ରାଜ୍ୟରେ ହେବ କି ନୂଆ ଆଞ୍ଚଳିକ ଦଳ ? ମହମ୍ମଦ ମୋକିମ ଓ ବିଜୟ ମହାପାତ୍ରଙ୍କ ଭେଟଘାଟ ପରେ ବଢ଼ିଲା ଚର୍ଚ୍ଚା

NEWS7
ରେବତୀ-ଅପା-khabardar-29-06-2018

ଭୁବନେଶ୍ବର: ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପ୍ରସଙ୍ଗକୁ ନେଇ ରାଜନୀତି ହଲଚଲ । ଖୁବ୍ ଶୀଘ୍ର ବଦଳିବ କି ରାଜ୍ୟ ରାଜନୀତିର ଚିତ୍ର ? ନୂଆ ଏକ ଆଞ୍ଚଳିକ ଦଳର ହେବ କି ଅଦ୍ଭ୍ୟଦୟ ? ଗତ କିଛିଦିନ ହେଲା ଯେଭଳି ରାଜ୍ୟ ରାଜନୀତିରେ ଅସନ୍ତୁଷ୍ଟ ନେତାଙ୍କ ଭେଟଘାଟ ସାଙ୍ଗକୁ ବୟାନବାଜି ସାମ୍ନାକୁ ଆସୁଛି ସେଥିରେ କିଛି ନୂଆ ଦଳ ଆଗକୁ ଆସିବା ନେଇ ଆଲୋଚନା ଜୋର ଧରିଛି ।

ତେବେ ପ୍ରଶ୍ନ ଉଠୁଛି, ନୂଆଦଳ ଗଠନହେଲେ ଏହାର ନେତୃତ୍ବ କିଏ ନେବ ? ଏଥିପାଇଁ ଆର୍ଥିକ ସହାୟତା କିଏ ଯୋଗାଇବେ ? ଯିଏ ନେତୃତ୍ବ ନେବେ ସେ ସମସ୍ତଙ୍କୁ ସାଥିରେ ନେଇ ଚାଲିପାରିବେ କି ନା ? ତା’ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଚର୍ଚ୍ଚାରେ ସବୁଠୁ ଆଗରେ ଅଛି ମହମ୍ମଦ ମୋକିମ ଓ ବିଜୟ ମହାପାତ୍ରଙ୍କ ଭେଟଘାଟ ।

ଗତ ରାତିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବାସଭବନକୁ ଯାଇ ମୋକିମ୍ ରାଜ୍ୟ ରାଜନୀତି ଉପରେ ଆଲୋଚନା କରିବା ପରେ ନୂଆଦଳ କଥା ସାମ୍ନାକୁ ଆସିଛି । କେବଳ ମୋକିମ କି ବିଜୟ ମହାପାତ୍ର ନୁହଁନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ଖାରବେଳ ସ୍ବାଇଁ, ଭାସ୍କର ରାଓ, ଭୂପିନ୍ଦର ସିଂଙ୍କ ଭଳି ଅନେକ ନେତା ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ବଳ ଦେଇ ଆସୁଛନ୍ତି । ଏପ୍ରସଙ୍ଗରେ ଶନିବାର ପୁଣି ବରିଷ୍ଠନେତା ଅମର ଶତପଥୀ କହିଛନ୍ତି ଓଡ଼ିଶାରେ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି ।

ସୂଚନାଥାଉକି, ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳକୁ ଯାଇପାରୁନଥିବା କିମ୍ବା ସେମାନଙ୍କ ଉପରେ ଭରସା କରିପାରୁନଥିବା ନେତା ମାନେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା କରି ଆସୁଛନ୍ତି । ଏହା ମାଧ୍ୟମରେ ରାଜ୍ୟର କିଛି ବରିଷ୍ଠ ଓ ଯୁବ ନେତୃତ୍ବ ଯେଉଁମାନେ ନିଜର ରାଜନୈତିକ କ୍ୟାରିୟର ସଜାଡିବାକୁ ନୂଆ ପ୍ଲାଟଫର୍ମ ଖୋଜୁଛନ୍ତି ସେମାନଙ୍କୁ ଏକ ସୁଯୋଗ ମିଳିବ । କିନ୍ତୁ ଏହାକୁ ନେଇ ବୟାନବାଜି ବି କମ୍ ହୋଇନି ।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଯେଉଁମାନେ ସମୀକରଣ କରୁଛନ୍ତି ସେମାନେ ଜାଣିଥିବେ କେତେ ସଫଳ କେତେ ବିଫଳ ହେବେ | ସେମାନଙ୍କ ଭିତରୁ ବହୁତ ନେତା ନୂଆ ଦଳ ତିଆରି କରିସାରିଛନ୍ତି | ବର୍ଷେ ଦୁଇ ବର୍ଷରେ ଉଭାନ ହୋଇଯାଇଛି | ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ରାଜନୀତି ରେ ବିଭିନ୍ନ ସମୟରେ ବିଭିନ୍ନ ଚିନ୍ତା ଆସେ। କେତେଦୂର ନୂଆ ସମୀକରଣ ଗ୍ରହଣୀୟ ହେବ ସେକଥା ରାଜ୍ୟ ବାସୀ ନିଷ୍ପତ୍ତି ନେବେ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ନିଜ ସ୍ବାର୍ଥ ସାଧନ ପାଇଁ କିଛି ଲୋକ ଏକାଠି ହୋଇ ନୂଆ ଦଳ ପାଇଁ କସରତ କରୁଛନ୍ତି । ବିଗତ ଦିନରେ ଅନେକ ଦଳ ଗଢିଛି ଭାଙ୍ଗିଛି । କିନ୍ତୁ ଲୋକେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ବିଶ୍ବାସ କରି ଆମ ସହ ଅଛନ୍ତି ।

ତେବେ ଏସବୁ ଭିତରେ କୁହାଯାଉଛି ବିଜେଡି ଓ କଂଗ୍ରେସରେ କିଛି ଅଲୋଡ଼ା ଏବଂ ବିଜେପିରେ ଅସନ୍ତୁଷ୍ଟ ଥିବା କିଛି ନେତା ମଧ୍ୟ ନୂଆ ଆଞ୍ଚଳିକ ଦଳ ଗଠନକୁ ଭିତିରି ସମର୍ଥନ ଦେଉଛନ୍ତି । ଏମିତି ବି ଚର୍ଚ୍ଚା ହେଉଛି କି ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଅପେକ୍ଷା କରିଛନ୍ତି ନେତାଏ । ଏହାପରେ ହୁଏତ ଓଡ଼ିଶା ରାଜନୀତି କଡ ଲେଉଟାଇପାରେ ।