ବିଜୟ ମାଲ୍ୟାଙ୍କ ସହ ଭିଡିଓ ଭାଇରାଲ ହେବା ପରେ କ୍ଷମାନିବେଦନ କଲେ ଲଳିତ ମୋଦି, ଜାଣନ୍ତୁ କହିଛନ୍ତି କ’ଣ?

NEWS7
ବ୍ରହ୍ମପୁର-ବଡ-ମେଡିକାଲ୍‌ରେ

ନୂଆଦିଲ୍ଲୀ ୨୯।୧୨: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ଲଣ୍ଡନରେ ଏକ ପାର୍ଟିରୁ ଭାଇରାଲ ହୋଇଥିବା ଭିଡିଓ ନେଇ ସୋମବାର ସାର୍ବଜନିକ କ୍ଷମାଯାଚନା କରିଛନ୍ତି। ଏହି ଭିଡିଓରେ ଦୁଇ ପଳାତକ ମୋଦି ଓ କିଙ୍ଗ ଫିସର ଏୟାରଲାଇନସର ପୂର୍ବତନ ମାଲିକ ବିଜୟ ମାଲ୍ୟାଙ୍କୁ ଏକସାଙ୍ଗରେ ଦେଖା ଯାଉଛି। ଏହି ଭିଡିଓରେ ମୋଦି ଓ ମାଲ୍ୟା ଭାରତୀୟ ଅଧିକାରୀଙ୍କୁ ତାଛଲ୍ୟ କରି ନିଜକୁ ଭାରତର ଦୁଇ ‘ପଳାତକ’ ବୋଲି କହୁଛନ୍ତି। ଏହି ଭାଇରାଲ ଭିଡିଓକୁ ନେଇ ବିବାଦ ପରେ ମୋଦି ତାଙ୍କ ଫେସବୁକ୍ ଆକାଉଣ୍ଟରେ ସେମାନଙ୍କ ଟିପ୍ପଣୀକୁ ଭୁଲ ଭାବେ ବ୍ୟାଖ୍ୟା କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି, ତେବେ ତାଙ୍କର ଏପରି କୌଣସି ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି ।

ଏ ନେଇ ଲଳିତ ମୋଦି ଭାରତ ସରକାରଙ୍କୁ ମଧ୍ୟ କ୍ଷମା ଯାଚନା କରିଛନ୍ତି। ଲେଖିଛନ୍ତି ‘ଯଦି କାହା ଭାବନାକୁ ଆଞ୍ଚ ଆଣିଥାଏ ଖାସ କରି ଭାରତ ସରକାରଙ୍କୁ, ଯାହାଙ୍କ ପ୍ରତି ମୋ ମନରେ ସର୍ବୋଚ୍ଚ ସମ୍ମାନ ଓ ଆଦର ରହିଛି, ଏଥି ପାଇଁ ମୁଁ କ୍ଷମାଯାଚନା କରୁଛି’। ସେ ଏକ୍ସରେ ମଧ୍ୟ ଏହି ପୋଷ୍ଟ କରିଛନ୍ତି। ଏହି କ୍ଷମା ନିବେଦନ ସେହି ବୟାନର କିଛି ଦିନ ପରେ ଆସିଛି ଯେଉଁଥିରେ ଭାରତ କହିଥିଲା ଯେ ଏହି ପଳାତକମାନଙ୍କୁ ବିଦେଶରୁ ଫେରାଇ ଆଣି ଭାରତୀୟ କୋର୍ଟରେ ମକଦ୍ଦମାର ସମ୍ମୁଖୀନ କରିବାକୁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ।

ଭାଇରାଲ ଭିଡିଓ ଏବଂ ଏଥିରେ ଦେଖା ଯାଉଥିବା ଲୋକଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବିଦେଶ ମନ୍ତ୍ରାଳୟ କହିଥିଲେ ଯେ ଏହି ଅଭିଯୁକ୍ତମାନଙ୍କର ପ୍ରତ୍ୟାର୍ପଣରେ ବିଳମ୍ବ ନ୍ୟାୟାଳୟଙ୍କ ସମ୍ପର୍କିତ ଜଟିଳ ଆଇନ ଯୋଗୁ ହେଉଛି। ମନ୍ତ୍ରାଳୟ କହିଛନ୍ତି ଯେ ଆମେ ଭାରତରେ ଆଇନ ଦ୍ୱାରା ବାଞ୍ଛିତ ଓ ଫେରାର ଲୋକଙ୍କୁ ଦେଶକୁ ଆଣିବା ପାଇଁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ଏଥି ପାଇଁ ଆମେ କେତେକ ସରକାରଙ୍କ ସହ ଆଲୋଚନା ଚଳାଇଛୁ ଓ ଏହି ପ୍ରକ୍ରିୟା ଜାରି ରହିଛି। ଏଥିରେ ଅନେକ ପ୍ରକାରର ଆଇନଗତ ପ୍ରକ୍ରିୟା ସାମିଲ ରହିଛି। ହେଲେ ଆମେ ସେମାନଙ୍କୁ ଦେଶକୁ ଆଣିବାକୁ ସଂକଳ୍ପବଦ୍ଧ, ଯାହାଦ୍ୱାରା ସେମାନେ ଦେଶରେ ଆଇନର ସାମ୍ନା କରିପାରିବେ।

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଲଣ୍ଡନରେ ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମ ଦିନ ପାଳନ ପାର୍ଟିର ଭିଡିଓ ଲଣ୍ଡନରେ ପୋଷ୍ଟ ହୋଇଥିଲା। ଏହି ଭିଡିଓ ମୋଦିଙ୍କ ବେଲଗ୍ରେଭିୟା ସ୍କୋୟାରସ୍ଥିତ ଘରେ ଆୟୋଜନ କରାଯାଇଥିଲା। ଏବେ ହଟା ଯାଇସାରିଥିବା ଏହି ଭିଡିଓରେ ଲଳିତ ମୋଦିଙ୍କୁ ବିଜୟ ମାଲ୍ୟା ଓ ତାଙ୍କ ପାର୍ଟନର ପିଙ୍କି ଲାଲୱାନୀଙ୍କ ସହ ଦେଖା ଯାଇଥିଲା। ଭିଡିଓରେ ସେମାନେ ଭାରତ ଉପରେ କଟାକ୍ଷ କରୁଥିବାର ଦେଖାଯାଇଛନ୍ତି। କହୁଛନ୍ତି ‘ଚାଲ ଭାରତରେ ଇଣ୍ଟରନେଟ୍ ରେ ପୁଣି ଧମାଲ କରିବା । ଜନ୍ମଦିନର ଶୁଭେଚ୍ଛା ମୋର ବନ୍ଧୁ ବିଜୟ ମାଲ୍ୟା’।