ନକ୍ସଲଙ୍କୁ ଅମିତ ଶାହଙ୍କ ଶେଷ ଚେତାବନୀ, ଅସ୍ତ୍ର ଛାଡ ନଚେତ...

NEWS7
ବିଭିନ୍ନ-ଦାବି-ନେଇ-ଓଡ଼ିଶା-ର

ବସ୍ତର ୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କହିଛନ୍ତି ଯେ ‘ମାଓବାଦ କେବେବି ସମାଜର ହୀତ କରି ନାହିଁ ଓ ଯେଉଁଠି ଏହା ରହିଛି ସେଠାରେ କେବଳ ବିନାଶ ହିଁ ବିନାଶ ହୋଇଛି’। ଏ ନେଇ ସେ କୋଲମ୍ବିୟା, ପେରୁ ଓ କମ୍ବୋଡିଆ ଆଦି ଦେଶଙ୍କ ଉଦାହରଣ ଦେଇଛନ୍ତି। ଶାହ ଛତିଶଗଡ଼ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦ୍ଦଲ ପୁରରେ ‘ବସ୍ତର ପଣ୍ଡୁମ-୨୦୨୬’ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ଉତ୍ସବକୁ ସମ୍ବୋଧିତ କରି ଦୋହରାଇଛନ୍ତି ଯେ ୩୧ ମାର୍ଚ୍ଚ ପରେ ଦେଶରୁ ନକ୍ସଲବାଦ ସମସ୍ୟା ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ।

ଅମିତ ଶାହ ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ଓ ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ଅପିଲ କରିଛନ୍ତି। ଏଥି ପାଇଁ ସେମାନଙ୍କ ସମ୍ମାନଜନକ ପୁନର୍ବାସ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଛତିଶଗଡ଼ ସରକାରଙ୍କ ମାଓବାଦୀ ପୁନର୍ବାସ ନୀତି ସବୁଠୁ ଆକର୍ଷକ। ତେବେ ଯେଉଁ ନକ୍ସ ଏବେ ବି ଦମ୍ଭର ସହ ଲଢୁଛନ୍ତି ସେମାନଙ୍କୁ ନେଇ ଅମିତ ଶହ ଚିନ୍ତାବ୍ୟକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଯୁବକ, ଆଦିବାସୀ ଓ ଯୁବତୀ ମଧ୍ୟ ଅଛନ୍ତି। ଏମାନଙ୍କ ଆଗରେ ସେମାନଙ୍କ ସାରା ଜୀବନ ରହିଛି। ଏଣୁ ସେମାନେ ପୁନର୍ବାସ ଗ୍ରହଣ କରିବା ଦରକାର ବୋଲି କହିଛନ୍ତି।

ଶାହ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କର କୌଣସି କ୍ଷତି କରାଯିବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସତ୍ତ୍ୱ ଯେଉଁମାନେ ଗୁଳି ଚଳାଇବେ, ଆଇଇଡି ଲଗାଇବେ, ବିଦ୍ୟାଳୟ ଓ ହସ୍ପିଟାଲ ପୋଡିବେ ସେମାନଙ୍କୁ କ୍ଷମାକରାଯିବନି ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ସଶସ୍ତ୍ର ହିଂସାର କଡ଼ା ଜବାବ ଦିଆଯିବ। ଯଦି କେହି ଅସ୍ତ୍ର ଉଠାଇବ ତାକୁ ଅସ୍ତ୍ର ରେ ହିଁ ଜବାବ ମିଳିବ। ଏବେବି ଯେଉଁମାନେ ଆତ୍ମ ସମର୍ପଣ କରି ନାହାନ୍ତି ସେମାନଙ୍କୁ ଶାହ କହିଛନ୍ତି ଯେ ଆମେ କାହା ବିରୋଧରେ ଲଢିବାକୁ ଚାହୁଁନା। ତେବେ ଆମର ଲଢେଇ ଆମ ଆଦିବାସୀ ଭାଇ ଓ ଭଉଣୀଙ୍କ ରକ୍ଷା ନିମନ୍ତେ ବୋଲି କହିଛନ୍ତି।

ଶାହ କହିଛନ୍ତି ଯେ ମାଓବାଦୀ ଦୀର୍ଘ ଦଶନ୍ଧୀ ଧରି ସ୍କୁଲ ବନ୍ଦ ରଖିଥିଲେ। ଫଳରେ ଅନେକ ପିଢି ଶିକ୍ଷାରୁ ବଞ୍ଚିତ ରହିବା ବେଳେ ସମାଜରେ ନିରକ୍ଷରତା ବ୍ୟାପି ଯାଇଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ନକ୍ସଲଙ୍କ ବିରୋଧରେ ନିର୍ଣ୍ଣାୟକ ଲଢେଇ ନିମନ୍ତେ ଛତିଶଗଡ଼ ପୋଲିସ, ସିଆରପିଏଫ, ଆଇଟିବିପି ଓ ବିଏସଏଫକୁ ଉଚ୍ଚ ପ୍ରଶଂସା କରିଛନ୍ତି। ନକ୍ସଲ ବିରୋଧୀ ଅଭିଯାନରେ ଶହିଦ ହୋଇଥିବା ସୁରକ୍ଷା କର୍ମୀଙ୍କ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଶାହ ‘ବସ୍ତର ପଣ୍ଡୁମ ୨୦୨୬’ ଆୟୋଜନର ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ୧୨ ପ୍ରତିଯୋଗୀତାରେ ପ୍ରତ୍ୟେକ ଶୀର୍ଷ ୩ ସ୍ଥାନ ପାଇଥିବା ବିଜୟୀ ପ୍ରତିଯୋଗୀଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯିବ। ସେଠାରେ ସେମାନେ ନିଜର କଳା ପ୍ରଦର୍ଶନ କରିବେ ଓ ଭୋଜିରେ ଯୋଗ ଦେବେ ବୋଲି କହିଛନ୍ତି।

ଏହା ବି ପଢନ୍ତୁ:-ଦିଲ୍ଲୀର ୯ଟି ସ୍କୁଲ୍କୁ ବୋମାରେ ଉଡାଇବାକୁ ଧମକ; ଖାଲି କରାଗଲା ପରିସର, ସର୍ଚ୍ଚ ଅପରେସନ ଜାରି