ଓଡ଼ିଶା ସହ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ଅମୃତ ଭାରତ, ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା

NEWS7
ଶିମିଳିପାଳ-ଅଭୟାରଣ୍ୟ-ଭିତରେ

  • ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି
  • ଓଡ଼ିଶା ସହ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ଅମୃତ ଭାରତ ଟ୍ରେନ୍
  • ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
  • ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୨।୩: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡ଼ିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ନୂତନ ଅମୃତ ଭାରତ ଟ୍ରେନ୍ ଆସାମର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ । ଏହା ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ ।

ଏ ଖବର ବି ପଢ଼ନ୍ତୁ:- ବ୍ୟାଙ୍କ୍ ସିକ୍ୟୁରିଟି ଗାର୍ଡଙ୍କ ଘରେ ଭଡ଼ାରେ ରହୁଥିଲେ କିରାଣୀ, କ'ଣ ପାଇଁ ହେଲା ଏମିତି...

ଉଲ୍ଲେଖନୀୟ ଯେ, 18403/18404 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ୍ ଟ୍ରେନ୍ ଧାନବାଦ୍ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନ ଦେଇ ଯିବ। ଏହିଟ୍ରେନକୁ ଏବେ ନିୟମିତ କରାଯାଇଛି ।

ସେହିପରି 08439/08440 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ ଏବଂ ବାଲେଶ୍ବର ଷ୍ଟେସନ୍ ଦେଇ ଯିବ । ଏହାକୁ ମଧ୍ୟ ନିୟମିତ କରାଯାଇଛି ।

ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

​​​​​​​