‘ଭାଗ୍ୟରେ ଥିଲେ ମିଳିବ, କେହି ଛଡ଼ାଇ ନେଇ ପାରିବେନି’; କାହିଁକି ଏଭଳି କହିଲେ ଶୁଭମନ ଗିଲ୍ ?

NEWS7
ବିଧବା-ମହିଳାଙ୍କୁ-ହତ୍ୟା-na-mane-na-03-08-2018

ନୂଆଦିଲ୍ଲୀ: ଟେଷ୍ଟ ଏବଂ ଦିନିକିଆ ଟିମ୍ର ଅଧିନାୟକ ଶୁଭମନ ଗିଲ୍ ଆଗାମୀ ଟି-୨୦ ବିଶ୍ବକପ୍ ଦଳରୁ ବାଦ୍ ପଡ଼ିଛନ୍ତି । ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଟି-୨୦ ଦଳର ଉପଅଧିନାୟକ ଥିଲେ ଗିଲ୍ । କିନ୍ତୁ ଡିସେମ୍ବର ୨୦୨୫ରେ ଘୋଷଣା ହୋଇଥିବା ୧୫ ଜଣିଆ ଟିମ୍ରୁ ତାଙ୍କୁ ବାଦ ଦିଆଯିବା ଘଟଣା ଖେଳପ୍ରେମୀଙ୍କୁ ନିରାଶ କରିଛି । ଗିଲଙ୍କୁ ୨୦୨୫ ଏସିଆ କପ୍ ପୂର୍ବରୁ ଟି୨୦ ଦଳରେ ସାମିଲ କରାଯାଇଥିଲା । ତାଙ୍କୁ ଉପ-ଅଧିନାୟକ କରାଯାଇଥିଲା ଏବଂ ତାଙ୍କୁ ଓପନର ଭୂମିକା ମିଳିଥିଲା ।

ଗିଲ ଏହି ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ କରିଆସିଛନ୍ତି । ତାଙ୍କର ଖରାପ ଫର୍ମକୁ ବିଚାର କରି ଚୟନକର୍ତ୍ତାମାନେ ତାଙ୍କୁ ବିଶ୍ୱକପ୍ ଦଳରୁ ବାଦ୍ ଦେଇଥିଲେ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସ୍ପଷ୍ଟ କରିଛନ୍ତି ଯେ, ନିଷ୍ପତ୍ତି କେବଳ ବ୍ୟକ୍ତିଗତ ଫର୍ମ ପରିବର୍ତ୍ତେ ଦଳର ସନ୍ତୁଳନ ଏବଂ ଜଣେ ୱିକେଟକିପର-ଓପନରଙ୍କ ଆବଶ୍ୟକତା ଉପରେ ଆଧାରିତ।ଟେଷ୍ଟ ଏବଂ ଦିନିକିଆରେ ଦଳର ଅଧିନାୟକ ଥିବାରୁ ଟି-୨୦ ଦଳରୁ ଗିଲ୍ ବାଦ ପଡ଼ିବା ଖବର ଆଶ୍ଚର୍ଯ୍ୟକର ଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ ଭଦୋଦରାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁଁହ ଖୋଲିଛନ୍ତି ।

ସେ କହିଛନ୍ତି, ‘ମୁଁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମ୍ମାନ କରେ। ମୁଁ ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଶୁଭକାମନା ଜଣାଉଛି। ମୁଁ ଯେଉଁଠାରେ ରହିବା ଉଚିତ ସେଠାରେ ଅଛି। ମୋ ଭାଗ୍ୟରେ ଯାହା ଲେଖାଯାଇଛି ତାହା କେହି ଛଡ଼ାଇ ନେଇପାରିବେ ନାହିଁ। ଜଣେ ଖେଳାଳି ଭାବରେ, ମୁଁ ସବୁବେଳେ ଦେଶ ପାଇଁ ମୋର ସର୍ବୋତ୍ତମ ଦେବାକୁ ଚାହେଁ, କିନ୍ତୁ ମୁଁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରେ।’

ଟି-୨୦ ଦଳରେ ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କ ତୁଳନାରେ ଗିଲଙ୍କୁ ପ୍ରାଥମିକତା ଦିଆଯାଇଥିଲା । କିନ୍ତୁ ଫଳାଫଳ ଓଲଟା ହେଲା । ସାମସନ ୨୦୨୪ ସିଜନରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହି ବର୍ଷ ତିନୋଟି ଶତକ ହାସଲ କରିଥିଲେ। ଓପନିଂ କରି, ସାମସନ ୧୫ଟି ମ୍ୟାଚ୍ରେ ୧୮୨.୨୦ ଷ୍ଟ୍ରାଇକ୍ ରେଟ୍ ସହିତ ୩୯.୩୮ ହାରରେ ୫୪୯ ରନ୍ କରିଥିଲେ। ସେହିପରି ଗିଲ୍ ୨୦୨୫ରେ ୧୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୨୪.୨୫ ହାରରେ ମାତ୍ର ୨୯୧ ରନ୍ କରିଥିଲେ । ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ପାରିନଥିଲେ ଗିଲ ।ଗିଲଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ମଧ୍ୟ ଖାସ ପ୍ରଦର୍ଶନ ଦେଖିବାକୁ ମିଳି ନାହିଁ । ସେ ୩୪ ଟି-୨୦ ମ୍ୟାଚରେ ୨୯ ହାରରେ ୮୪୧ ରନ୍ କରିଛନ୍ତି ।ଏଥିରେ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ରହିଛି ।