ଅଭିଷେକ ଓ ସୂର୍ଯ୍ୟଙ୍କ ଝଡ଼ରେ ଧରାଶାୟୀ ନ୍ୟୁଜିଲାଣ୍ଡ, ୧୦ ଓଭରରେ ମ୍ୟାଚ୍ ଜିତିଲା ଭାରତ

NEWS7
ବିକ୍ରି-ହେବ-ସେସୁ

ଗୌହାଟୀ: ଅଭିଷେକ ଶର୍ମାଙ୍କ ଆଉ ଏକ ବିସ୍ଫୋରକ ଇନିଂସ। ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ଅତି ସହଜରେ ହରାଇ ସିରିଜ୍ କବଜା କରିଛି ଭାରତ। ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୦ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଅଭିଷେକ ଶର୍ମା ୧୨ ବଲରୁ ୬୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ରନ କରିଛନ୍ତି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୦ରେ ଅଗ୍ରଣୀ ହାସଲ କରିଛି। ଟି-୨୦ ବିଶ୍ଵକପ୍ ପୂର୍ବରୁ ଭାରତୀୟ ବ୍ୟାଟରଙ୍କ ଏମିତି ବ୍ୟାଟିଂ ଅନ୍ୟ ଦଳ ପାଇଁ ଚେତାବନୀ ସଦୃଶ ହୋଇଛି।

୧୫୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୦ ରନରେ ପ୍ରଥମ ଝଟକା ଲାଗିଥିଲା। ସଞ୍ଜୁ ସାମସନ(୦) ମିଳିଥିବା ସୁଯୋଗର ଫାଇଦା ନ ଉଠାଇ ପାରି ପୁଣି ଥରେ ନିରାଶ କରିଛନ୍ତି। ଏହା ପରେ ଇଶାନ କିଶନ ଓ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି କିଓ୍ଵି ବୋଲରଙ୍କ ନିଦ ହଜାଇ ଦେଇଥିଲେ। ଇଶାନ କିଶନ ୧୩ ବଲରୁ ୩ ଚୌକା ଓ ୨ ଛକା ସହ ୨୮ ରନ କରିଥିଲେ। ଏହା ପରେ ଅଭିଷେକ ଶର୍ମା କରାଳ ରୂପ ଧାରଣ କରିଥିଲେ। ଛକା ଓ ଚୌକା ବର୍ଷା ପରି ମାତ୍ର ୧୪ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଭିଷେକଙ୍କ ସହ ମିଶି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ।

ଦୁଇ ବ୍ୟାଟର ପଡ଼ିଆର ଚତୁଃପାର୍ଶ୍ଵରେ ଚୌକା ଓ ଛକା ବର୍ଷା କରିଥିଲେ। ଏହି ଦୁଇ ବ୍ୟାଟର ସାମ୍ନାରେ ଅସହାୟ ହୋଇ ପଡ଼ିଥିଲେ କିଓ୍ଵି ବୋଲର। ଆଉ ଭାରତ ୧୦ ଓଭରରେ ୨ ଓ୍ଵିକେଟ୍ ମ୍ୟଚକୁ ଅନାୟସରେ ଜିତି ନେଇଛି। ଅଭିଷେକ ମାତ୍ର ୨୦ ବଲରୁ ୭ ଚୌକା ଓ ୫ ଛକା ସହ ୬୮ ରନ କରି ଅପରାଜିତ ଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୬ ଚୌକା ଓ ୩ ଛକା ସହ ୫୭ ରନ କରି ଭାରତ ପାଇଁ ବିଜୟ ସୂଚକ ଚୌକା ମାରିଥିଲେ।