ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉଦ୍‌ବେଗ, ରାତିଅଧରେ ବଡ଼ଦେଉଳ ନ ଖୋଲିବାକୁ ଚିଠିରେ ଅନୁରୋଧ

NEWS7
ବିଜେପିରେ-ମିଶିବେ-ଅବସରପ୍ରା

ପୁରୀ ୨୮।୧୨: ଡିସେମ୍ବର ୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକରିବା ସହ ରାତିଅଧରେ ଶ୍ରୀମନ୍ଦିର ନ ଖୋଲିବା ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ ସାହୁ ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କିଛି ବର୍ଷ ହେବ ଡିସେମ୍ବର ୩୧ ତାରିଖ ରାତିଅଧରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ମହାପ୍ରଭୁଙ୍କୁ ମଧ୍ୟ ରାତ୍ରିରୁ ଅନିଦ୍ରା ରଖାଯାଉଛି । ଯାହାକି ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ଅନୁଭବ ହେଉନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ଜାନୁଆରୀ ୧ ତାରିଖ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକରି ସ୍ବାଭାବିକ ଭାବେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି କରିବାକୁ ସେ ଚିଠିରେ ଲେଖିଛନ୍ତି ।

ସେପଟେ ନୂଆବର୍ଷରେ ଠାକୁର ଅନିଦ୍ରା କାହିଁକି ରହିବେ ବୋଲି ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ମନ୍ଦିରର ନୀତିକାନ୍ତିକୁ କୌଣସି ପ୍ରକାରରେ ବ୍ୟାଘାତ ନଦେଇ, ଯାହା ଆବଶ୍ୟକତା ରହିଛି ତାହା କରାଯାଉଛି । ଏନେଇ ବହୁତ ତର୍ଜମା କରାଯାଇଛି ଏବଂ ମୁକ୍ତି ମଣ୍ଡପଠୁ ଆରମ୍ଭ କରି ସମସ୍ତଙ୍କ ସହିତ ଆଲୋଚନା ମଧ୍ୟ କରାଯିବ । ଯେମିତି କୌଣସି ଅସୁବିଧା ହେବ ନାହିଁ, ସେହିଭଳି ବ୍ୟବସ୍ଥା କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।