ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍‌ ହେଲା 'ଭିବି-ଜି ରାମ ଜି', ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା

NEWS7
ବିଜେପି-କଂଗ୍ରେସ-ବିରୋଧି-ଫ୍

​​​​​​​ନୂଆଦିଲ୍ଲୀ: ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍‌ ହେଲା ଭିବି-ଜି ରାମ ଜି ବିଲ୍‌।  ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି ମନରେଗାର ନାଁ ପରିବର୍ତ୍ତନ କରିଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଏହି ବିଧେୟକ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକ ମିଶନ ବିଧେୟକ, ୨୦୨୫(ଭିବି-ଜି ରାମ ଜି) ମନରେଗାର ସ୍ଥାନ ନେବ । ଏହା ପୂର୍ବରୁ ଗୁରୁବାର ଅପରାହ୍ଣରେ ପ୍ରବଳ ହଟ୍ଟଗୋଳ ଓ ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ୱେ ବି ଲୋକସଭାରେ ଏହି ବିଧେୟକ ଗୃହୀତ ହୋଇଥିଲା । ରାଜ୍ୟସଭାରେ ବିତର୍କ ଗୁରୁବାର ମଧ୍ୟ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ରାତି ୧୨ଟା ୧୫ରେ ମତଦାନ ଆରମ୍ଭ ହୋଇଥିଲା ।

ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ନୂଆ ନାଁ ରଖିବାକୁ ନେଇ କଂଗ୍ରେସର ପ୍ରବଳ ବିରୋଧ ସତ୍ତ୍ୱେ ଏହି ବିଧେୟକ ପାରିତ ହୋଇଛି । ଏହା ପୂର୍ବରୁ ବିରୋଧୀ ଏହି ବିଧେୟକକୁ ସ୍ଥାୟୀ କମିଟି ପାଖକୁ ପଠାଇବାକୁ ଦାବି କରିଥିଲା । ପୁଣି ଏହି ବିଧେୟକ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଥିଲା । ଶେଷରେ କକ୍ଷ ତ୍ୟାଗ କରିଥିଲେ । କ୍ଷମତାସୀନ ଏନଡିଏର ସାଂସଦଙ୍କ ଉପସ୍ଥିତିରେ ଏହି ବିଧେୟକ ପ୍ରଥମେ ଲୋକସଭାରେ ଏବଂ ପରେ ଗୃହର ଉଚ୍ଚସଦନ ରାଜ୍ୟସଭାରୁ ଗୃହୀତ ହୋଇଛି। ଏବେ ଏହି ବିଧେୟକ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ।

ରାଜ୍ୟସଭାରେ ଏହି ବିଧେୟକ ଉପରେ ବିତର୍କ ସମୟରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଏହି ବିଧେୟକ ଗରିବଙ୍କୁ ବରବାଦ କରି ଦେବ । ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଛି । ଏବେ ବି ସମୟ ଅଛି । ସରକାର ଏହାକୁ ପ୍ରତ୍ୟାହାର କରି ନିଅନ୍ତୁ ।