୁଥ ସୋସାଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଏହା ବାର୍ତ୍ତାକୁ ଉତ୍କୃଷ୍ଟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଟେଲିଫୋନ ଆଳାପ ବେଶ୍ ଦୀର୍ଘ ଓ ଗହନ ଥିଲା। ଟ୍ରମ୍ପ କହିଛନ୍ତି ଯେ ତାଇୱାନ ବ୍ୟତୀତ ସେ ଋଷିଆ-ୟୁକ୍ରେନ ଯୁଦ୍ଧ ଓ ଇରାନ ସହ ଏବେକା ପରିସ୍ଥିତି ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଜିନପିଙ୍ଗଙ୍କ ସହିତ ନିଜର ବ୍ୟକ୍ତିଗତ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ଟ୍ରମ୍ପ କହିଛନ୍ତି ଯେ ‘ଚୀନ୍ ସହିତ ସମ୍ପର୍କ, ବିଶେଷ କରି ଜିନପିଙ୍ଗଙ୍କ ସହ ମୋର ସମ୍ପର୍କ ବହୁତ ଭଲ’। ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ମୋର ବିଶ୍ୱାସ ମୋ ରାଷ୍ଟ୍ରପତି କାର୍ଯ୍ୟକାଳର ଆଗାମୀ ୩ ବର୍ଷରେ ରାଷ୍ଟ୍ରପତି ସି ଓ ପ୍ୟୁପିଲସ୍ ରିପବ୍ଲିକ ଅଫ ଚାଇନା ସମ୍ପର୍କିତ ଅନେକ ସକରାତ୍ମକ ପରିଣାମ ପ୍ରାପ୍ତ ହେବ’। ତେବେ ଜିନପିଙ୍ଗ ଓ ଟ୍ରମ୍ପଙ୍କ ଟେଲିଫୋନ ଆଳାପକୁ ନେଇ ତାଇୱାନ ଉପବିଦେଶ ମନ୍ତ୍ରୀ ମିଙ୍ଗ ଚି ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ ଏହି ଟେଲିଫୋନ ଆଳାପକୁ ନେଇ ବିଶେଷ ଚିନ୍ତିତ ନୁହଁ’। ତେବେ ଲାଗୁଛି ଏହା ଦ୍ୱାରା ପରିସ୍ଥିତିକୁ ସ୍ଥିର କରିବାରେ ସହାୟତା ମିଳିବ।