ସୂରଜକୁଣ୍ଡ ଝୁଲା ଦୁର୍ଘଟଣା: ସରକାରଙ୍କ ବଡ଼ ଘୋଷଣା, ମୃତ ଇନିସପେକ୍ଟରଙ୍କ ପୁଅକୁ ମିଳିବ ଚାକିରୀ, ଆହତଙ୍କୁ ୧ଲକ୍ଷ ଟଙ୍କା

NEWS7
ମାନସିକ-ବିକାର-ଗ୍ରସ୍ତ-ଯୁବକ

ଫରିଦାବାଦ ୮।୨: ହରିୟାଣାର ଫରିଦାବାଦରେ ଚାଲିଥିବା ପ୍ରସିଦ୍ଧ ସୂରଜକୁଣ୍ଡ ମେଳାରେ ଶନିବାର ଭୀଷଣ ଦୁର୍ଘଟଣା ଘଟିଥିଲା। ମେଳାରେ ଲାଗିଥିବା ଡ୍ରାଗନ ଝୁଲା ଭାଙ୍ଗିପଡିବାରୁ ଜଣେ ପୋଲିସ ଇନିସପେକ୍ଟରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଥିଲେ। ହରିୟାଣା ସରକାରଙ୍କ ମନ୍ତ୍ରୀ ରାଜେସ ନାଗର ରବିବାର ମେଳା ସ୍ଥଳ ପରିଦର୍ଶନ କରିବା ସହ ମୃତାହତଙ୍କ ନିମନ୍ତେ କ୍ଷତିପୂରଣ ଘୋଷଣା କରିଛନ୍ତି।

ନାଗର କହିଛନ୍ତି ଯେ ସରକାର ଆହତମାନଙ୍କର ଚିକିତ୍ସା ବାବଦ ବ୍ୟୟ ବହନ କରିବେ। ଏହା ଛଡା ପ୍ରତି ଆହତଙ୍କୁ ନଗଦ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇନିସପେକ୍ଟରଙ୍କ ପରିବାର ପ୍ରତି ମଧ୍ୟ ମନ୍ତ୍ରୀ ସହାନୁଭୂତି ଦେଖାଇଛନ୍ତି, କହିଛନ୍ତି ତାଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଓ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ମାମଲାର ତଦନ୍ତ ପାଇଁ ଯାଞ୍ଚ କମିଟି ଗଠନ କରାଯାଇଛି। ଏହି ଯାଞ୍ଚରେ ଯିଏ ବି ଦୋଷୀ ଜଣାପଡିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଝୁଲା ଦୁର୍ଘଟଣା ନେଇ ଏସପି ଦିନେଶ କୁମାର ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ସନ୍ଧ୍ୟା ୬ଟାରୁ ୬ଟା ୧୫ ମଧ୍ୟରେ ହୋଇଥିଲା। ଦୁର୍ଘଟଣା କାଳରେ ଝୁଲାରେ ୧୨-୧୩ ଜଣ ଲୋକ ଥିଲେ। ଅଚାନକ ଝୁଲାର ଗୋଟିଏ ଅଂଶ ଭାଙ୍ଗିପଡିଥିଲା। ଏହି ଦୁର୍ଘଟଣା ଘଟିବାମାତ୍ରେ ଘଟଣାସ୍ଥଳରେ ଡ୍ୟୁଟିରେ ଥିବା ଇନିସପେକ୍ଟର, ଦୁଇଜଣ ଏଏସଆଇ, ଜଣେ ସାମରିକ କର୍ମଚାରୀ ଓ ୨ ଜଣ ମହିଳା ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ ଝୁଲାକୁ ଚଢି ଯାଇଥିଲେ। ଏହି ସମୟରେ ଝୁଲାର ଅନ୍ୟ ଅଂଶଟି ମଧ୍ୟ ଭାଙ୍ଗିପଡିଥିଲା। ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚଳାଇବା ବେଳେ ଇନିସପେକ୍ଟର ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।